ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଗୁରୁତର ତ୍ରୁଟି ପାଇଁ ବାସ୍ତବରେ ଦାୟୀ କିଏ ?

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ମଞ୍ଚରେ ବିଦ୍ୟୁତ ବିଭ୍ରାଟ ଆକସ୍ମିକ, ନା ଏହା ପଛରେ ରହିଛି କିଛି ଷଡ଼ଯନ୍ତ୍ର ? ଏହା ବୈଷୟିକ ନା ମନୁଷ୍ୟକୃତ ତ୍ରୁଟି ? ତଦନ୍ତ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ କୁଳପତି କହିଛନ୍ତି । ବାରିପଦାରେ କାଲିର ଏଭଳି ଲଜ୍ଜାଜନକ ତଥା ଅଭାବନୀୟ ପରିସ୍ଥିତିକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି । ସେପଟେ ସାମ୍ନାକୁ ଆସିଛି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନର ଆଉ ଏକ ଉଦବେଗଜନକ ପ୍ରମାଣ ।

ମଞ୍ଚ ଉପରେ କାହିଁକି ୯ ମିନିଟ୍ ଅନ୍ଧାରରେ ରହିଲେ ମହାମହିମ ? ପ୍ରେସିଡେଣ୍ଟଙ୍କ ପ୍ରୋଗ୍ରାମରେ ବିଜୁଳି ବିଭ୍ରାଟ ପାଇଁ କିଏ ଦାୟୀ ? ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା କେବଳ ସମ୍ମାନ ନୁହେଁ, ସୁରକ୍ଷାଗତ ପ୍ରସଙ୍ଗ ମଧ୍ୟ । ଏଭଳି ଗୁରୁତର ତ୍ରୁଟି ପାଇଁ ବାସ୍ତବରେ ଦାୟୀ କିଏ ? ଗତକାଲି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଛି ରାଜନୀତି ।

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହାର ତଦନ୍ତ କରି ବିଧିବଦ୍ଧ ପଦକ୍ଷେପ ନନେଲେ ବିଜେପି କଳାଦିବସ ପାଳିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସିଧାସଳଖ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ଇଏ କୁଶାସନର ଉଦାହରଣ ବୋଲି କଟାକ୍ଷ କରିଛି କଂଗ୍ରେସ । ତେଣେ ବିଜେଡି କହିଛି ଏହା ଦୁଃଖଦାୟକ, କିନ୍ତୁ ଅନିଚ୍ଛାକୃତ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଲାଇନ କଟିଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ, ଅତି ଖାମଖିଆଲ ଭାବେ ଏହି ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ଯେ, କାଲି ଅପରାହ୍ଣ ସୁଦ୍ଧା ତଦନ୍ତ ରିପୋର୍ଟ ମଗାଯାଇଛି । ତେବେ ଏହାପଛରେ ଚକ୍ରାନ୍ତ ମଧ୍ୟ ଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।

କେବଳ ମଞ୍ଚରେ ବିଦ୍ୟୁତ ବିଭ୍ରାଟ ନୁହେଁ, ବାହାରେ ବି ରାଷ୍ଟ୍ରପତିଙ୍କ ସୁରକ୍ଷା ଉଲ୍ଲଂଘନର ଇଏ ଜ୍ୱଳନ୍ତ ପ୍ରମାଣ । ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିବା ବେଳେ, ଯଶିପୁର ହେଲିପ୍ୟାଡରେ ଥିବା ଗୋଟିଏ ହେଲିକପ୍ଟର ସହ ଏହି ଫଟୋ ଉଠିଛି । ତେବେ ଘଟଣା ପ୍ରଘଟ ହେବା ପରେ, ସଂପୃକ୍ତ ବ୍ୟକ୍ତି ଯଶୱନ୍ତ ବେହେରା ଫେସବୁକରୁ ଫଟୋ ଡିଲିଟ କରିବା ସହିତ, ରାଷ୍ଟ୍ରପତି ଆସିଥିବାରୁ ସ୍ମୃତିରକ୍ଷା ପାଇଁ ସେ ଏହି ସେଲଫି ନେଇଥିବା କହିଛନ୍ତି ।