• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ । ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି । ପୁରୀ ଆଇନଜୀବୀଙ୍କ ତରଫରୁ ଦାଏର ଏକ ମାମଲାର ଶୁଣାଣି କରି ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରଜେକ୍ଟ ନାଁରେ ମାମଲା ରୁଜୁ ଲାଗି ଏସ୍‌ଡିଜିଏମ୍ ନିର୍ଦ୍ଦେଶ ଦେଇଛନ୍ତି ।

ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ଆଜି ପୁରୀ ପହଞ୍ଚିଥିଲେ ବିଜେପିର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସାଙ୍ଗରେ ଥିଲେ ପୁରୀ ସଂସଦୀୟ କ୍ଷେତ୍ରର ସବୁ ନିର୍ବାଚନ ମଣ୍ଡଳୀର ନେତା । ପ୍ରଥମେ ସିଂହଦ୍ୱାର ପାଖରେ ପୂରା ଟିମ୍ ପହଞ୍ଚିଥିଲେ । ତାପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମନ୍ଦିର ପୂର୍ବଦ୍ୱାରର ଏମାର ମଠ ପରିସରରେ ନିର୍ମାଣ କାମକୁ ଅନୁଧ୍ୟାନ କରିଥିଲେ । ଯେଉଁ ନିଷିଦ୍ଧାଞ୍ଚଳରେ ରିସେପସନ୍ ସେଣ୍ଟର କରିବା ପାଇଁ ପ୍ରସ୍ତାବ ରହିଥିଲା, ସେଠାରେ କିଛି ସମୟ ପାଇଁ ସମ୍ବିତ ଓ ପୂରା ଟିମ୍ ବସିଥିବାର ଦେଖିବାକୁ ମିଳିଥିଲା ।

ତେବେ ପୁରୀ ଗସ୍ତ ସମୟରେ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଉପରେ ଖୁବ୍ ବର୍ଷିଥିଲେ ସମ୍ବିତ । ୩୦ରୁ ୩୫ ଫୁଟ୍ ଗାତ ଖୋଳିବା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ସମ୍ବିତ । ଏଏସ୍ଆଇର କଥା ନଶୁଣି, ଏଏସ୍ଆଇର ତାଗିତ ପରେ ବି ରାଜ୍ୟ ସରକାର ନିଜ ଜିଦ୍‌ରେ ବେଆଇନ୍ ଭାବେ ନିର୍ମାଣ କାମ କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସମ୍ବିତ ।

ପୁରୀ ସାଂସଦ ପିନାକୀ ମିଶ୍ର କ୍ଷମା ପ୍ରାର୍ଥନା କରିବାକୁ ପୁଣି ଥରେ ଦାବୀ କରିବା ସହ ରାଜ୍ୟ ସରକାର ଏବଂ ପିନାକୀ ମିଶ୍ରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ସମ୍ବିତ କହିଛନ୍ତି । ସାଂସଦ ପିନାକୀ ମିଶ୍ର ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ସମ୍ବିତ ଆହ୍ୱାନ ମଧ୍ୟ ଦେଇଛନ୍ତି । ସମ୍ବିତଙ୍କ କାର୍ଯ୍ୟକ୍ରମକୁ ବିଜେଡି ଡ୍ରାମା ବୋଲି କହିଥିବା ବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି ।

ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ଯେ, କାମ ବନ୍ଦ ହେବା ସପକ୍ଷରେ ସେ ନାହାଁନ୍ତି । କାମ କିନ୍ତୁ ନିୟମ ଅନୁସାରେ ହେବା ଉଚିତ । ଯେମିତି ଭଙ୍ଗା ହୋଇଛି କାମ ନହେଲେ ତାହା ମନ୍ଦିର ପ୍ରତି ବିପଦ ବୋଲି ଜୟନ୍ତ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରଜୁ କରିବା ଲାଗି ପୁରୀ ଏସ୍‌ଡିଜିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଦାୟର ହୋଇଥିବା ଆବଦେନ ଶୁଣାଣି କରି ଏସ୍‌ଡିଜିଏମ୍ ପୁରୀ ସିଂହଦ୍ୱାର ଥାନାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆଇନଜୀବୀମାନେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ଗ୍ରହଣ ନକରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଶ୍ରୀମନ୍ଦିର କରିଡର ପ୍ରକଳ୍ପ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ପରବର୍ତ୍ତୀ ଶୁମାଣୀ ବେଳେ ଜୁନ ୨୨ ତାରିଖରେ କୋର୍ଟ କଣ ନିର୍ଦ୍ଦେଶ ଦେଉଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ରିପୋର୍ଟର- ମଧୁସୁଦନ ମିଶ୍ର, ହରିହର ଚାନ୍ଦ