ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କେମିତି ଉଡ଼ିଛି ଆଖିବୁଜା ଅର୍ଥ ? RTIରୁ ମିଳିଲା ଆଖି ଖୋସା ତଥ୍ୟ

ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା।

VK Pandian

ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ତ ହିସାବ ନାହିଁ । ଗୋଟିଏ ଗୋଟିଏ କାମକୁ ଦି-ତିନି ଜଣ ଠିକାଦାର, ତିନି ତିନି ଥର ଖର୍ଚ୍ଚ । କେଉଁଠି ହେଲିପ୍ୟାଡ୍ ପାଇଁ ବ୍ୟାରିକେଡ୍ ବନ୍ଧା ତ କେଉଁଠି ସଭାସ୍ଥଳ ନିର୍ମାଣ, କୋଟି କୋଟି ଟଙ୍କାର କାମ ହୋଇଛି । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ଏହ ତଥ୍ୟ ମିଳିଛି ଆରଟିଆଇରୁ । ଭାତ ହାଣ୍ଡିରୁ ଗୋଟିଏ ଭଳି ଇଏ ତା’ର ଏକ ତଥ୍ୟ ।

ସ୍ଥାନ- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚଣ୍ଡେଶ୍ବର ପଡିଆ । ୨୦୨୩, ୧୯ରୁ ୨୧ ଅଗଷ୍ଟ । ଠିକାଦାର ପୁଷ୍ପିତା ମଙ୍ଗରାଜ । ପ୍ରଥମେ ହେଲିପ୍ୟାଡ୍ ଓ ବ୍ୟାରିକେଡ୍ ନିର୍ମାଣ ପାଇଁ ୪ ଲକ୍ଷ ୨୨ ହଜାର ଖର୍ଚ୍ଚ । ପରେ ସେହି ସ୍ଥାନର ସଫାସୁତୁରା ପାଇଁ ୪ ଲକ୍ଷ ୨୩ ହଜାର ୪୯୦। ଜନଶୁଣାଣି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ଟଙ୍କା ।

ସେହିପରି ଆଉ ଜଣେ ଠିକାଦାର ହେଉଛନ୍ତି ଜଗବନ୍ଧୁ ବିଶ୍ବାଳ । ସ୍ଥାନ- ଟାଙ୍ଗୀ, ନାଚୁଣୀ ହାଇସ୍କୁଲ ପଡ଼ିଆ । ସମାନ ତାରିଖରେ ଏଠି ବି ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୬୫୯ ଏବଂ ସଫାସୁତୁରା ବାବଦରେ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୩୬୨ ଟଙ୍କା। ଏମିତି ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ଜନଶୁଣାଣି ପାଇଁ ଟାଙ୍ଗୀ ଭଳି ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ ତତକାଳୀନ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ସଫାସୁତୁରା ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଯାହାର ତଥ୍ୟ ଓ ପ୍ରମାଣ ମିଳିଛି ଆରିଟିଆଇରୁ ।

ସେହିପରି ସମ୍ବଲପୁରରେ ୨୦୨୩ରେ ୭ ଥର ଏବଂ ୨୦୨୪ରେ ୯ ଥର ଯାଇଛନ୍ତି । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦ ଲକ୍ଷ ୫୦ ହଜାର । ଅନୁଗୁଳରେ ୨୩-୨୪ରେ ପ୍ରାୟ ୫୬ ଲକ୍ଷ ୨୧ ହଜାର, ସୁନ୍ଦରଗଡ ଓ ରାଉରକେଲାରେ ପ୍ରାୟ ୧୭ ଲକ୍ଷ ୫୨ ହଜାର ଟଙ୍କା । ସୂଚନା ଅଧିକାର କର୍ମୀଙ୍କୁ କେବଳ ହାତ ଗଣତି କିଛି ଜିଲ୍ଲାରୁ ମିଳିଥିବା ଏ ହେଉଛି ତା’ର ପ୍ରମାଣ । ପୁରୀ, ମାଲକାନଗିରି, କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାର ଖର୍ଚ୍ଚ ବି ରହିଛି ।

ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, ପାଣ୍ଡିଆନ ଚାକିରିରେ ଥିବା ସମୟରେ ଏବଂ ଚାକିରି ଛାଡିବାପରେ ଗସ୍ତ କରିଥିବା ହେଲିକପ୍ଟର ବାବଦ ସମସ୍ତ ଖର୍ଚ୍ଚର ବିଧିବଧ ତଦନ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଯେଉଁମାନେ ସରକାରୀ ରାଜକୋଷକୁ ଅପବ୍ୟବହାର କରିଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

୨୦୨୩ ପରେ ଲୋକଙ୍କ ଠାରୁ କେବଳ ଅଭିଯୋଗ ପତ୍ର ଆଣିବା ପାଇଁ ପାଣ୍ଡିଆନ୍ ରାଜ୍ୟ ତମାମ ପ୍ରାୟ ୨ ଶହ ଥର ଗସ୍ତ କରିଥିବା ସୂଚନା ମିଳିଛି। ସେପଟେ ହେଲିକପଟର ଗସ୍ତ ନେଇ ଭିକେ ପାଣ୍ଡିଆନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।