କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO...ସରକାରଙ୍କ ଆକ୍ସନରେ ଚିହିଁକିଲା ବିଜେଡି

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।

Security Downgrade for Naveen Patnaik

ମୁଖ୍ୟମନ୍ତ୍ରୀ ପଦରୁ ଯିବାର ୫ ମାସ ପରେ କମିଲା ନବୀନଙ୍କ ସୁରକ୍ଷା । ପୂର୍ବରୁ ୨୩ ଜଣିଆ ସୁରକ୍ଷା କର୍ମୀଙ୍କୁ କମାଇ ମାତ୍ର ୨ ଜଣ ପର୍ସନାଲ ସିକ୍ୟୁରିଟି ଅଫିସର ବା PSO ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ସବୁଠୁ ବଡ଼ କଥା ହେଲା ପାଣ୍ଡିଆନଙ୍କ ସୁରକ୍ଷାକୁ ବି ପ୍ରତ୍ୟାହାର କରାଯାଇଛି । ଏମିତି କି IPS କୁଟ୍ଟେଙ୍କ କ୍ୱାର୍ଟର ଜଗିବାକୁ ବି ବିଜେଡି ସରକାର ସମୟରେ ନିୟୋଜିତ ହୋଇଥିବା ୪ ସୁରକ୍ଷା କର୍ମୀ ଏବଂ ୨ ହୋମଗାର୍ଡଙ୍କୁ ପ୍ରତ୍ୟାହର କରାଯାଇଛି ।

ନିର୍ବାଚନର ପ୍ରାୟ ୫ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସୁରକ୍ଷା କର୍ମୀ ପ୍ରତ୍ୟାହାର ହୋଇଛନ୍ତି। ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ଏବେଠୁ ମିଳିବ କେବଳ ୨ ଜଣ ପିଏସ୍ଓ । ପାଇଲଟ୍ ଗାଡ଼ି ବି ଆଉ ରହିବ ନାହିଁ। ସେହିପରି କୌଣସି ପଦପଦବିରେ ନଥିଲେ ମଧ୍ୟ ନିର୍ବାଚନ ପରେ ବି ପାଣ୍ଡିଆନଙ୍କୁ ୨ଜଣ ପିଏସଓ ଜଗୁଥିଲେ । ହେଲେ ତାଙ୍କଠାରୁ ବି ପିଏସଓ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସେହିପରି ବିଜେଡି ସରକାର ସମୟରେ ପାୱାରଫୁଲ ଆଇପିଏସ ଡିଏସ୍ କୁଟ୍ଟେ, ଯାହାଙ୍କୁ ଏବେ ସରକାର ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରିଛନ୍ତି, ତାଙ୍କ ୟୁନିଟ-1 ସ୍ଥିତ କ୍ୱାର୍ଟରକୁ ୪ ସୁରକ୍ଷା କର୍ମୀଙ୍କ ସହ ୨ ହୋମଗାର୍ଡ ଜଗୁଥିଲେ । ସମସ୍ତଙ୍କୁ ସରକାର ପ୍ରତ୍ୟାହାର କରିନେଇଥିବା କୁହାଯାଉଛି । ତେଣେ ନବୀନଙ୍କ ସୁରକ୍ଷା କମିବା ପରେ ଚିହିଁକି ଉଠିଛି ବିଜେଡି । ଅମର ପଟ୍ଟନାୟକଙ୍କ ପରେ ଦଳର ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସରକାରଙ୍କ ଆଚରଣ ଆଚମ୍ବିତ କରିଛି । ନବୀନଙ୍କ ସୁରକ୍ଷାରେ ତ୍ରୁଟି ହେଲେ ତା’ର ଉତ୍ତର ଦାୟିତ୍ୱ ସରକାର ନେବେ । ଯାହାକୁ କାଉଣ୍ଟର କରି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସରକାରୀ ନିୟମ ଅନୁଯାୟୀ କାମ ହେଉଛି। ମୁଁ ବିରୋଧୀ ଦଳରେ ଥିବା ବେଳେ PSO ନେଉ ନଥିଲି । ଶାସନ କାଳରେ କରିଥିବା ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ପାଇଁ ସେମାନଙ୍କୁ ଭୟ ଘାରି ଥିବାରୁ ଅଧିକ ସୁରକ୍ଷା ମାଗୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି ।

ମୁଖ୍ୟମନ୍ତ୍ରୀମାନଙ୍କୁ ସାଧାରଣତଃ Z+ କାଟାଗୋରୀ ସୁରକ୍ଷା ମିଳେ । ଯେଉଁଥିରେ ୧୦ ଜଣ କମାଣ୍ଡୋଙ୍କ ସହ ୫୫ ଜଣ ସୁରକ୍ଷା କର୍ମୀ ରହିଥାନ୍ତି। ଏମାନେ ତିନି ସିଫ୍ଟରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଥାନ୍ତି । ମାତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସର୍ବାଧିକ ୨୬୮ ଜଣ ସୁରକ୍ଷା କର୍ମୀ ନିୟୋଜିତ ହେଉଥିଲେ। ସେହିପରି ବିଜେଡି ସରକାର ସମୟରେ ଚାକିରିରୁ ଅବସର ପରେ ପାଣ୍ଡିଆନଙ୍କୁ ଦିଆଯାଉଥିଲା ସୁରକ୍ଷା କର୍ମୀ । 5T ଅଧ୍ୟକ୍ଷ ଭାବେ ପାଣ୍ଡିଆନ ଯେତେବେଳେ ବେଶ୍ ପାୱାରଫୁଲ୍ ଥିଲେ, ତାଙ୍କୁ ଘେରି ରହୁଥିଲା କଡ଼ା ସୁରକ୍ଷା ବଳୟ । ସାଦା ପୋଷାକରେ ବି ନିୟୋଜିତ ହେଉଥିଲେ ମାଳ ମାଳ ସୁରକ୍ଷା କର୍ମୀ । ଯେଉଁ ବାବଦକୁ ବ୍ୟାପକ ଅର୍ଥ ଅପଚୟ ହେଉଥିଲା ବୋଲି ବି ବିରୋଧୀ ଦଳ ଭାବେ ବିଜେପି ପ୍ରଶ୍ନ ଉଠାଇଥିଲା।

ଅନ୍ୟପଟେ କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସରକାର ସମୟରେ ଗତ ୭ ମାସ ହେବ ପିଏସ୍ଓ ହଟାଯାଇଥିବା ଅଭିଯୋଗ କରିଛନ୍ତି ଗିରିଧର ଗମାଙ୍ଗ । ତାଙ୍କର ଏହି ଅଭିଯୋଗ ପରେ ନୂଆ ସରକାର ଜଣେ ପିଏସଓ ନିଯୁକ୍ତ କରିଥିବା ଜଣାପଡିଛି । ଅନ୍ୟପଟେ ସୁରକ୍ଷା କର୍ମୀ
ହ୍ରାସ ପ୍ରସଙ୍ଗରେ ପୋଲିସ ଡିଜି କହିଛନ୍ତି, ଏହା ଏକ ନିୟମିତ ପ୍ରକ୍ରିୟା । ରାଜ୍ୟସ୍ତରୀୟ ସୁରକ୍ଷା କମିଟି ଏହାକୁ ସମୀକ୍ଷା କରେ । ଗ୍ରାଉଣ୍ଡରେ ଆବଶ୍ୟକତା, ଗୁଇନ୍ଦା ସୂଚନାକୁ ଆଧାର କରି କାହାକୁ କିଭଳି ସୁରକ୍ଷା ଯୋଗାଇଦିଆଯିବ, ସେ ବାବଦରେ ନିଷ୍ପତି ନିଆଯାଏ ।