• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାଗା ମିଶନରେ ହିତାଧିକାରୀଙ୍କୁ ଘାରିଛି ପ୍ରିମିୟମ୍ ଟେନସନ । କାହାକୁ ୭୦ ହଜାର ତ କାହାକୁ ଦେଢ ଲକ୍ଷ ପ୍ରିମିୟମ ଦେବାକୁ ହୋଇଛି ଡିମାଣ୍ଡ ନୋଟିସ । ୩ ଦିନ ଭିତରେ ପ୍ରିମିୟମ ଦାଖଲ କରି ଫର୍ମ-୨ ନେବାକୁ ହେବ । ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ । କାହିଁକିନା ସରକାରୀ ନିୟମ କହୁଛି ୩୨୩ ବର୍ଗ ଫୁଟରୁ ଅଧିକ ଜମି ନେଲେ ଏଥିପାଇଁ ପ୍ରିମିୟମ୍ ଦେବାକୁ ହେବ । ପୁଣି ଇଚ୍ଛା ନଥିଲେ ବି ସର୍ଭେ ଅନୁସାରେ ସ୍ଥିର ହୋଇଥିବା ଜମି ନେବାକୁ ଡିମାଣ୍ଡ ନୋଟିସ ଲାଗିଛି ।

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ । ଏଇ ଯେମିତି ଭୁବନେଶ୍ୱର ଆଇଡି ମାର୍କେଟର ଗାନ୍ଧି ବସ୍ତିରେ ରହୁଥିବା ପରିବା ବେପାରୀ ପ୍ରଶାନ୍ତ କୁମାର ମିଶ୍ର । ୧୫ ବର୍ଷ ହେଲା ପ୍ରଶାନ୍ତ ମାତ୍ର ଦେଢ ଶହ ବର୍ଗ ଫୁଟ୍ ଜମିରେ ରହି ଆସୁଛନ୍ତି । ହେଲେ ଏବେ ଜାଗା ମିଶନରେ ତାଙ୍କୁ ମିଳିଛି ପ୍ରାୟ ୪୦୦ ସ୍କୋୟାର ଫୁଟ୍ ଜମି । କିନ୍ତୁ ଏଥିପାଇଁ ପ୍ରିମିୟମ ବାବଦକୁ ତାଙ୍କୁ ଦେବାକୁ ପଡ଼ିବ ୧ ଲକ୍ଷ ୨୬ ହଜାର ଟଙ୍କା । ଏତେ ଟଙ୍କା କୋଉଠୁ ଆଣିବେ ସେହି ଚିନ୍ତା ଏବେ ଘାରିଛି ପ୍ରଶାନ୍ତଙ୍କୁ । ତେଣୁ ସର୍ଭେକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ରାସନ କାର୍ଡ ଥିବାରୁ ଆର୍ଥିକ ଦୁର୍ବଳ ବର୍ଗ ଅନୁସାରେ ତାଙ୍କୁ ଯେତିକି ମାଗଣା ଦେବାକୁ ପ୍ରାବଧାନ ରହିଛି ସେତିକି ଜମି ଦେବାକୁ ଅନୁରୋଧ କରିଛନ୍ତି ।

ଖାଲି ତାଙ୍କର ନୁହେଁ ସତ୍ୟନଗର, ଝାରପଡା, ଧୀରକୁଟ ଭଳି ଅନେକ ବସ୍ତିବାସିନ୍ଦାଙ୍କ ଅସୁବିଧା ଏହି ଗୋଟିଏ । ସବୁଠୁ ବଡ ଟେନସନ ସାଜିଛି ଡିମାଣ୍ଡ ନୋଟିସ ଅର୍ଥାତ ନୋଟିସ ପାଇବାର ୩ ଦିନ ମଧ୍ୟରେ ଟଙ୍କା ଦାଖଲ କରି ଫର୍ମ-୨ ଆଣିବାକୁ ପଡ଼ିବ । 

ଜାଗା ମିଶନରେ ସରକାରୀ ନିୟମ ରହିଛି ୩୨୩ ବର୍ଗ ଫୁଟ ଯାଏଁ ମାଗଣା ଜମି ଯୋଗାଇଦେବେ ସରକାର । ଜଣେ ହିତାଧିକାରୀ ସର୍ବାଧିକ ୪୮୫ ବର୍ଗ ଫୁଟ ଜମି ପାଇପାରିବ । ୩୨୩ ବର୍ଗ ଫୁଟରୁ ଯେତେ ଅଧିକ ହେବ ସେତିକି ଜମି ପାଇଁ ପ୍ରିମିୟମ ଦେବାକୁ ପଡିବ । ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଜମିର ବେଞ୍ଚ ମାର୍କର ୫ ପ୍ରତିଶତ ଆଉ ଅଣଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ଦେବାକୁ ପଡିବ । କିଏ କେତେ ଜମି ଦଖଲରେ ରଖିଛି ଡ୍ରୋନ ସର୍ଭେ ଅନୁସାରେ ସ୍ଥିର କରିଛନ୍ତି ସରକାର ।

ବିମାନବନ୍ଦର କଟକଣା ପାଇଁ ଡ୍ରୋନ୍ ସର୍ଭେ ହୋଇପାରି ନଥିବାରୁ କିଛି ସ୍ଥାନରେ ଜାଗା ପରିମାଣ ଏପଟସେପଟ ହୋଇଥାଇପାରେ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ ୩ଟି ଜୋନ ଅଫିସ ସହ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଯଦି କିଏ ଅଭିଯୋଗ କରନ୍ତି, ତାହେଲେ ବିଏମସି ଟିମ ଗ୍ରାଉଣ୍ଡକୁ ଯାଇ ପୁଣି ଥରେ ସର୍ଭେ କରିପାରିବ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୧ ହଜାର ବସ୍ତିବାସିନ୍ଦା ପଟ୍ଟା ପାଇବାକୁ ଥିବା ବେଳେ ପ୍ରାୟ ୪୫ ହଜାର ହିତାଧିକାରୀ ଆର୍ଥିକ ଅନଗ୍ରସର  ଶ୍ରେଣୀର । ପ୍ରାୟ ୧୦ ହଜାର ହିତାଧିକାରୀଙ୍କୁ ଫର୍ମ-୨ ବାବଦକୁ ପ୍ରିମିୟମ ଦେବାକୁ ପଡ଼ିବ ।

  • Reported by:
  • SOUMYA RANJAN SAHOO