ପୁଣି କଂଗ୍ରେସ ନେତାଙ୍କ ପାଇଁ ଚିନ୍ତା ସାଜିଲା ‘ୱାନ୍‌ ଫ୍ୟାମିଲି ୱାନ୍‌ ଟିକେଟ୍’

ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Odisha Congress

ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ? ତେବେ ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ନିଶ୍ଚୟ ଶକ୍ତିଶାଳୀ ହେବ । ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷରେ ପାଳନ କରାଯିବ । ଶୃଙ୍ଖଳା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

କଂଗ୍ରେସକୁ ଦିଶା ଦେଖାଇବା ପାଇଁ ଓଡ଼ିଶା ଆସିବା ଲାଗି ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅନୁରୋଧ କରିଥିବା କହିଛନ୍ତି । ଏଥିସହିତ ରାଜ୍ୟ ସଂଗଠନିକ ସ୍ଥିତି ନେଇ ସେ ସୋନିଆ ଓ ରାହୁଲଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।

ଏପଟେ ଓ୍ୱାନ ଫ୍ୟାମିଲି ଓ୍ୱାନ ଟିକେଟ୍ ନିୟମ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ । କାରଣ କଂଗ୍ରେସରେ ପରିବାରବାଦ କିଛି ନୂଆ ନୁହେଁ । ୨୦୧୯ରେ ନିରଞ୍ଜନ, ଘଷିପୁରା ଓ ଭଣ୍ଡାରୀ ପୋଖରୀରୁ ଲଢିଥିବା ବେଳେ ପୁଅ ନବଜ୍ୟୋତି ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ବଲାଙ୍ଗିର ଲୋକସଭାରେ ଠିଆ ହୋଇଥିଲେ ପୁଅ ସମରେନ୍ଦ୍ର ।

 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ କଳାହାଣ୍ଡି ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ, ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ପରିବାରବାଦ ରାଜନୀତି ଦଳ ପାଇଁ ଘାତକ ହୋଇଥିବା ହାଇକମାଣ୍ଡ ଅନୁଭବ କରିଛନ୍ତି । ତେଣୁ ଓ୍ୱାନ ଫ୍ୟାମିଲି ଓ୍ୱାନ୍ ଟିକଟ ନିୟମର କ଼ଡାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦେଖି ପୁରୁଖା ନେତାମାନେ ପର ପିଢିକୁ ବାଟ ଛାଡିବାକୁ ମନ କଲେଣି । ତେଣେ ୫୦ ବର୍ଷରୁ କମ୍ ନେତାଙ୍କୁ ଗୁରୁତ୍ୱ ଦିଆଯିବା ନିଷ୍ପତ୍ତି ପରେ ରାଜ୍ୟର ଯୁବନେତାଙ୍କ ଭିତରେ ଆଶା ସଞ୍ଚାର ହୋଇଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟ କଂଗ୍ରେସ ପାଣି ଭାରି ଗୋଳିଆ । ଗୋଷ୍ଠୀ ବିବାଦ ଦଳ ପାଇଁ ସବୁଠୁ ବଡ ସମସ୍ୟା । ତେଣୁ କେନ୍ଦ୍ରୀୟ ନେତୃତ୍ୱ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାହା ରାଜ୍ୟସ୍ତରରେ କେତେ କାର୍ଯ୍ୟକାରୀ ହେଉଛି ତାକୁ ଦେଖିବା କଥା ।

ଚିନ୍ତନ ବୈଠକରେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ନେଇ ଯାହା ଆଶା ଥିଲା ତାହା ହୋଇନି । ଅନ୍ୟପକ୍ଷରେ ରାଜ୍ୟ ମଙ୍ଗୁଆଳ ପରିବର୍ତ୍ତନ କେବଳ ଚର୍ଚ୍ଚାରେ ରହିଛି । ତେଣୁ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ କେଉଁ ବାଟରେ ଯାଉଛି ତା ଉପରେ ନଜର ।