SHG
SHGରେ କେନ୍ଦ୍ର ଭାଗିଦାରୀ କଥା ପଦାକୁ ଆସିବା ପରେ ବ୍ୟତିବ୍ୟସ୍ତ ହୋଇ ପଡିଛି କି ବିଜେଡି । ଏସଏଚଜିକୁ କେନ୍ଦ୍ର ବଜେଟରେ ଦିଆଯାଇଥିବା ଗୁରୁତ୍ୱ କଥା ସୀତାରମଣ କହିବା ପରେ ଶ୍ରେୟ ଚାଲିଯିବା ଆଶଙ୍କାରେ ତରବରିଆ ଭାବେ ଶାସକ ଦଳ ଦେଇଛି ମିଶନ ଶକ୍ତି କର୍ମୀଙ୍କୁ ସ୍କୁଟି ଓ ଲାପଟପ୍ ଅଫର । ହେଲେ ଏହା ଋଣରେ ମିଳିବା ଶୁଣି ଚିନ୍ତାରେ ମିଶନ ଶକ୍ତି କର୍ମୀ ।
ଦାବି ହାସଲ ନେଇ ରାଜଧାନୀରେ ଗତକାଲିର ଗର୍ଜନବେଳେ ମିଶନ ଶକ୍ତି କର୍ମୀଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା । ଖାଲି ସେ ନୁହଁନ୍ତି ତାଙ୍କ ଭଳି ସବୁ କର୍ମୀଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ବି ଜଳଜଳ ବାରି ହୋଇ ପଡୁଥିଲା । ସମସ୍ତଙ୍କ ମୁହଁରେ ଥିଲେ ସେଇ ଗୋଟିଏ କଥା ନିର୍ବାଚନବେଳେ ସରକାର କାମରେ ଲଗାଉଛନ୍ତି ହେଲେ ପରେ ଭୁଲି ଯାଉଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?
ଏଭଳି ତୀବ୍ର ଅସନ୍ତୋଷ ପରେ ସରକାର ଦେଲେ କି ଲୋଭନୀୟ ଅଫର । ମିଳିବ ସ୍କୁଟି ଓ ଲାପଟପ୍ । ମହିଳା ଭୋଟ୍ ବ୍ୟାଙ୍କ ମଜଭୁତ୍ କରିବାକୁ ପ୍ରୟାସ କରୁଛି କି ବିଜେଡି । ଏମିତିକି ନିଜେ ଡାହାଣୀ ହୋଇ ଲାଗୁଛି ଓ ଗୁଣିଆ ହୋଇ ଝାଡୁଛ କି ଶାସକ ଦଳ । ଏଣେ କିନ୍ତୁ ବିଜେଡିର ମିଶନ ଶକ୍ତି ଭୋଟବ୍ୟାଙ୍କକୁ କାଉଣ୍ଟର ଲାଗି ଅଣ୍ଟା ଭିଡିଛି ବିଜେପି ।
ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ କରାଯାଉନି ତ ?
ଯାହାକୁ ନେଇ ଏବେ ତେଜିଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ବଡ ଭୋଟ ବ୍ୟାଙ୍କ ଭାବେ ମିଶନ ଶକ୍ତିକୁ ବ୍ୟବହାର କରୁଛି ଶାସକ ଦଳ । ଯାହାର ଜବାବ ରଖିଛି ବିଜେଡି । ଏପଟେ କିନ୍ତୁ ସରକାରଙ୍କ ଅତର୍କିତ ଅଫର ପରେ ଅସନ୍ତୋଷ କମିବା ବଦଳରେ ତୀବ୍ର ହେଉଛି । କାହିଁକି ନା ମାଗଣାରେ ନୁହେଁ ବରଂ ବ୍ୟାଙ୍କରୁ ଋଣ ନେଇ କିଣିବାକୁ ହେବ ସ୍କୁଟି ଓ ଲାପଟପ୍ ।
ଯେହେତୁ ଋଣ ସୁଝିବାକୁ ହେବ ତେଣୁ ଚିନ୍ତାରେ ସ୍ୱୟଂ ସହାୟକ ଗୋଷ୍ଠୀର ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷକ ମିତ୍ର, ପ୍ରାଣ ମିତ୍ର। ଗୋଟିଏ ପଟେ ଦରମା ବଢାଇବା ପାଇଁ ଦାବି କରି ଆସିଥିବା ଏସଏଚଜି କର୍ମୀ ପରେ ଋଣ ଜାଲରେ ଛନ୍ଦି ହୋଇଯିବା କଥା ଶୁଣି ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ମନେ କଲେଣି ।
ତେଣେ ଆନ୍ଦୋଳନବେଳେ ଏଭଳି ପ୍ରତିଶ୍ରୁତି ଦେଇଥିବା ବିଜେଡି ନେତା ସୁବାସ ସିଂ ବି କହିଲେଣି ମାଗଣା ସ୍କୁଟି ଦିଆଯିବା କଥା ଏବେ ବିଚାରଧୀନ ରହିଛି ।ଟଙ୍କିକିଆ ଚାଉଳ ଭୋଟ୍ ବ୍ୟାଙ୍କରୁ ବିଜେଡିର ଚେର କାଟିବା ପରେ ଏବେ ମିଶନ ଶକ୍ତିରେ କେନ୍ଦ୍ର ଭାଗିଦାରୀର ତଥ୍ୟ ପଦାକୁ ଆଣି ଭୋଟ ବ୍ୟାଙ୍କ ବିଉପରେ ବିଜେପିର ଆଖି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/SHG_1676992866.jpg)