• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ । ଏଥିଲାଗି ପ୍ରସ୍ତୁତି ଶେଷ ।ଏନ୍ଡ଼ିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ଭିତରେ ହେବ ଟକ୍କର । ଦ୍ରୌପଦୀଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବାବେଳେ ୟୁପିଏ କଡା ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତି କରିଛି । ସଂସଦ ଠାରୁ ଆରମ୍ଭ କରି ବିଧାନସଭା ଗୁଡିକରେ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି ।

ଶେଷ ଦିନରେ ଗାନ୍ଧିନଗର ଯାଇ ପ୍ରଚାର କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାର ପ୍ରଥମ ଦିନରେ ହିଁ ଭୋଟ୍ ଦେବେ ସାଂସଦ ତା ସହ ସମସ୍ତ ରାଜ୍ୟର ବିଧାନସଭାରେ ବି ଭୋଟ୍ ଦେବେ ବିଧାୟକ ମାନେ । ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ ଥିବା ବେଳେ ଯଶଓ୍ୱନ୍ତ ବି କଡ଼ା ଟକ୍କର ଦେବେ । ଏନଡିଏ ସମେତ ବିଜେଡି, ଜେଏମ୍ଏମ୍, ଶିବସେନା, ଟିଡିପି, YSR କଂଗ୍ରେସ, ବିଏସପି, ଶିରୋମଣୀ ଅକାଳୀ ଦଳ, ଏଲଗେପି-ରାମବିଳାସ ଦଳ ସମର୍ଥନ ଜଣାଇଛି ଦ୍ରୌପଦୀଙ୍କୁ ।

ସେହିପରି ଯଶୱନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମସି, ଏନସିପି, ସିପିଆଇ ଏବଂ ସିପିଏମ୍, ଡିଏମକେ, ଆରଜେଡି, ଏସପି, ନ୍ୟାସନାଲ୍ କନଫରେନସ୍, ପିଡିପି, ଆରଏଲଡି, ଆରଏସପି, ଆଇୟୁଏଲଏଲ୍, ଟଆରଏସ୍ ଭଳି ରାଜନୈତିକ ଦଳ । ଆପ୍ ମଧ୍ୟ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବ ବୋଲି କହିଛି ।

ଆସନ୍ତାକାଲି ହେବାକୁ ଥିବା ନିର୍ବାଚନରେ ସମସ୍ତ ବିଜେଡି ବିଧାୟକ ଓ ସାଂସଦ ଉପସ୍ଥିତ ରହି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶତ ପ୍ରତିଶତ ଓ ନିର୍ଭୁଲ ଭୋଟ୍ ଯେପରି ଦ୍ରୌପଦୀଙ୍କ ସପକ୍ଷରେ ଯିବ । ସେଥିଲାଗି ସବୁ ବିଧାୟକ ଓ ସାଂସଦଙ୍କୁ ସଚେତନ କରିଛି ଦଳ । ଅନ୍ୟପଟେ ବିଜେପି କହିଛି ବିରୋଧୀ ଦଳ ମାନେ ବି ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତି ।

ଏଥିଯୋଗୁଁ ସେ ବିପୁଳ ଭୋଟରେ ନିର୍ବାଚିତ ହେବେ । କଂଗ୍ରେସ କିନ୍ତୁ ନିଜ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଜିତାଇବା ଲାଗି ଶତ ପ୍ରଚେଷ୍ଟା କରୁଛି । ସକାଳ ୧୦ ଟାରୁ ୫ଟା ଯାଏ ଭୋଟ ଗ୍ରହଣ କରାଯିବ । ଭୋଟ ଦାନ ପୂର୍ବରୁ ସବୁ ଦଳ ଏକତ୍ରିତ ହୋଇ ବୈଠକ କରିବେ ପରେ ମତଦାନ ସାବ୍ୟସ୍ତ କରିବେ ।

ସେପଟେ ଦ୍ରୌପଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ କରିଛି ବିଜେପି । ଏହଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମିମାନେ ତାଙ୍କ ବିଜୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି । ଦ୍ରୌପଦୀ ମୁର୍ମୁ ବିଧାୟକ ଥିବାବେଳେ ମୟୁରଭଞ୍ଜ ବାଦାମପାହାଡରେ ବିଧାୟକ ପାଣ୍ଠିରୁ ବନଦୁର୍ଗା ମନ୍ଦିର ନିର୍ମାଣ କରିଥିଲେ । ଆଜି ସ୍ଥାନୀୟ ଲୋକ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଯଜ୍ଞ ଅନୁଷ୍ଠିତ କରାଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now