• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । ପ୍ରଭାରୀ ଏ. ଚେଲ୍ଲା କୁମାର ସହ ପ୍ରଭାରୀ ରୁଦ୍ର ରାଜୁ ପ୍ରଥମେ ୮ ବିଧାୟକ ଓ ପରେ ବରିଷ୍ଠ ନେତାଙ୍କ ସହ କରିଛନ୍ତି ଆଲୋଚନା ।

ତେବେ ଅସୁସ୍ଥତା ଯୋଗୁଁ ଅନୁପସ୍ଥିତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ତିନୋଟି ନାଁ କୁ ନେଇ ହେଉଛି ଜୋରଦାର ଚର୍ଚ୍ଚା । ସେମାନେ ହେଲେ ଶରତ ପଟ୍ଟନାୟକ, ଭକ୍ତ ଦାସ, ମହମ୍ମଦ ମୋକିମ । ଚର୍ଚ୍ଚା ହେଉଛି ବିଧାୟକ ଆଉ ନେତାମାନଙ୍କୁ ଏହି ୩ ନାଁ ବାବଦରେ ମତ ପଚାରିଥିଲେ ପ୍ରଭାରି । ଏହି ତିନି ଜଣଙ୍କୁ ଛାଡି କିଛି ବିଧାୟକ ଏବଂ ନେତା ଅନ୍ୟ କିଛି ଲୋକଙ୍କ ନାଁ କହିଥିବା ଜଣାପଡିଛି ।

ତେବେ ଚର୍ଚ୍ଚାରେ ଆଗରେ ରହିଛନ୍ତି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ସେହପରି କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଅଧିକାଂଶ ବିଧାୟକ ସମର୍ଥନ କରୁଥିବା କୁହାଯାଉଛି । କାହିଁକି ନା ବିଧାୟକ ମାନେ ଚାହୁଁଛନ୍ତି ବିଧାୟକ ମାନଙ୍କ ମଧ୍ୟରୁ ଜଣେ କେହି ସଭାପତି ହୁଅନ୍ତୁ । ଅନ୍ୟପଟେ ଦିଲ୍ଲୀରେ ଦବ୍‌ଦବା ରଖିଥିବା କଂଗ୍ରେସ ସଧାରଣ ସଂପାଦକ ଭକ୍ତ ଦାସ ମଧ୍ୟ ଏହି ଲବିରେ ଥିବା ଜଣାପଡିଛି । ତେବେ ପିସିସି ପଦରୁ ନିରଞ୍ଜନଙ୍କ ଇସ୍ତଫା ପରେ ନୂଆ ମୁଖିଆ ଚୟନ ପାଇଁ ପ୍ରକ୍ରିୟା ଚାଲିଥିବା ଏ.ଚେଲ୍ଲାକୁମାର କହିଛନ୍ତି ।

 

କଂଗ୍ରେସର ମାନସ ମନ୍ଥନ ଭିତରେ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦବୀରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ତେବେ ନରସିଂହଙ୍କ ସପକ୍ଷରେ ୨ ବିଧାୟକ ଥିବା ବେଳେ ସନ୍ତୋଷ ସିଂହ ସାଲୁଜାଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ୪ ବିଧାୟକ ସମର୍ଥନ ଜଣାଇଥିବା କୁହାଯାଉଛି । ତେବେ କଂଗ୍ରେସ ଭବନରେ ପ୍ରଭାରୀ ପହଞ୍ଚିବା ପରେ ପ୍ରଥମେ ନରସିଂହ ମିଶ୍ରଙ୍କ ସହ ୩୦ ମିନିଟ ଧରି ୱାନ ଟୁ ୱାନ ଆଲୋଚନା କରିଥିଲେ ।

ତେବେ ବିଧାୟକ ଦଳ ନେତା ପରିବର୍ତ୍ତନ କି ତାଙ୍କ ଇସ୍ତଫା ପ୍ରସଙ୍ଗରେ କ୍ୟାମେରା ଆଗରେ କିଛି କହନିଥିଲେ ବି ସମୟ ଆସିଲେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଞ୍ଚାୟତ ଆଉ ପୌର ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କେନ୍ଦ୍ର ନେତୃତ୍ୱରେ ଚାହୁଁଛନ୍ତି ରାଜ୍ୟରେ ପରିବର୍ତ୍ତନ । ନେତା ଆଉ କର୍ମୀଙ୍କୁ ଏକଠା କରି ପୁଣି ଥରେ ସଂଗଠନ ସୁଦୃଢ କରିବାକୁ ହାଇକମାଣ୍ଡ କାହା ହାତରେ ପିସିସି ମଙ୍ଗ ଧରାଉଛନ୍ତି ତାକୁ ଅପେକ୍ଷା । ସେପଟେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ୨୦୧୯ ରୁ ଇସ୍ତଫା ଦେଲିଣି, ଏଣିକି ଯିଏ ଦାୟୀତ୍ୱ ନେବ ଭଲ ।