• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି ଅସନ୍ତୋଷ ତେଜିବା ସ୍ୱାଭାବିକ । ହେଲେ ଯାହାକୁ ଅଧିକା ଦେଇଛନ୍ତି ସେ ହିତାଧିକାରୀଙ୍କୁ ବି ଘାରିଛି ପ୍ରିମିୟମ ଟେନସନ । କାହିଁକି ନା ପ୍ରିମିୟମ ବାବଦକୁ ଦେବାକୁ ହେବ ଲକ୍ଷାଧିକ ଟଙ୍କା । ଯାହାକୁ ନେଇ BMCର ଅକଲ ଗୁଡୁମ ହେଲାଣି ।

ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ । ରାଜଧାନୀ ଶାନ୍ତିପଲ୍ଲୀ ବସ୍ତିରେ ପ୍ରାୟ ୧୨୫୦ ଘର । ହେଲେ ଜାଗା ମିଶନରେ ଜଣଙ୍କର ବି ନାଁ ନାହିଁ । ୨୦୧୭ରେ ୩୪୫ ବର୍ଗ ଫୁଟର ଘର ଦେବେ କହି ଏହି ପ୍ରମାଣ ପତ୍ର ଦେଇଥିଲା ବିଏମସି । ହେଲେ ଏ ପର୍ଯ୍ୟନ୍ତ ଘର ତ ମିଳିଲାନି, ଜାଗା ମିଶନରେ ଜାଗା ବି ନାହିଁ । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଜାଗା ପାଇଁ ଟଙ୍କା ମାଗୁଛନ୍ତି କର୍ପୋରେଟର ଏବଂ ବିଏମସିର ଦଲାଲ୍ ।

ଖାଲି ଶାନ୍ତିପଲ୍ଲୀ ନୁହେଁ, ଖଣ୍ଡଗିରି ସୀତାରାମ ବସ୍ତି, ପାତ୍ରପଡ଼ା କୁଲେଶ୍ୱରୀ ବସ୍ତି, ଭିଏସଏସ ନଗର ଗୋଜବାୟାଣୀ ବସ୍ତି, ଗଣ୍ଡମୁଣ୍ଡା ତାରିଣୀ ବସ୍ତି, ତପୋବନ ବଡବାରି ବସ୍ତି ଭଳି ଅନେକ ବସ୍ତିରେ କେହି ବି ଜାଗା ମିଶନରେ ଜମି ପାଇ ନାହାନ୍ତି । ବିଏମସିର ରାଜୀବ ଆବାସ ଯୋଜନା ବା ରେ-ସର୍ଭେ ଅନୁସାରେ ଭୁବନେଶ୍ୱରରେ ୪୩୬ ବସ୍ତିରେ ୮୦ ହଜାର ୬୬୫ ପରିବାରରେ ପ୍ରାୟ ୩ ଲକ୍ଷ ୧୬ ହଜାର ଲୋକ ବସବାସ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ମାତ୍ର ୫୧  ହଜାର ଜଣଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟାଯାଉଛି । ଅନ୍ୟପଟେ କମିଶନର କହିଛନ୍ତି ଯୋଜନାର ଏବେ ଶୁଭାରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଅଧିକ ଲୋକଙ୍କୁ ଯୋଡାଯିବ । ଏହା ବାଦ୍ ଅନେକ ହିତାଧିକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇବେ ।

ଗୋଟେ ପଟେ ଜମି ମାଗି କି ମିଳୁନି ଅନ୍ୟପଟେ ଅନେକଙ୍କୁ ଦଖଲଠୁ ଅଧିକ ଜମି ଓଜାଡି ଦେଇଛନ୍ତି । ଯେଉଁଥିପାଇଁ ସର୍ଭେକୁ ନେଇ ପ୍ରଶ୍ନ ଉଠିଲାଣି । ସବୁଠୁ ବଡ ଟେନସନ ସାଜିଛି ପ୍ରିମିୟମ ଟଙ୍କା । ବାଣୀବିହାର ଷ୍ଟେସନ ନିକଟରେ ଥିବା ବିର୍ସାମୁଣ୍ଡା-୨ର ହିତାଧିକାରୀ ତାଲିକାରେ ବସ୍ତିର ୧୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ପ୍ରିମିୟମ ଦେବାକୁ ହୋଇଛି ନୋଟିସ । ଆଉ ପ୍ରିମିୟମ ବି କାହାର ଲକ୍ଷେ ତ କାହାର ୨ ଲକ୍ଷ ଟଙ୍କା । ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ।

ଖାଲି ରାଜଧାନୀରେ ନୁହେଁ ଜୟପୁର ପୌରପରିଷଦରେ ବି ସ୍ଥିତି ସମାନ । ଏଠି ପ୍ରିମିୟମ ଦେଇ ପାରୁନଥିବାରୁ ପଟ୍ଟା ନେଇ ପାରୁନାହାନ୍ତି ହିତାଧିକାରୀ । ପୌରପରିଷଦରେ ୭୫୬ ଜଣ ହିତାଧିକାରୀ ପ୍ରିମିୟମ ଟଙ୍କା ଦେଇ ନପାରିବାରୁ ସେମାନଙ୍କ ପଟ୍ଟା ଏବେ ପୌର ଅଫିସରେ ପଡିରହିଛି । 

୨୪ ନିର୍ବାଚନକୁ ଆଖି ଆଗରେ ରଖି ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ଭୂମି ଅଧିକାର ପ୍ରମାଣ ପତ୍ର ବାଣ୍ଟିଲେ ସରକାର । ହେଲେ ସର୍ଭେରେ ଗଡବଡି ଏବଂ କାର୍ଯ୍ୟକାରିତାର ଅଭାବ ଯୋଗୁଁ ଏବେ ତାହା ବୁମେରାଂ ହେବ ନାହିଁ ତ ?