• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶାରେ ପହଞ୍ଚିଲେ ନବ ନିଯୁକ୍ତ ରାଜ୍ୟପାଳ। ଆସନ୍ତାକାଲି ୨୬ତମ ରାଜ୍ୟପାଳ ଭାବେ ନେବେ ଶପଥ। ତା ପୂର୍ବରୁ ସିଧାସଳଖ ଝାଡଖଣ୍ଡରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଥିଲେ ରଘୁବର ଦାସ। ଟ୍ରେନ ଯୋଗେ ସକାଳୁ ସକାଳୁ ପହଞ୍ଚିବା ପରେ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସାଙ୍ଗରେ ଥିଲେ ପତ୍ନୀ ରୁକ୍ମିଣୀ ଦେବୀ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ମହାପାତ୍ର ମଧ୍ୟ ରଘୁବରଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ବାଳଧୂପ ଦର୍ଶନ କରିବା ସହ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ରଘୁବର କହିଥିଲେ ଜଗନ୍ନାଥଙ୍କୁ ଦର୍ଶନ କରି ସେ ବେଶ୍ ଖୁସି। ଓଡିଶାବାସୀଙ୍କ ସେବା ମିଳିବାର ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି। ସେଠାରୁ ଭୁବନେଶ୍ୱର ଅଭିମୁଖେ ବାହାରିବା ପୂର୍ବରୁ ଉପସ୍ଥିତ ଭକ୍ତମାନଙ୍କୁ ଅଭିବାଦନ ଜଣାଇଥିଲେ।

ଏହାପରେ ଅପରାହ୍ଣ ୨ଟା ୩୦ ବେଳେ ରାଜଭବନରେ ପହଞ୍ଚିଥିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ରଘୁବର ଆସନ୍ତାକାଲି ଦିନ ୧୧ଟା ୪୫ରେ ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତା’ପୂର୍ବରୁ ଆସନ୍ତାକାଲି ସକାଳ ୮ଟା ୪୫ ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର, ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ।

ରଘୁବର ୫ଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୁଇଥର ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ରହିଥିଲେ ରଘୁବର। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟରେ କିଭଳି ହେବ ତାଙ୍କ କାର୍ଯ୍ୟଧାରା ତାକୁ ନେଇ ଚର୍ଚ୍ଚା। ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରଘୁବର କାମ କରିବେ ନା ଅନ୍ୟ କିଛି ରାଜ୍ୟରେ ଯେମିତି ରାଜ୍ୟପାଳ ଓ ସରକାର ଭିତରେ ବିବାଦ ଲାଗି ରହିଛି ସେମିତି ସ୍ଥିତି ଆସିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନୂଆ ରାଜ୍ୟପାଳଙ୍କ ସହ ତାଙ୍କ ପରିବାର ଓ ବନ୍ଧୁ ଏବଂ ଶୁଭେଚ୍ଚୁ ପ୍ରାୟ ୮୦ ଜଣ ଓଡ଼ିଶା ଆସିଛନ୍ତି। ଯେଉଁମାନେ ଆସନ୍ତାକାଲିର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ।

  • Reported by:
  • MADHUSUDAN MISHRA , JAGDISH DAS