Advertisment

ସମ୍ବଲପୁର ମହାନଗର ନିଗମ ପାଇଁ ଫିଟିଲା ନିର୍ବାଚନ ରାସ୍ତା; କେବେ ଖୋଲିବ ରାଉରକେଲା ଭାଗ୍ୟ ?

ଦୀର୍ଘ ୧୨ ବର୍ଷ ପରେ ଏଣିକି ନିର୍ବାଚିତ ଜନପ୍ରତିନିଧି ବୁଝିବେ ସମ୍ବଲପୁର ମହାନଗର ନିଗମର ହାଲଚାଲ୍। ସଂରକ୍ଷଣକୁ ନେଇ ଆଇନଗତ ପ୍ରତିବନ୍ଧକ ହଟିଲା ପରେ ପ୍ରଥମ ଥର ପାଇଁ ଏସ୍ଏମସିରେ ଚାଲିବ ଲୋକତାନ୍ତ୍ରିକ ଶାସନ।

author-image
Debadatta Aryashrestha
SMC Election

SMC Election

ସମ୍ବଲପୁରରେ ଉତ୍ସାହ, ଏବେ ବି ଅନ୍ଧାରରେ ରାଉରକେଲା ବାସିନ୍ଦା। ଆମେ କହୁଛୁ ଏ ଦୁଇ ମହାନଗର ନିଗମର ନିର୍ବାଚନ ସ୍ଥିତିକୁ ନେଇ। କାରଣ ଆଇନଗତ ବିବାଦରେ ଛନ୍ଦି ହୋଇ ଗଠନ ହେବା ପରଠୁ ନିର୍ବାଚନ ଦେଖିନି ଏ ଦୁଇ ମହାନଗର ନିଗମ। ୟା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି। ଏଥିପାଇଁ ସମ୍ବଲପୁରରେ ପ୍ରବଳ ଉତ୍ସାହ। ହେଲେ ରାଉରକେଲା ଭାଗ୍ୟ କେବେ ଫିଟୁଛି ତାକୁ ନେଇ ଚର୍ଚ୍ଚା।

Advertisment

୨୦୧୩ ମସିହାରେ ବୁର୍ଲା, ହୀରାକୁଦ ଏନଏସି ଓ ସମ୍ବଲପୁର ପୌରପରିଷଦକୁ ମିଶାଇ ସମ୍ବଲପୁରକୁ ମହାନଗର ନିଗମ ଘୋଷଣା କରାଯାଇଥିଲା। କିନ୍ତୁ ଗଠନର ୧୨ ବର୍ଷ ପରେ ବି ନିର୍ବାଚନ ହୋଇ ପାରୁନଥିଲା। ତାର କାରଣ ଥିଲା ୨୦୧୫ ମସିହାରେ ନବଗଠିତ ମହାନଗର ନିର୍ବାଚନ ପାଇଁ ପ୍ରକାଶିତ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି। ଯେଉଁଥିରେ ସଂରକ୍ଷଣ ନିୟମକୁ ଜଳାଞ୍ଜଳି ଦିଆଯାଇ ସଂରକ୍ଷିତ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ରଖାଯାଇଥିବା ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ ଅଜୟ ମହାନ୍ତି ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ତେବେ ହାଇକୋର୍ଟ ୨୦୧୫ ଏପ୍ରିଲରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିବାରୁ ଆଇନଗତ ବିବାଦରେ ଛନ୍ଦି ହୋଇ ସେବେଠୁ ଆଉ ନିର୍ବାଚନ ବାଟ ବି ବନ୍ଦ ହୋଇଯାଇଥିଲା।

ନିର୍ବାଚିତ ଜନପ୍ରତିନିଧିଙ୍କ ବିନା ସ୍ୱାସ୍ଥ୍ୟ, ପରିମଳ, ପାଣି ବିଜୁଳି ଭଳି ସମସ୍ୟାର ସମାଧାନ ସହ ଉନ୍ନୟନମୂଳକ କାର୍ଯ୍ୟରେ ଗତି ଧରିପାରୁ ନଥିଲା, ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ସ୍ଥିତି ଲାଗି ରହୁଥିଲା। ହେଲେ ଗତକାଲି କୋର୍ଟ ପୂର୍ବ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ସଂରକ୍ଷଣ ନିୟମ ଆଧାରରେ ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଉତ୍ସାହିତ ସମ୍ବଲପୁର ବାସିନ୍ଦା। ସେପଟେ ରାଜନୀତି ବି ଜୋର। ପୂର୍ବରୁ ବିଜେପି ଆଡକୁ ଦୋଷ ଲଦୁଥିବା ବିଜେଡି ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରି ଶୀଘ୍ର ନିର୍ବାଚନ ପାଇଁ ଦାବି କରିଥିଲା ବେଳେ ନିର୍ବାଚନ ହାରିଯିବା ଆଶଙ୍କାରେ ପୂର୍ବ ବିଜେଡି ସରକାର ଆଇନଗତ ପ୍ରତିବନ୍ଧକ ଦୂର ପାଇଁ ଆଗ୍ରହ ପ୍ରକାଶ କରୁନଥିଲେ କହି ଟାର୍ଗେଟ୍ କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର।

Advertisment

୧୨ ବର୍ଷ ପରେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା। ହେଲେ ଏବେ ବି ଅନ୍ଧାରରେ ରାଉରକେଲା ମହାନଗର ନିଗମ ବାସିନ୍ଦା। ଏଠି ବି ଆଇନଗତ ମାମଲାରେ ଛନ୍ଦି ହୋଇ ସମାନ ସ୍ଥିତି। ୨୦୧୪ରେ ମହାନଗର ନିଗମ ଘୋଷଣା ପରଠୁ ନିର୍ବାଚନ ହୋଇନି। ତାର କାରଣ ହେଉଛି ଆରଏମସିରେ ପାଖ ଜଗଦା ଓ ଝାଡ଼ତରଙ୍ଗ ପଞ୍ଚାୟତକୁ ମହାନଗଗର ନିଗମରେ ସାମିଲ ପାଇଁ ୨୦୧୫ରେ ହାଇକୋର୍ଟରେ ହୋଇଥିବା ମାମଲା। ପୂର୍ବ ବିଜେଡି ସରକାର ହାଇକୋର୍ଟ କେସ୍ ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବର୍ଷେ ବିତିଥିଲେ ବି ସ୍ଥିତି ଯେଉଁଠି ସେଇଠି। ତେଣୁ ଅସନ୍ତୋଷ ବଢୁଥିଲାବେଳେ ସରକାରୀ ଦଳର ଯୁକ୍ତି ନିର୍ବାଚନ ପାଇଁ ଖୁବଶୀଘ୍ର ରାସ୍ତା ବାହାରିବ। ଏବେ ଅପେକ୍ଷା ଗଠନ ହେବା ପରଠୁ ନିର୍ବାଚନ ଦେଖିପାରିନଥିବା ଏ ଦୁଇ ମହାନଗର ନିଗମ କେବେ ଦେଖୁଛି ନିର୍ବାଚିତ ଲୋକପ୍ରତିନିଧିଙ୍କ ଶାସନ।

Sambalpur Odisha News Rourkela Municipal Elections Odisha Politics
Advertisment
Advertisment