• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡ଼ିଶା ରାଜନୀତିରେ ଝଡ଼ ଭଳି ଆସି ଅତି ଶାନ୍ତ ଓ ନିରବତାର ସହିତ ବିଦାୟ ନେଉଛି ବର୍ଷ ୨୦୨୪ । ରାଜନୈତିକ ଝଡଝଂଜାରେ ଟଳିପଡିଲା ନବୀନଙ୍କ ନେତୃତ୍ୱର ସେହି ୨୪ ବର୍ଷ କ୍ଷମତାର ବିଶାଳ ଅଟାଳିକା । ସତ୍ତାର ନବକଳେବର ଘଟିଲା, ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ଏକାକୀ ସରକାର କରିବାରେ ସକ୍ଷମ ହେଲା ଏବଂ ଜଣେ ସାଧାରଣ ଓଡିଆ ଆଦିବାସୀପୁଅ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ । ବିଜେପି, ବିଜେଡି ଓ କଂଗ୍ରେସରୁ ବହୁ ବରିଷ୍ଠ ନେତା ୨୦୨୪ ନିର୍ବାଚନରେ ଦଳ ବଦଳାଇଥିବା ସବୁଠାରୁ ଚର୍ଚ୍ଚାରେ ରହିଲା । ଆଉ ତାଠୁ ଅଧିକ ଚର୍ଚ୍ଚା ହେଲା ପାଣ୍ଡିଆନଙ୍କ ରାଜନୀତିରୁ ସନ୍ୟାସ । ସେହିଭଳି ପ୍ରଦୀପ ପାଣିଗ୍ରାହୀଙ୍କ ‘ଲେଖା ଛିଡିଲା’ ଉକ୍ତି ରାଜନୀତିକୁ ଏକ ରୋଚକ ମୋଡରେ ଅବତାରଣ କରିଥିଲା । ସାଧାରଣ ନିର୍ବାଚନର ପୃଷ୍ଠଭୂମିରେ ବର୍ଷ ୨୦୨୪ ରାଜନୀତିର ମୋଡକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି । ଦେଖାଇଛି ଅନେକ ଅଚମ୍ବିତ ଅବିଶ୍ୱସନୀୟ ଘଟଣାବଳୀ । ୨୦୨୫ ନୂଆ ବର୍ଷରେ ପ୍ରବେଶ କଲାବେଳେ ୨୦୨୪ ଅନ୍ତିମ ଚରଣରେ ତମାମ ବର୍ଷ ରଚିଥିବା ସେହି ଉଲ୍ଲେଖନୀୟ ରାଜନୀତିର ଅଧ୍ୟାୟର କିଛି ଅଂଶ ଏଠାରେ ଉପସ୍ଥାପିତ ।

୨୪ ବର୍ଷର କ୍ଷମତାଦୁର୍ଗର ଧୂଳିସାତ

ବର୍ଷ ୨୦୨୪ କାହାଠୁ କ୍ଷମତା ଛଡାଇନେଇ କ୍ଷତାକ୍ତ ଓ ସନ୍ୟାସ କରି ଦେଇଛି ତ ଆଉ କାହାର ଶୋଭା ବଢାଇଛି ସତ୍ତାର ସିଂହାସନରେ ବସାଇ । କାହାର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଇଛି ତ ଆଉ କାହାର ଲକ୍ଷ୍ୟ ଓ ସ୍ୱପ୍ନକୁ ସାକାର କରିଛି । ଏମିତି କିଛି ଉଲ୍ଲେଖନୀୟ ଘଟଣା ଓଡିଶା ରାଜନୀତିର ମୋଡ ବଦଳାଇ ଦେଇ ୨୦୨୪ ରଚିଛି ଏକ ନୂଆ ଅଧ୍ୟାୟ । ଏହି ରଚନାତ୍ମକ ଅଧ୍ୟାୟର ଗୁରୁତ୍ୱ ବହନ କରିଥିଲା ୨୦୨୪ ସାଧାରଣ ନିର୍ବାଚନ । ନବୀନ ଥିଲାଯାଏ ବିଜେଡିର ହାର ଅସମ୍ଭବ ବୋଲି ଯେଉଁମାନେ ଧରିନେଇଥିଲେ ତାହାକୁ ଭୁଲ ପ୍ରମାଣିତ କଲା ବର୍ଷ ୨୦୨୪ର ସାଧାରଣ ନିର୍ବାଚନ । ଏକଦା ଭୟଙ୍କର ଝଡ ମହାବାତ୍ୟାରୁ କ୍ଷମତାକୁ ଆସିଥିବା ନବୀନଙ୍କ ନେତୃତ୍ୱାଧୀନ ବିଜେଡିର ୨୪ ବର୍ଷର ଦୁର୍ଗ ଧୂଳିସାତ ହୋଇଛି ! ଏହି ବର୍ଷ ନବୀନ ନିଜ ଆଖିରେ ଦେଖିଥିଲେ ନିଜ ପରାଜୟର ଛବି । 

ଜୟ ଶ୍ରୀରାମ-ଜୟ ଜଗନ୍ନାଥ

୨୦୨୪ ବର୍ଷ ଆରମ୍ଭରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନଙ୍କର ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ନିର୍ଦ୍ଧିଷ୍ଟ ଏକ ଧର୍ମକୁ ନେଇ ରାଜନୀତିକରଣର ପରିବେଶ ରାଜ୍ୟରେ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ମହୋତ୍ସବର ବାର୍ତ୍ତାକୁ ପ୍ରତିଟି ଘରେ ପହଂଚାଇବାର ଏକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ ଅଂଶ ହିନ୍ଦୁ ଭୋଟରକୁ ଆକୃଷ୍ଟ କରିବା ପାଇଁ ବିଜେଡି ଓ ବିଜେପି ବ୍ୟାପକ ପ୍ରୟାସ କରିଥିଲେ । ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟବ୍ୟାପୀ ଅର୍ପଣରଥ ବୁଲି ଶ୍ରଦ୍ଧାଳୁଙ୍କଠାରୁ ଗୁଆ, ଚାଉଳ ସଂଗ୍ରହ କରି ଶାସକ ବିଜେଡି ଏଥିରୁ ଯେଉଁ ରାଜନୈତିକ ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଥିଲା ପରବର୍ତ୍ତୀ ସମୟରେ ତାହା ବୁମେରାଂ ହେବା ଦେଖାଦେଲା । ଅନେକ ସ୍ଥାନରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନର ଚିତ୍ର ସବୁ ସାମ୍ନାକୁ ଆସିଲା । ସେହିଭଳି ସଂଗୃହୀତ ଅରୁଆ-ଉସୁନା ଚାଉଳ ଓ ଗୁଆକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲା ।  

ଯୋଜନା ଜିତିପାରିଲାନି ଭୋଟରଙ୍କ ଭରସା 

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଘନ ଘନ ଘୋଷଣା ଓ ସରକାରୀ ଯୋଜନାର ନୀଳ ନକ୍ସା ପ୍ରସ୍ତୁତ କଲେ । ଜାନୁଆରୀ ୨୨ରୁ ଫେବୃଆରୀ ୨୨, ମାସକ ଭିତରେ ୫ ଥର ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଲୋକାଭିମୂଖୀ ନିଷ୍ପତ୍ତି ନିଆଗଲା । ଏହା ବାଦ ପ୍ରାୟ ପ୍ରତି ଦିନ ଏକାଧିକ ଯୋଜନା, ପ୍ରକଳ୍ପ, ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଦେଖିବାକୁ ମିଳିଲା । କାଳିଆ ଯୋଜନା ଅବଧି ଅଧିକ ୩ ବର୍ଷ ବଢି ୬୦୩୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହେଲା, ଭୂମିହୀନଙ୍କୁ ଅତିରିକ୍ତ ୨ ହଜାର ସହାୟତା ରାଶି, ସମସ୍ତ ଭତ୍ତାରେ ୫ଶହ ଟଙ୍କା ବୃଦ୍ଧି, କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ୫୦ ପ୍ରତିଶତ ବୋନସ, ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଓ ୨ଟି ଝୋଟ ବ୍ୟାଗ, ବେକାରୀଙ୍କୁ ସ୍ୱୟଂ ଯୋଜନାରେ ବିନା ସୁଧରେ ଲକ୍ଷେ ଟଙ୍କା ଯାଏଁ ଋଣ, ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଶିକ୍ଷାବୃତ୍ତି ଦ୍ୱାରା ବାର୍ଷିକ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ, ୩୦୦ କୋଟିର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ମ୍ୟାଜିକ ସ୍ମାର୍ଟ କାର୍ଡ ଘୋଷଣା, ଓଟିଏମ୍ ପୁନରୁଦ୍ଧାର ପାଇଁ ୩୦୮୦ କୋଟିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ ଭଳି ବହୁ ପ୍ରକାର ନିଷ୍ପତ୍ତି ନେଇଥିଲେ ବିଜେଡି ସରକାର । ଏତେ ସବୁ ସତ୍ୱେ ୨୪ ବର୍ଷର ବିଜେଡି ସରକାର ନିର୍ବାଚନ ଜିତି ପୁନର୍ବାର କ୍ଷମତାକୁ ଫେରିପାରିଲା ନାହିଁ । 

ବିଜେଡି-ବିଜେପି ନିର୍ବାଚନୀ ମେଂଟ ଚର୍ଚ୍ଚା

୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ଓଡିଶାରେ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଂଟକୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ଚର୍ଚ୍ଚା ବ୍ୟାପକ ହେବାରେ ଲାଗିରହିଲା । ଯାହା ରାଜନୈତିକ ଦଳଗୁଡିକର ଅନେକ ନେତା, କର୍ମୀ ଓ ସମର୍ଥନଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା । ୧୬ ମାର୍ଚ୍ଚ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟ ମେଂଟ ଚର୍ଚ୍ଚାରୁ ପରଦା ହଟିନଥିଲା । ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇବାର ପ୍ରସ୍ତୁତିରେ ଲାଗିଥିବା ଆଶାୟୀ ପ୍ରାର୍ଥୀଙ୍କୁ ଏହି ଚର୍ଚ୍ଚା ଉପାୟଶୂନ୍ୟ କରିଥିଲା । ପ୍ରାୟ ୧ ମାସ ଧରି ଲାଗିରହିଥିବା ମେଂଟ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯେଉଁ ବିବୃତ୍ତି ରଖିଲେ ସେଥିରେ ସାପ ମଲା ନାହିଁ କି ବାଡି ଭାଙ୍ଗିଲା ନାହିଁ! ସେ ଦର୍ଶାଇଲେ “ଓଡ଼ିଶାରେ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଏକାକୀ ଲଢ଼ିବ । ଗତ ୧୦ ବର୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଷ୍ଟ୍ରର ମହତ ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଯେଉଁ ସମର୍ଥନ ଦେଇଆସୁଛି ଏଥିପାଇଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡିକୁ ଧନ୍ୟବାଦ ।”

ବିଜେଡ଼ିର "ଯୋଡି ଶଙ୍ଖ' ଫର୍ମୁଲା

୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ବତୀଲଗା ଶଙ୍ଖ ଚିହ୍ନକୁ ଧରି "ଯୋଡି ଶଙ୍ଖ'ର ପ୍ର·ର ଶୁଭାରମ୍ଭ କଲେ । ଏହି ସମୟରେ ନବୀନଙ୍କୁ ଲୁଙ୍ଗିପିନ୍ଧା ଗେଟଅପ୍‌ରେ ଦେଖିବାକୁ ମିଳିଥିଲା । ଏହା ପରେ ବିଭିନ୍ନ ସ୍ଥାନରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଦଳୀୟ କ୍ୟାମ୍ପେନ ଚାଲିଲା । ଗୋଟିଏ ଶଙ୍ଖରେ ୫ଟି ନିର୍ବାଚନ ଜିତିଥିବା ବିଜେଡି ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ "ଯୋଡି ଶଙ୍ଖ' ଫର୍ମୁଲା ଫେଲ ମାରିଲା । ବିଜେଡି ଗୋଟିଏ ବି ଲୋକସଭା ଆସନ ଜିତି ପାରିଲା ନାହିଁ ।

ପ୍ରଶାସକରୁ ରାଜନୀତି ଓ ସନ୍ୟାସ

ଭି.କେ. ପାଣ୍ଡିଆନ, ଏହି ନାଁ ରାଜ୍ୟର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶାସନ ଓ ପ୍ରଶାସନ କ୍ଷେତ୍ରରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି । କେବେ ପାୱାର କରିଡରର ପାୱାରଫୁଲ ଅଫିସର, କେବେ ପ୍ରଭାବଶାଳୀ ନେତା ଭାବରେ ତାଙ୍କ ନା ଯୋଡାଯାଇଛି । ତେବେ ବର୍ଷ ୨୦୨୪ ତାଙ୍କୁ ନେଇ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଅବତାରଣା କଲା ! ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ପ୍ରଶାସକରୁ ସ୍ୱେଚ୍ଛାକୃତ ଅବସର ନେଇ ନବୀନଙ୍କ ନେତୃତ୍ୱାଧୀନ ବିଜେଡିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବାର ବର୍ଷେ ନପୁରୁଣୁ ଶ୍ରୀ ପାଣ୍ଡିଆନଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ପଡିଲା ।

୨୦୧୯ ନିର୍ବାଚନ ପରଠାରୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ଶାସନ ପରିଚାଳନା କରିବା, ବିଜେଡିର ୨୦୨୪ ନିର୍ବାଚନକୁ ନିୟନ୍ତ୍ରଣ କରିବା, ଟିକେଟ ବାଂଟିବା ଠାରୁ ଆରମ୍ଭ କରି ସେ ବିଭିନ୍ନ ନିଷ୍ପତ୍ତି ନେବା ଦ୍ୱାରା ଦଳରେ ଅନେକ ଚାପା ଅସନ୍ତୋଷ ଲାଗିରହିଥିଲା । ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାର ଫାଇଦା ଉଠାଇ ସେ ଦଳର ରାଜନୈତିକ ଉତ୍ତରାଧିକାରୀ ହେବା ଚର୍ଚ୍ଚା ଚାଲିଲା । ଯାହାକୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ଚାଲିଥିବା ସାଧାରଣ ନିର୍ବାଚନର ଚତୁର୍ଥ ତଥା ଅନ୍ତିମ ଚରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କଲେ ଯେ, "ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୋ ଉତ୍ତରାଧିକାରୀ ଲୋକେ ନିର୍ଦ୍ଧାରଣ କରିବେ ।'

ନିର୍ବାଚନରେ ବିଜେଡି ପରାଜୟବରଣ କଲା । ଶ୍ରୀ ପାଣ୍ଡିଆନ ଦଳ ତଥା ରାଜନୀତିରୁ ସନ୍ୟାସ ନେଲେ । ଏକଥା ସେ ଖୋଦ୍ ଭିଡିଓବାର୍ତ୍ତା ଜାରି କରି ଜଣାଇଲେ । ନିର୍ବାଚନ ପରିଚାଳନାରେ ଦୋଷ ଦୁର୍ବଳତା ଦେଖାଇ କିଛି ନେତା ପାଣ୍ଡିଆନଙ୍କ ଆଡକୁ ଇସାରା କରିବା ବେଳେ ଦଳର ସୁପ୍ରିମୋ ତାଙ୍କୁ ‘କ୍ଲିନ୍‌ଚିଟ୍’ ଦେଲେ! ତଥାପି ପରାଜୟକୁ ନେଇ ଦଳ ମଧ୍ୟରେ ଏବେବି ଦ୍ୱନ୍ଦ୍ୱ, ଅସନ୍ତୋଷ ଲାଗିରହିଛି ।

ଓଡିଆ ଆଦିବାସୀପୁଅ ମୁଖ୍ୟମନ୍ତ୍ରୀ

ଓଡିଶାରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କଲା । ଜଣେ ସାଧାରଣ ଆଦିବାସୀ ଓଡିଆ ପୁଅ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେଲେ । ବର୍ଷ ୨୦୨୪ରେ ୨୪ ବର୍ଷର ନବୀନ ସରକାରର ପତନ ଘଟିଲା ଆଉ ମୋହନ ସରକାର ଆରମ୍ଭ ହେଲା । ମୋହନ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ରହିଲେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ୧୩ ମନ୍ତ୍ରୀ । ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ବିଜେଡି ୫୧ଟି ଆସନ ପାଇ ମୁଖ୍ୟ ବିରୋଧୀଦଳ ଦାୟିତ୍ୱ ନିର୍ବାହ କଲା । ବିରୋଧୀ ଦଳରେ ଥିବା ବିଜେପି ଏହି ନିର୍ବାଚନରେ ୭୮ଟି ଆସନ ପାଇ ସରକାର ଗଠନ କଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଓ ଉଲ୍ଲେଖନୀୟ ବିଷୟ, ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି ଲୋକସଭା ର୍ନିବାଚନରେ ୨୧ଟି ଆସନ ମଧ୍ୟରୁ ୨୦ଟି ଏବଂ ଗୋଟିଏ କଂଗ୍ରେସ ଜିତିଛି । ୨୦୧୯ରେ ବିଜେପି ରାଜ୍ୟରୁ ମାତ୍ର ଆଠଟି ଆସନ ଜିତିଥିଲା ଏବଂ ୧୨ ଟି ଆସନ ପାଇଥିଲା ବିଜେଡି ।

୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନ ଆହୁରି ଅନେକ କୌତୁହଳ ବିଷୟ ସାମ୍ନାକୁ ଆଣିଛି । ୫ଥର ମୁଖ୍ୟମନ୍ତ୍ରୀ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିର୍ବାଚନରେ କାଂଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ଆଶ୍ଚର୍ଯ୍ୟଜନକ ଭାବେ ପରାଜୟ ହୋଇଛନ୍ତି ଯଦିଓ ହିଞ୍ଜିଳିରୁ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହା ସହିତ ଅନେକ ବରିଷ୍ଠ ବିଜେଡି ନେତାଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଲା । ପ୍ରଥମ ଥର ପାଇଁ ଓଡିଶା ତଥା ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ୧.୧୯ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । 

ବିଜେପିର ଓଡ଼ିଶା ବିଜୟ

ଦେଶ ସ୍ୱାଧୀନତା ପରଠାରୁ ଯେତେ ନିର୍ବାଚନ ହୋଇଛି ଓଡିଶାରେ ବିଜେପି କେବେ ବି ଏକାକୀ ସରକାର ଗଠନ କରିପାରି ନାହିଁ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶାରେ ବିଜେପି-ବିଜେଡି ମିଳିତ ସରକାର ଗଢିଥିଲେ । ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ଏକାକୀ ସରକାର କରିବାରେ ସକ୍ଷମ ହେବା ସହିତ ଦଳ ଏକ ନୂଆ ସଫଳ ଅଧ୍ୟାୟ ରଚନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦ୍ୱାରା ଏହା ସମ୍ଭବ ହେଲା । ଦୀର୍ଘ ୨୪ ବର୍ଷର କ୍ଷମତାଧାରୀ ବିଜେଡିକୁ ନିର୍ବାଚନରେ ପରାଜୟ କରିବାକୁ ବିଜେପି ଯେଉଁ ସବୁ ରଣକୌଶଳ ଆପଣାଇଥିଲା ସେଥିମଧ୍ୟରେ ଓଡିଆ ଅସ୍ମିତାର ସଂକଟ, ଅଣଓଡିଆ ବାବୁରାଜ, ନବୀନଙ୍କ ଅସୁସ୍ଥତା, ରତ୍ନ ଭଣ୍ଡାର ଚାବି, ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଏବଂ ଗୋ ମାଫିଆଙ୍କୁ ପ୍ରଶ୍ରୟ ଆଦି ମୁଦ୍ଦା ଥିଲା ମୁଖ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଲୋକସଭା ବାଚସ୍ପତି ଓମ ବିରଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀର ଡ୍ରିମ ଗାର୍ଲ ହେମା ମାଳିନୀ, ସାଂସଦମାନଙ୍କ ସମେତ ୟୁପି, ରାଜସ୍ଥାନ, ଆସାମ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପି ନିର୍ବାଚନୀ ପ୍ରଚାରରେ ଓଡିଶା ଆସିଥିଲେ । ସବୁଠାରୁ ବଡକଥା ହେଉଛି ଏହି ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ବିଜେଡି ବିପକ୍ଷରେ ଏକ ପରିବର୍ତ୍ତନର ମାହୋଲ ସାଧାରଣରେ ସୃଷ୍ଟି ହେଉଥିଲା, ଯାହାର ଫାଇଦା ବିଜେପିକୁ ମିଳିଥିଲା । 

ବିନା ମୁରବୀରେ ବର୍ଷ ସରିଗଲା !

ଚଳିତ ନିର୍ବାଚନରେ କଂଗ୍ରେସର ବିଧାୟକ ସଂଖ୍ୟା ବଢିଥିଲେ ମଧ୍ୟ ଦଳର ଚିହ୍ନ ଲିଭିଲା ଭଳି ପରିସ୍ଥିତି ଲାଗିରହିଲା ! ବର୍ଷ ସରିଗଲା ହେଲେ ଦୀର୍ଘ ୬ ମାସ ଧରି ଖାଲିପଡିଥିବା ପିସିସି ସଭାପତି ଆସନ ପୂରଣ ନୋହିଲା । କେନ୍ଦ୍ରରେ କଂଗ୍ରେସ ଯେଉଁଭଳି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ସରକାରଙ୍କୁ ଘେରିବାରେ ସବୁ ଶକ୍ତି ଲଗାଇ ଦେଇଛି ଓଡିଶାରେ ଦଳର ସ୍ଥିତି ଦେଖି ନେତାଙ୍କୁ ନିରାଶ ହେବାକୁ ପଡୁଛି । ୨୦୨୪ ନିର୍ବାଚନରେ ଦଳ ପାଇଁ ଅନେକ ସୁଯୋଗ ଥିଲେ ମଧ୍ୟ ତାର ଫାଇଦା ନେବାରେ କଂଗ୍ରେସ ସଫଳ ହୋଇପାରିଲା ନାହିଁ । ଆଗାମୀ ୨୦୨୫ ଦଳର ରଣକୌଶଳ କଣ ହେବ, ନୂଆ ପିସିସି ସଭାପତି କାହାକୁ ନିଆଯିବ, ସେ କିଭଳି ସଙ୍ଗଠନକୁ ପରିଚାଳନା କରିବେ ତାହା ଦେଖିବାକୁ ବାକି ରହିଲା ।

 

 

OTV is now on Whatsapp

Join and get latest news update delivered to you via whatsapp

Join Now