• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ହୁଲସ୍ତୁଲ ହେବ ଗୃହ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସବୁ ସ୍ତରରେ ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଧାନର ଅଭାବି ବିକ୍ରି, ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ବେଲ୍ ଆଦିକୁ ଗୃହରେ ଉଠାଇବ କଂଗ୍ରେସ । ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜ଼େଡି । ଏଥିସହିତ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ ।

ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ସେସନ୍ ଲମ୍ବା ହୋଇଥିବା ବେଳେ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା । ଦାଦନ ସମସ୍ୟା, ଚାଷୀ ସମସ୍ୟା, ମହାନଦୀ ଶୁଖା ପଡିବା, ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ବିଜୁଳି ଦର ବୃଦ୍ଧି, ଧ୍ୱଂସାଭିମୁଖି ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଲଘୁ ଖଣିଜ ଚୋରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜାନା ଦୁର୍ନୀତି ଓ ଦଳୀୟ ଭିତ୍ତିରେ ବିଜେଡି କର୍ମୀଙ୍କୁ ଘର ବଣ୍ଟନ, କେନ୍ଦ୍ରୀୟ ଯୋଜନାର ଲୁଟ୍, ଟେଣ୍ଡର ଦୁର୍ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେପି ।

କଂଗ୍ରେସ ମଧ୍ୟ ଚାଷୀ ସମସ୍ୟା ଓ ଧାନର ଅଭାବି ବିକ୍ରି ସାଙ୍ଗକୁ ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ୍, ଦର ଦାମ ବୃଦ୍ଧି  ଭଳି ପ୍ରସଙ୍ଗକୁ ଗୃହରେ ଉଠାଇବାକୁ ସ୍ଥିର କରିଛି । ଅନ୍ୟପକ୍ଷରେ ବିରୋଧୀଙ୍କୁ କାଉଣ୍ଟର ଲାଗି ସରକାରୀ ଦଳ ମହାନଦୀ ଜଳବଣ୍ଟନ ବିବାଦ, କେନ୍ଦ୍ରୀୟ ଅବହେଳା, ଆବାସ ଯୋଜନାରେ ଅଧିକ ଘର ପ୍ରଦାନ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଢାଲ କରିବ । ତେବେ ବିରୋଧୀଙ୍କର ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି ବିଜେଡ଼ି କହିଛି ।

 

ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏଥର ପୂର୍ଣ୍ଣାଙ୍ଗ ବଜେଟ୍ ଆସିନଥିଲା । ୪ ମାସ ପାଇଁ କାମଚଳା ଭାବେ ୧ଲକ୍ଷ ୬ହଜାର କୋଟି ଟଙ୍କା ବଜେଟ୍‌କୁ ବିଧାନସଭା ଅନୁମୋଦନ କରିଥିଲା । ତେଣୁ ଅବଶିଷ୍ଟ ୮ ମାସ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନ ହିଁ ଗୃହରେ ଉପସ୍ଥାପତି ହେବ । ପୂରା ବଜେଟ୍ ପରିମାଣ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ମନ୍ଦିର ବିକାଶ, ମିଶନ ଶକ୍ତି ଫୋକସରେ ରହିବ । ମିଶନ୍ ଶକ୍ତି ପାଇଁ ସ୍ୱତନ୍ତ୍ର ବଜେଟ୍ ରହିପାରେ । ଏଥର ବଜେଟ୍‌ରେ ସରକାର କିଛି ନୂଆ ସ୍କିମ ଆଣିବା ସମ୍ଭାବନା ମଧ୍ୟ ରହିଛି ।

ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ । ବଜେଟ୍ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟଦିବସ ରହିଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ଅପରାହ୍ଣରେ ଅଧିବେଶନ ୪ଟାରୁ ସଂଧ୍ୟା ୭ଟା ଯାଏ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ରିପୋର୍ଟର- ହରିହର ଚାନ୍ଦ