• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ପ୍ରଥମ ଚରଣରେ ୨୦୦ ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅନ୍ତର୍ଗତ ପଂଚାୟତଗୁଡ଼ିକରେ ମତଦାନ ହେବ । ସେଥିଲାଗି ଆଜି ୧୧ଟି ଜିଲ୍ଲାର ବିଭିନ୍ନ ବୁଥ୍‌କୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆସନ୍ତାକାଲି ବଳକା ୧୯ଟି ଜିଲ୍ଲାକୁ ଯିବେ । ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍‌ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ । ପୁରୀ ଜିଲ୍ଲା ସାତପଡ଼ାର ଚିଲିକା ଭିତରେ ଥିବା କୃଷ୍ଣପ୍ରସାଦ ବ୍ଲକ୍‌ର ୧୪ଟି ପଂଚାୟତକୁ ଭସା ପୋଲ ଓ ଯନ୍ତ୍ରଚାଳିତ ଡଙ୍ଗାରେ ଯାଇଛନ୍ତି ପୋଲିଂ ପାର୍ଟି ।

କୃଷ୍ଣପ୍ରସାଦ ସମେତ ବ୍ରହ୍ମଗିରି ଓ କଣାସ ବ୍ଳକ୍‌ରେ ୧୬ ତାରିଖରେ ଭୋଟ୍ ପଡ଼ିବ । ଠିକ୍ ସେଭଳି ମାଓ ପ୍ରଭାବିତ ଇଲାକାରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁର୍ଗମ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପୋଲିଂ ପାର୍ଟି ଯାତ୍ରା କରିଛନ୍ତି । କୋରାପୁଟ ଜିଲ୍ଲା ପୋଲିସ ପରେଡ୍ ପଡିଆରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସ୍ପି ବରୁଣ ଗୁଣ୍ଟାପଲି ।

 

କୌଣସି ସ୍ଥାନରେ ମାଓ ପୋଷ୍ଟର-ବ୍ୟାନର୍ ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ସେ କହିଛନ୍ତି । ଫୋକସ୍‌ରେ ରହିଛି ସମସ୍ତ ସମ୍ବେଦନଶୀଳ ବୁଥ୍ । ସେପଟେ ନିକଟରେ ମାଓ ଉପଦ୍ରବ ବଢ଼ିଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କେ. ନୂଆଗାଁ ବ୍ଲକ୍‌ରେ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି ଏସ୍ପି ବିନିତ ଅଗ୍ରଓ୍ୱାଲ୍ । ପ୍ରଥମ ଦିନରେ ଆଜି ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ଆସନ୍ତାକାଲି ବାକି ୧୯ଟି ଜିଲ୍ଲାରେ ପୋଲିଂ ପାର୍ଟି ବୁଥରେ ପହ଼ଞ୍ଚିବେ ପ୍ରିଜାଇଡିଂ ଅଫିସର୍ ।

ସେପଟେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଲାଗି ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍, ୧୬୬୯ ପଂଚାୟତ ଓ ୨୨ହଜାର ୩୭୯ ଓ୍ୱାର୍ଡରେ ମତଦାନ ହେବ । ମୋଟ୍ ୬୭ ଲକ୍ଷ ୫୧ ହଜାର ଭୋଟର୍ ମତ ସାବ୍ୟସ୍ତ କରିବେ । ପ୍ରତି ମତଦାନ କେନ୍ଦ୍ରରେ ପ୍ରାର୍ଥୀମାନଙ୍କ ନାଁ ସହ ସେମାନଙ୍କୁ ମିଳିଥିବା ଚିହ୍ନ ରହିବ ।

ତେବେ ବାଲାଟ୍ ପେପର୍‌ରେ କେବଳ ଚିହ୍ନ ରହିବ ଭୋଟର୍ । ଯଦି ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି ତାହେଲେ ତାହା ବୈଧ ହେବ ନାହିଁ। ତେବେ ଯଦି ଜଣେ ଭୋଟର୍ ଜଣେ ପ୍ରାର୍ଥୀ ଓ ବାଲାଟ୍ ପେପର ଫୋଲ୍ଡ ହୋଇଥିବା ସ୍ଥାନ ଅର୍ଥାତ ପ୍ରାର୍ଥୀ ନଥାଇ ଅନ୍ୟ ଚିହ୍ନରେ ବି ଭୋଟ୍ ଦେଇଦିଅନ୍ତି, ତାହେଲେ ତାକୁ ବୈଧ ଧରାଯିବ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ରନାଥ ସାହୁ ।

ପଂଚାୟତ ନିର୍ବାଚନ ପାଇଁ ଦିନେ ଛାଡି ଦିନେ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଏହାପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣତି କରାଯିବ ।