ହାରିବା ପରେ ମୁହଁ ଖୋଲିଲେ ସମ୍ବିତ; କହିଲେ, ‘ନବୀନ ହାରିନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି’

ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Sambit Routray

ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ନିର୍ବାଚନର ମାସକ ପରେ ବିସ୍ଫୋରଣ କରିଛନ୍ତି ସମ୍ବିତ। ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ‘ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତା ମାନେ ଆଲୋଚନା କରୁଛନ୍ତି । ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ୍‌ ହେବାର ଆଶଙ୍କା ରହିଛି। ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି । ଏମିତିକି ପଞ୍ଚାୟତ ପିଛା ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କା ଦେଲେ । ପୁରା ଭଣ୍ଡାର ଖୋଲିଦେଲେ। ତଥାପି ଲୋକ ଆମକୁ ହରାଇଲେ। ପରାଜୟର ଅନେକ କାରଣ ଅଛି। ତେବେ ଗତ ନିର୍ବାଚନରେ ହାରିବାର କାରଣ ପାଣ୍ଡିଆନ ବୋଲି ପ୍ରଶ୍ନରେ ସମ୍ବିତ ରାଉତରାୟ କହିଛନ୍ତି ଯେ, ପରାଜୟର ଅନେକ କାରଣ ଅଛି ହୁଏ ତ ଏଇଟା ବି ଥାଇପାରେ’।

ତେବେ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ମଧ୍ୟ ପରାଜୟକୁ ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ବୁଝାମଣା ଅଭାବରୁ ଚଳିତ ନିର୍ବାଚନରେ ହାରିଲା ବିଜେଡି । ଏମିତି ଅବସ୍ଥା ଭୋଗିଲା । ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି ।

ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କଥା କହିଥିଲି । କଟକ ମହାନଦୀବିହାର ସେଲିବ୍ରେସନ୍ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦବୋଧନ ବେଳେ ଏକଥା କହିଥିଲେ ପ୍ରଭାତ ବିଶ୍ବାଳ । ସେଠାରେ ମଧ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା କୁହାଯାଇଥିଲା ।

ସୂଚନା ଅନୁସାରେ ଗତ ୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା । ନିର୍ବାଚନରେ ବିଜେଡିର ଦୁର୍ଗ ପତନ ହେବା ପରେ ସିଧା ଶଙ୍ଖ ଭବନରେ ଶୁଭିଥିଲା ବିଦ୍ରୋହର ଧ୍ୱନି । ଶୁଭିଥିଲା ପାଣ୍ଡିଆନ୍ ବିରୋଧୀ ନାରା । ଅସନ୍ତୋଷ ଏତେ ଚରମ ସୀମାରେ ପହଞ୍ଚିଥିଲା ଯେ, ବିଜେଡି ମୁଖ୍ୟାଳୟରେ ଦଳର ଯୁବ-ଛାତ୍ର କର୍ମୀମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପାଣ୍ଡିଆନ୍ ମୁର୍ଦ୍ଦାବାଦର ସ୍ଲୋଗାନ୍ ଦେଇଥିଲେ । ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ବିରୋଧରେ ବି କରିଥିଲେ ଜୋରଦାର ନାରାବାଜି ।