• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲ୍‌ଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପ୍‌ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୁବେନଙ୍କ ତଥ୍ୟକୁ ନେଇ ବିଜେଡି ଭିତରୁ ବି ପରୋକ୍ଷ ସ୍ୱୀକାରୋକ୍ତି ମିଳିଛି । ତେବେ ବହିକୁ ନେଇ ନବୀନ କିମ୍ବା ପାଣ୍ଡିଆନଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ, 'ନବୀନ ପଟ୍ଟନାୟକ- The authoritative biography revised after 2024 election' । ପୁସ୍ତକର ସବୁଠାରୁ ଚର୍ଚ୍ଚିତ chapter ହେଲା ପାଣ୍ଡିଆନ୍ ପଜଲ୍। ନବୀନ ଓ ବିଜେଡି ଉପରେ କିପରି ପାଣ୍ଡିଆନ୍‌ଙ୍କର ପ୍ରଭାବ ପଡିଛି ତା ଉପରେ ଆଲୋକପାତ କରାଯାଇଛି ପୁସ୍ତକରେ ।

କିଭଳି ପାଣ୍ଡିଆନଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହୋଇଥିଲା ତାହା ବି ବର୍ଣ୍ଣିତ ଅଛି । ପାଣ୍ଡିଆନ୍ କିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ନେଇ କୋଟେରୀ ଗଠନ କରି ଶାସନ କଳକୁ ଅକ୍ତିଆର କରିବା ସହ ନିର୍ବାଚନ ପରିଚାଳନା କରୁଥିଲେ । ୨୦୧୯ରେ ପାଣ୍ଡିଆନ୍ ନିର୍ବାଚନ ପରିଚାଳନା କରୁଥିବା ବେଳେ ୨୦୨୪ରେ ନିଜେ ପ୍ରଚାରକୁ ଓହ୍ଲାଇଥିଲେ ଆଉ ଅଫିସରଙ୍କୁ ଭୁବନେଶ୍ୱର କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ଦେଇଥିଲେ ।

ଯାହା କି ବିଜେଡି ପରାଜୟର ବଡ଼ କାରଣ ବୋଲି ରୁବେନ୍ ଲେଖିଛନ୍ତି । ୨୦୧୮ ବେଳକୁ ପାଣ୍ଡିଆନଙ୍କ ପ୍ରଭାବ ବିଜେଡ଼ି ଉପରେ ଅଧିକ ପଡିଥିଲା । ଯାହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ପୂର୍ବତନ ମନ୍ତ୍ରୀ ଓ ବିଜେପି ନେତା ସମୀର ରଞ୍ଜନ ଦାଶ ମଧ୍ୟ ପାଣ୍ଡିଆନଙ୍କ କୋଟେରୀର ପ୍ରାଦୁର୍ଭାବକୁ ସ୍ୱୀକାର କରିଛନ୍ତି ।

ଅଧିକ ପଢ଼ନ୍ତୁ:ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

୨୦୨୪ ନିର୍ବାଚନରେ ବିଜେଡି ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଥିଲା । କିନ୍ତୁ କେବଳ ପାଣ୍ଡିଆନଙ୍କୁ ଛାଡ଼ିଦେଲେ ଆଉ କେହି ମଇଦାନରେ ନଥିଲେ । ପ୍ରଚାର ସଭା ମଞ୍ଚରେ ପାଣ୍ଡିଆନଙ୍କ ଛଡ଼ା ଅନ୍ୟ କୌଣସି ଜନ ପ୍ରତିନିଧି ରହୁନଥିଲେ । ଯେଉଁଥିପାଇଁ ଲୋକେ ଅତିଷ୍ଠ ହୋଇଥିଲେ । ବିଜେପି ଅଣଓଡ଼ିଆ ଭି.କେ ପାଣ୍ଡିଆନ୍‌ଙ୍କୁ ମୁଖ୍ୟ ମୁଦ୍ଦା କରିଥିଲା ।

ଓଡ଼ିଆ ଅସ୍ମିତା କଥା ଉଠିଥିଲା । ଏହାସହ ବିଜେପି ସହିତ କିପରି ମେଣ୍ଟ କରିବାକୁ ପାଣ୍ଡିଆନ୍ ବାରମ୍ବାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟୁଥିଲେ ତାହା ରୁବେନ୍ ନିଜ ବହିରେ ଲେଖିଛନ୍ତି । ସେପଟେ ମେଣ୍ଟ ଏକ ପ୍ରକାର ସ୍ଥିର ଥିବାବେଳେ ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ କମିଟିକୁ ବୁଝାଇଥିଲେ ମେଣ୍ଟ ନକରିବାକୁ ।

ଲୋକ ମତ ବଦଳୁଛି, ଯଦି ମେଣ୍ଟ ହୁଏ ତେବେ କଂଗ୍ରେସ ଓଡ଼ିଶାରେ ଫାଇଦାରେ ରହିବ ବୋଲି ରାଜ୍ୟ ନେତୃତ୍ୱ ଜିଦି କରିବା ପରେ ମେଣ୍ଟ ଚର୍ଚ୍ଚା ଥମି ଥିଲା । ସେହିପରି ନବୀନଙ୍କ ଭଉଣୀ ସ୍ୱର୍ଗତ ଗୀତା ମେହେଟ୍ଟା ଚିକିତ୍ସାଧିନ ଅବସ୍ଥାରେ ପାଖ ଲୋକଙ୍କୁ ପଚାରୁଥିଲେ ଯେ ପାଣ୍ଡିଆନ୍ ଭ୍ରମିତ କରୁନାହାନ୍ତି ତ ନବୀନଙ୍କୁ ।

ଅର୍ଥାତ ପାଣ୍ଡିଆନଙ୍କ ଉପରେ ଗୀତା ମେହେଟ୍ଟାଙ୍କ ସନ୍ଦେହ ଥିଲା । ଗୀତାଙ୍କୁ କିଏ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିବେ ସେକଥା ବି ବୁଝୁଥିଲେ ପାଣ୍ଡିଆନ୍ । ଅର୍ଥାତ୍ ନବୀନଙ୍କୁ ସଂପୂର୍ଣ୍ଣ ଭାବେ ଅକ୍ତିଆର କରି ରଖିଥିଲେ ପାଣ୍ଡିଆନ୍ ବୋଲି ରୁବେନଙ୍କ ପୁସ୍ତକରୁ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏହି ପୁସ୍ତକ ଓ ଏଥିରେ ବର୍ଣ୍ଣିତ ଘଟଣାବଳୀ ସଂପର୍କରେ ନବୀନ କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ:ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

OTV is now on Whatsapp

Join and get latest news update delivered to you via whatsapp

Join Now