Advertisment

Reason Behind BJD Defeat: ବିଜେଡି ପରାଜୟ ପଛରେ ଦୋଷ କାହାର...ଖେଳାଳୀର ନା ଗୋଟିର ?

ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢ଼ିର ଉତ୍‌ଥାନ ଉପରେ ଅତ୍ୟନ୍ତ କୁଶଳୀ ଭାବେ ବ୍ରେକ୍ ଲଗାଇଥିଲେ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ବିଜେଡି ପରାଜୟ ପଛର କାରଣ

ବିଜେଡି ପରାଜୟ ପଛର କାରଣ

ରାଜନୀତି ଏକ ପଶାପାଲି ଭଳି ଏକ ଚତୁର କ୍ରୀଡା ବୋଲି କୁହାଯାଏ । କେହି କେହି ଏହାକୁ ରୋମାଚଂକର ଚେସ୍ ଖେଳ ସହିତ ତୁଳନା କରିଥାନ୍ତି । ଏହି ଖେଳ ଖେଳିବାକୁ ହେଲେ ବେଶ୍ ଚତୁରତାର ସହିତ ତଥା ଧ୍ୟାନ ନିବେଶ କରି ଗୋଟି ଚଳନା କରିବାକୁ ହେବ । ସାମାନ୍ୟ ଭୂଲ୍ ହେଲେ ପ୍ରତିପକ୍ଷ କେବଳ ପରବର୍ତ୍ତି ଗୋଟି ଚାଳନା ଳାଗି ପଥ ଓଗାଳି ନଥାଏ, ଏକ ଶକ୍ତ ପରାଜୟ ଦେବାରେ କୌଣସି ତ୍ରୁଟି କରିନଥାଏ ।

Advertisment

ଓଡ଼ିଶା ରାଜନୀତିର ପଶାପାଲିରେ ଅତୀତରେ ହରେକୃଷ୍ଣ ମହତାବ ଓ ଜାନକୀ ପଟ୍ଟନାୟକଙ୍କ ଭଳି ବହୁ ବିଚକ୍ଷଣ ରାଜନୈତିକ ବ୍ୟକ୍ତି ବେଶ୍ ଚତୁରତାର ସହିତ ଗୋଟି ଚାଳନା କରିଥିବା ଏବଂ ଏଥିଯୋଗୁ ବହୁ ପରିମାଣରେ ସଫଳତା ହାସଲ କରିଥିବା ସମସ୍ତେ ଜାଣନ୍ତି । ବିଜୁ ପଟ୍ଟନାୟକ କିନ୍ତୁ ସାଧାସିଧା ପଲିଟିକ୍ସରେ ବିଶ୍ୱାସ କରୁଥିଲେ । ତେଣୁ ତାଙ୍କର ବ୍ୟାପକ ଜନାଦୃତି ଥିଲେ ମଧ୍ୟ ସେ ମହତାବ କିମ୍ବା ଜାନକୀଙ୍କ ଭଳି ସେତେଟା ସଫଳତା ପାଇପାରିନଥିଲେ କି ଲମ୍ବା ସମୟ ଲାଗି କ୍ଷମତା ରାଜନୀତିରେ ରହିପାରିନଥିଲେ ।

କିନ୍ତୁ ଓଡ଼ିଶା ଚଳିତ ଶତାବ୍ଦୀର ପ୍ରଥମ କ୍ୱାର୍ଟର ବା ୨୦୦୦ରୁ ୨୦୦୪ ମସିହା ସବୁଠାରୁ ଜଣେ ବିଚକ୍ଷଣ ରାଜନୈତିକ ବ୍ୟକ୍ତିଙ୍କୁ ଦେଖିଲା । ସେ ବ୍ୟକ୍ତି ଆଉ କେହି ନୁହନ୍ତି, ସେ ହେଉଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଭାଷା,  ଓ ପାଣିପବନ ସମ୍ପର୍କରେ ସେ ସେତେଟା ଜାଣନଥିଲେ ମଧ୍ୟ ନିଜର ଏକ ଚେହେରାକୁ ବେଶ୍ ସରଳ ଓ ଆମାୟିକ ଭାବେ ପ୍ରଦର୍ଶିତ କରି ଜନସାଧାରଣଙ୍କ ବିଶ୍ୱାସ ଓ ଭରସାକୁ ବେଶ୍ ଜିତି ପାରିଥିଲେ ।

Advertisment

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ବିଜେଡି ଦଳର ଜନ୍ମ ହୋଇଥିଲା । ହେଲେ ଏଥିରେ ନବୀନଙ୍କ ଭୂମିକା ଅପେକ୍ଷା ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ବ୍ରଜ କିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ, ଅର୍ଜୁନ ସେଠୀ, ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂହଦେଓ ଓ କମଳା ଦାସ ପ୍ରଭୃତିଙ୍କ ବେଶ୍ ପ୍ରମୂଖ ଭୂମିକା ରହିଥିଲା । ହେଲେ କ୍ଷମତାକୁ ଆସିବାର ଅଳ୍ପ ଦିନ ପୂର୍ବରୁ ନବୀନ ତାଙ୍କର ଅସଲ ରୂପ ଦେଖାଇ ବିଜୟ ମହାପାତ୍ରଙ୍କୁ ଦଳର ବହିଷ୍କାର କରିଥିଲେ । ନିର୍ବାଚନ ପରେ ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ବହୁ ନେତାଙ୍କୁ ସେ ଦଳରୁ ବାହାର କରି ଆଉ ଏକ ଜେନେରେସନ ବା ପିଢିର ନେତା ତିଆରି କଲେ । ଏଥିରେ ତାଙ୍କର ମାର୍ଗଦର୍ଶକ ଥିଲେ ସ୍ୱର୍ଗତ ପ୍ୟାରିମୋହନ ମହାପାତ୍ର ।

ଏହି ପିଢିର ପ୍ରମୂଖ ଚେହେରା ହେଲେ କଳ୍ପତରୁ ଦାସ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମା । ଦ୍ୱିତୀୟ ପୀଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢୀର ଉତ୍‌ଥାନ ଉପରେ ଅତ୍ୟନ୍ତ କୁଶଳତାର ସହିତ ବ୍ରେକ୍ ଲଗାଇଥିଲେ ।

ଦ୍ୱିତୀୟ ପିଢିକୁ ଚେକ୍ ଦେବା ପାଇଁ ବା ସେମାନଙ୍କର ଅଭ୍ୟୁଥାନକୁ ରୋକିବା ପାଇଁ ଭୈରବ କାର୍ତିକେୟନ ପାଣ୍ଡିୟାନଙ୍କ ମାଧ୍ୟମରେ ସୃଷ୍ଟି କରାଗଲା ତୃତୀୟ ପିଢି । ଏହାର ନେତୃତ୍ୱରେ ରହିଲେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହିତ ମାନସ ମଙ୍ଗରାଜ ଓ ଆଉ କିଛି ନେତା ରହିଲେ । ଡିଏସ୍ କୁଟେ ଓ ଆଶିଷ ସିଂହଙ୍କ ଭଳି ପ୍ରଶାସକଙ୍କ ସହାୟତାରେ ସେ ନିଜର ଶାସନ ଚଳାଇଲେ । ଦ୍ୱିତୀୟ ପିଢି ନେତା ତୃତୀୟ ପିଢି ନେତାଙ୍କ ଆଧିପତ୍ୟକୁ ଏକ ପ୍ରକାର ସ୍ୱୀକାର କରିନେଥିବା ଦେଖାଯାଇଥିଲା ।

ଏହା ମଧ୍ୟରେ ଆଉ ଏକ ଘଟଣାକ୍ରମ ବିଜେଡି ସଙ୍ଗଠନ ମଧ୍ୟରେ ପର୍ଯ୍ୟାୟ କ୍ରମେ ଘଟି ଚାଲିଥିଲା । ତାହା ହେଲା ପ୍ରଶାସକ ତଥା ପରେ ରାଜନେତା ସାଜିଥିବା ଭୈରବ କାର୍ତିକେୟନ ପାଣ୍ଡିୟାନ ତୃତୀୟ ପିଢିର ନେତାମାନଙ୍କୁ ନିଜର ବଶ୍ୟତା ସ୍ୱୀକାର କରାଇ ଆପଣାର ରାଜନୈତିକ ଉଦ୍ଦ୍ୟେଶ ଚରିତାର୍ଥ କରିବା ପାଇଁ ଲାଗି ପଡିଥିଲେ । ନବୀନଙ୍କୁ ଏକ ପ୍ରକାର ବୁଝାଇ ଦିଆଯାଇଥିଲା ଯେ ବିଜେଡି ରାଜ୍ୟରେ ଏକ ପ୍ରକାର ଦୃଢ ସ୍ଥିତିରେ ଅଛି । ସେ ପ୍ରଚାରକୁ ନଗଲେ ମଧ୍ୟ ୨୦୧୯ ଭଳି ନିର୍ବାଚନ ଜିତି ହେବ । ୨୦୧୪ରେ ନବୀନ ଯେତିକି ବୁଲିଥିଲେ, ୨୦୧୯ରେ ଅପେକ୍ଷାକୃତ ଭାବେ କମ୍ ବୁଲିଥିଲେ ଏବଂ ବହୁତ ନିର୍ବାଚନୀ ସଭାକୁ ଭର୍ଚୁଆଲ୍ ମୋଡ୍‌ରେ ସମ୍ବୋଧନ କରିଥିଲେ । ସେଥିରେ ମଧ୍ୟ ଦଳକୁ ଅପାର ସଫଳତା ମିଳିଥିଲା ।

ଏହା ପୂର୍ବରୁ ୨୦୧୭ ଓ ୨୦୨୨ ପଂଚାୟତ ଓ ପୈାର ନିର୍ବାଚନରେ ନବୀନ ସେତେଟା ବୁଲାବୁଲି ନକରିଥିଲେ ମଧ୍ୟ ଦଳକୁ ବେଶ୍ ସଫଳତା ମିଳିଥିଲା । ଏହି ଅପାର ସଫଳତା ପରେ ନବୀନଙ୍କ ମନରେ ଭ୍ରମ ହୋଇଥିଲା ଯେ ଓଡ଼ିଶାରେ ରାଜନୈତିକ ସଂସ୍କୃତି ଏକ ପ୍ରକାର ଲୋପ ପାଇଯାଇଛି ଏବଂ ଏହି ଭଳି ଦୃଶ୍ୟପଟ୍ଟରେ ବିଜେଡି ହିଁ ଲୋକମାନଙ୍କୁ ଏକ ମାତ୍ର ବିକଳ୍ପ । ବିଜୁବାବୁଙ୍କ ଲିଗାସୀ ବା ପରମ୍ପରାକୁ ସମାଧିସ୍ଥ କରି ନବୀନ ପଟ୍ଟନାୟକଙ୍କର ଏକ ସ୍ୱତନ୍ତ୍ର ଲିଗାସୀ ସୃଷ୍ଟି କରାଗଲା । ଅନେକ କାର୍ଯ୍ୟକ୍ରମ ଓ ଯୋଜନାକୁକ ନବୀଙ୍କ ନାମରେ ଅତ୍ୟନ୍ତ ଚତୁରତାର ସହିତ ନାମିତ କରାଗଲା । ନବୀନ ଭାବିନେଲେ ଯେ ଓଡ଼ିଶା କହିଲେ ନବୀନ ଓ ନବୀନ କହିଲେ ଓଡ଼ିଶା ।   ତାଙ୍କର ଏହି ଭ୍ରମାତ୍ମକ ହିସାବ ଯୋଗୁ ସେ ପାଣ୍ଡିୟାନକୁ ନିର୍ବାଚନ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଦେଇଦେଲେ ।

ଅପରପକ୍ଷରେ ଓଡ଼ିଶା ମାଟିରେ ଓଡ଼ିଆମାନଙ୍କୁ ଅବଦମିତ କରି ରଖି ନିଜର ରାଜନୈତିକ ଉଚ୍ଚାଭିଳାଷକୁ ଚରିତାର୍ଥ କରିବା ପାଇଁ ପାଣ୍ଡିଆନ ବିଜେଡିର ନେତାମାନଙ୍କୁ ଉପେକ୍ଷା କରି ବାଦଶାହା ଷ୍ଟାଇଲ୍‌ରେ ଏକୁଟିଆ ହେଲିକପ୍ଟରରେ ବୁଲି ଜନ ସମସ୍ୟା ଶୁଣାଣୀ ପ୍ରକ୍ରିୟା ଆରମ୍ଭ କଲେ । ମୁଖ୍ୟମନ୍ତ୍ରୀ ନଯାଇ ସେ ରାଜକୋଷରୁ ପଇସା ଉଡ଼ାଇ ହେଲିକପ୍ଟରରେ ବୁଲିବା ଜନସାଧାରଣକୁ ବେଶ୍ ଅସହଜ ମନେ ହୋଇଥିଲା । ତାଙ୍କର ଏତାଦୃଶ କାର୍ଯ୍ୟକୁ ଯେତେବେଳେ ଲୋକେ ପ୍ରଶ୍ନ କଲେ ସେତେବେଳେ ସେ କହିଥିଲେ ଯେ ନବୀନ ତାଙ୍କୁ ଏଭଳି କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି । ଏ ରାଜ୍ୟବାସୀ ଦେଖିଛନ୍ତି ଯେ ବରଗଡ ଜିଲ୍ଲାର ଏକ ସାଧାରଣ ସଭାରେ ନବୀନଙ୍କ ଅନୁମତିର ବାଣୀ ମଧ୍ୟ ସେ ଶୁଣାଇ ଦେଇଥିଲେ । ମୋବାଇଲ୍ ଫୋନରେ ରେକର୍ଡ ହୋଇଥିବା ସେହି ବାଣୀରେ ନବୀନ ଯାହା କହିବାର ଶୁଣାଯାଇଥିଲା, ତାହା ହେଲା, “ମୁଁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ।”

ଜନଶୁଣାଣୀ ଅଭିଯାନ ପରେ ପରେ ନିର୍ବାଚନ ମଇଦାନରେ ପାଣ୍ଡିଆନ ନିଜକୁ ଏକମାତ୍ର ଶକ୍ତିଶାଳୀ ଯୋଦ୍ଧା ଭାବରେ ପ୍ରଦର୍ଶିତ କରିବା ପାଇଁ ବଦ୍‌ସାହସ କଲେ । ସେତେବେଳେ ମଧ୍ୟ ଏ ନେଇ ଦଳ ଭିତରୁ ଓ ବାହାରୁ ବିରୋଧାଭାଷର ସୂଚନା ପାଇଥିଲେ ମଧ୍ୟ ନବୀନ ଚୁପ୍ ରହିଥିଲେ । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନଙ୍କୁ ଯେତେବେଳେ ଜଣେ ବାହାର ରାଜ୍ୟର ନାଗରିକ ଏଠାକାର କିଛି ପଦଲେହନକାରୀ ନେତାଙ୍କ ସାହାଯ୍ୟରେ ପଦଦଳିତ କରୁଥିଲେ, ନବୀନଙ୍କ ପୂର୍ଣ୍ଣ ସମର୍ଥନ ଏ ଜାତି ପ୍ରତି ଏକ କ୍ରୁର ତଥା ନିଷ୍ଠୁର ଉପହାସ ଥିଲା ।

ଏବେ କୁହାଯାଉଛି ଯେ ବିଜେଡିର ପରାଜୟ ପାଇଁ ପାଣ୍ଡିୟାନ ଦାୟୀ । ସତରେ ପାଣ୍ଡିଆନ ଦାୟୀ ନା ଖୋଦ୍ ନବୀନ ପଟ୍ଟନାୟକ ହିଁ ଦାୟୀ ? ଯଦି ପାଣ୍ଡିଆନଙ୍କ ସମସ୍ତ ଓଦ୍ଧତ୍ୟପୂର୍ଣ୍ଣ କାର୍ଯ୍ୟ ପଛରେ ନବୀନଙ୍କ ସମର୍ଥନ ଥିଲା, ତେବେ ସେ କାହିଁକି ପରାଜୟ ପାଇଁ ଦାୟୀ ହେବେ ନାହିଁ । ୨୦୦୦ ମସିହାରେ ଓଡ଼ିଶା ରାଜନୀତିର ପଶାପାଲିରେ ସଫଳତା ଗୋଟି ଚଳାଇ ଆସିଥିବା ଏବ ସର୍ବଦା ବିଜୟ ଲାଭ କରିଥିବା ନବୀନ ଚୀନର ବିଶ୍ୱ ବିଜୟୀ ଚେସ୍ ଖେଳାଳୀ ଡିଙ୍ଗ୍ ଲିରେନଙ୍କ ଭଳି ଏଥର ପାଣ୍ଡିଆନ ଗୋଟିକୁ ଭୂଲ ଭାବେ ଚଳାଇ ବିଜେପିକୁ ବିଜୟୀ କରିଛନ୍ତି ବୋଲି ନିଦ୍ୱର୍ନ୍ଦରେ କୁହାଯାଇପାରେ ।

ଅପର ପକ୍ଷରେ ନବବିଜୟୀ ଭାରତୀୟ ଚେସ୍ ତାରକା ଡି. ଗୁକେଶଙ୍କ ଭଳି ଅସ୍ମିତାର ସଠିକ୍ ଗୋଟି ଚାଳନା କରି ବିଜେପି ଚଳିତ ସଫଳତା ପାଇଛି ବୋଲି ଆମେ କହିପାରିବା । ଅତଏବ୍ ଏକଥା ଅନସ୍ୱୀକାର୍ଯ୍ୟ ଯେ ଖେଳରେ ପରାଜୟ ହେଲେ ଖେଳାଳୀର ଭୁଲ୍‌, ସେଠି ଗୋଟିର ନୁହେଁ । ଖରାପ ସଟ୍ ମାରି ଯଦି ବ୍ୟାଟ୍‌ସମ୍ୟାନ ଆଉଟ୍ ହୁଏ, ତେବେ ସେଠି ବଲ୍‌ର ଦୋଷ ରହିଲା କେଉଁଠି ?

ନବୀନଙ୍କ ଚେସ୍ ବୋର୍ଡରେ ପ୍ୟାରୀମୋହନ ମହାପାତ୍ର ଓ ପାଣ୍ଡିଆନ ଜଣେ ଜଣେ ଗୋଟି ଥିଲେ । ସେମାନଙ୍କୁ ଯେତେବେଳେ ନବୀନ ସଠିକ୍ ଭାବେ ପରିଚାଳନା କରିଛନ୍ତି, ସେତେବେଳେ ସେ ସଫଳତା ପାଇଛନ୍ତି । କେବେଳ ସେତିକି ନୁହେଁ, ସଫଳତାର ଶ୍ରେୟ ସେ ଏକୁଟିଆ ସାଉଁଟିଛନ୍ତି । ଆଜି ଯେତେବେଳେ ତାଙ୍କ ଦଳ ନିର୍ବାଚନ ହାରିଛି, ସେତେବେଳେ ସେ ହିଁ ନିଜକୁ ଦାୟୀ କରିବାର ଆବଶ୍ୟକତା ଅଛି । ଯେଉଁମାନେ ନବୀନ ଦାୟୀ ନୁହଁନ୍ତି, ପାଣ୍ଡିଆନ ଦାୟୀ ବୋଲି କହୁଛନ୍ତି, ସେମାନେ ବୋଧହୁଏ ଓଡ଼ିଶା ଇତିହାସକୁ ଭିନ୍ନ ଢଙ୍ଗରେ ଲେଖିବାକୁ ଚାହୁଛନ୍ତି ।
ଇତିହାସ ସର୍ବଦା ସତ୍ୟ ଓ ତଥ୍ୟକୁ ଭିତ୍ତି କରି ଲେଖାଯାଏ । ବିକୃତ ଭାବନା ଓ ପରିକଳ୍ପନାକୁ ନେଇ ଇତିହାସ ଲେଖିଲେ, ତାହା ବର୍ତ୍ତମାନ ଓ ପରପିଢି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥାଏ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Advertisment
Advertisment