Advertisment

ମୁଣ୍ତ ଉପରେ ନିର୍ବାଚନ; ରତ୍ନଭଣ୍ତାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର ?

କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ?

author-image
Manoranjan Behera
undefined

Ratna Bhandar

ଶ୍ରୀମନ୍ଦିର ରତ୍ନଭଣ୍ଡାର କେତେ ଦୁର୍ବଳ ? ଦୁଇ ମାସ ତଳୁ ASI ବାହାର ରତ୍ନଭଣ୍ଡାର ଲେଜର ସ୍କାନିଂ ସାରି ଦେଇଥିବା କହୁଛି, ହେଲେ ସ୍ପଷ୍ଟ ତଥ୍ୟ ମିଳିଲାନି। ଯଦିଓ ଆଗାମୀ ରଥଯାତ୍ରାବେଳେ ରତ୍ନଭଣ୍ଡାର ମରାମତି ହେବ ବୋଲି ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି, ହେଲେ ଅଳଙ୍କାର ଗଣତି ହେବ କି ନା, ସେ ନେଇ ଚୁପ୍। ତେଣେ ବୁଦ୍ଧିଜୀବୀ ଓ ସେବାୟତ କହିଲେଣି ନିର୍ବାଚନ ଥିବାରୁ ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ତଥ୍ୟ ସାର୍ବଜନୀନ କରିବାକୁ ଡରୁଛନ୍ତି।

Advertisment

କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ? ସ୍ଥିତି ଜାଣିବାକୁ ଦୁଇ ମାସ ତଳୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିରର ଦୁର୍ଲଭ ରତ୍ନଭଣ୍ଡାରର ଲେଜର ସ୍କାନିଂ ସାରିଥିଲେ ବି ଏସବୁ ପ୍ରଶ୍ନ, ପ୍ରଶ୍ନରେ ହିଁ ରହିଯାଇଛି।
ଯାହାକୁ ନେଇ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ବିଧାନସଭାରେ ବି ଉଠିଛି ପ୍ରଶ୍ନ।

ବାରମ୍ବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରତ୍ନଭଣ୍ଡାର ଖୋଲିବାକୁ କାହିଁକି ସମୟ ଗଡ଼ାଉଛନ୍ତି ସରକାର ? କେବେ ସୁଦ୍ଧା ଖୋଲି ରତ୍ନ ଅଳଙ୍କାରର ହିସାବ ନିକାଶ ଓ ରତ୍ନଭଣ୍ଡାର ମରାମତି କରିବେ ? କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ପଚାରିଥିବା ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଲିଖିତ ଉତ୍ତର। ମନ୍ତ୍ରୀ ଦର୍ଶାଇଛନ୍ତି- ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଛି, ସ୍ଥିତି ଅନୁଧ୍ୟାନ କରି ଆଗାମୀ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରାଯାଇ ପାରିବ।  ହେଲେ ଠାକୁରଙ୍କ ଅଳଙ୍କାର ଗଣତି ହେବ କି ନାହିଁ ? ସେ ସମ୍ପର୍କରେ ଚୁପ୍।

Advertisment

ଏଣେ ଆଇନଜୀବୀଙ୍କ ଅଭିଯୋଗ- ଲେଜର ସ୍କାନିଂ ରିପୋର୍ଟ ପଦାକୁ ଆସିଲେ, ରତ୍ନଭଣ୍ଡାରର ଦୁଃସ୍ଥିତି ପଦାକୁ ଆସିଯିବ। ଯାହାକୁ ରାଜ୍ୟ ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବରିଷ୍ଠ ସେବାୟତ କହିଲେଣି- ନିର୍ବାଚନ ଆସୁଥିବାରୁ ଜାଣିଶୁଣି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ରଘୁବୀର ଦାଶ କମିଶନଙ୍କ ରିପୋର୍ଟଠୁ ଏଏସଆଇ ଲେଜର ସ୍କାନିଂ ଯାଏଁ ଏସବୁ ସାର୍ବଜନୀନ କରିବାକୁ ରାଜ୍ୟ ସରକାର ଡରୁଛନ୍ତି। ଭକ୍ତ କହିଲେଣି, ମୁକୁଟଠୁ ସୁନା ଭୋଗ ଥାଳି, ସବୁ ରତ୍ନଭଣ୍ଡାରରେ ଅଛି।

ମହାପ୍ରଭୁ ଜଗ୍ନନାଥଙ୍କ ରତ୍ନଭଣ୍ଡାର ଦୁର୍ବଳ, ଖୋଦ୍ ଗଜପତି ମହାରାଜା ମଧ୍ୟ ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତ ଜାନୁଆରୀ ୧୬ରେ ଓଟିଭିକୁ ସାକ୍ଷାତକାର ଦେଇ ଗଜପତି କହିଥିଲେ- କେବଳ ଭିତର ନୁହେଁ ବାହାର ରତ୍ନଭଣ୍ଡାରର ବି ଲେଜର ସ୍କାନିଂ ହୋଇଛି। ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଉତ୍ସବ ସରିବା ପରେ ପରେ ମ୍ୟାନେଜିଂ କମିଟିରେ ସେ ରିପୋର୍ଟକୁ ଏସଆଇ ଉପସ୍ଥାପନ କଲା ପରେ ବାସ୍ତବ ସ୍ଥିତି ଜଣାପଡ଼ିବ। ହେଲେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଇତିମଧ୍ୟରେ ୨୩ ଦିନ ବିତିଯାଇଥିଲେ ବି ସେ ଲେଜର ସ୍କାନିଂ ରିପୋର୍ଟ ଆସିନାହିଁ। ତେଣେ ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଜି.ବି. ଗଡ଼ନାୟକ କହିଛନ୍ତି- ରତ୍ନଭଣ୍ଡାରର କେବଳ ବାହାର ପଟ ଲେଜର ସ୍କାନିଂ ସରିଛି। ସେ ଡକ୍ୟୁମେଣ୍ଟେସନ ରିପୋର୍ଟ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଦେବୁ। ରତ୍ନଭଣ୍ଡାରରେ କ୍ରାକ୍ ଥିବା ଜଣାପଡ଼ିଛି, ରଥଯାତ୍ରା ପୂର୍ବରୁ ମରାମତି ସାରିବାକୁ ଚେଷ୍ଟା କରିବୁ।

ଏବେ ଅପେକ୍ଷା କେବେ ପଦାକୁ ଆସୁଛି ASI ଲେଜର ସ୍କାନିଂ ରିପୋର୍ଟ।

Jagannath Temple Odisha Politics Ratna Bhandar
Advertisment
Advertisment