• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଭେଟଘାଟକୁ ନେଇ ବିବାଦ ତେଜିଲା ପ୍ରୋଟୋକଲ ପଲିଟିକ୍ସ । କଂଗ୍ରେସ ଉଠାଇଲା ପ୍ରୋଟୋକଲ୍ ଉଲ୍ଲଂଘନର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଗତକାଲି ରାତିରେ ରାଜ୍ୟପାଳ ରଘୁବର ଦାସ, ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ସାମ୍ୱିଧାନିକ ପ୍ରୋଟୋକଲର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଛନ୍ତି । ଏହାସହ ରାଜ୍ୟପାଳଙ୍କ ଅଫିସକୁ ପଚାରିଛନ୍ତି ତିନିଟି ପ୍ରଶ୍ନ ।

  1. ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିବାକୁ ଯାଇଥିଲେ କି ରାଜ୍ୟପାଳ? କାରଣ ପଞ୍ଚାନନଙ୍କ କହିବା କଥା ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲେ ରାଜ୍ୟପାଳ ଦେଖିବାକୁ ଯାଇପାରିବେ ।
  2. ଦ୍ୱିତୀୟ ପ୍ରଶ୍ନ ହେଲା ଦିଲ୍ଲୀରୁ ଫେରି ପ୍ରଧାନମନ୍ତ୍ରୀଙ୍କ କୌଣସି ବାର୍ତ୍ତା ଦେବାକୁ ଯାଇଥିଲେ କି ରାଜ୍ୟପାଳ ?
  3. ନା ଦୀପାବଳି ଭେଟି ଦେବାକୁ ଯାଇଥିଲେ ?

ଏକଥା ରାଜ୍ୟପାଳଙ୍କ ଅଫିସ ସ୍ପଷ୍ଟ କରୁ ବୋଲି ପଞ୍ଚାନନ ଦାବି କରିଛନ୍ତି । ସେପଟେ ପଞ୍ଚାନନଙ୍କ ପ୍ରଶ୍ନ ବାଣ ପରେ ଘନେଇଛି ରାଜନୀତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ କଂଗ୍ରେସର ଛୋଟ ମନ, ଛୋଟ ପ୍ରକୃତି ବୋଲି କହିଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ କୌଣସି ବାର୍ତ୍ତା ରାଜ୍ୟପାଳ, ନବୀନଙ୍କୁ ଦେଇଛନ୍ତି ତାର ପ୍ରମାଣ ଦେଉ କଂଗ୍ରେସ । ସେପଟେ ବିଜେଡି କହିଛି ରାଜ୍ୟର ମୁଖ୍ୟଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇବାକୁ ରାଜ୍ୟପାଳ ଯାଇଥିଲେ । ଏହାକୁ ନେଇ ଅଯଥାରେ ରାଜନୀତି କରୁଛି କଂଗ୍ରେସ ।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରୋଟୋକଲ ଦୃଷ୍ଟିରୁ ଯାଇନଥାନ୍ତି ରାଜ୍ୟପାଳ । ତେବେ ଗତକାଲି ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ପଠାଇଥିବା ପ୍ରେସ୍ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ରାଜ୍ୟପାଳ ଓଡିଶାର ବିକାଶ ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥତା କାମନା କରିଛନ୍ତି । ତେବେ ସମ୍ୱିଧାନ ବିଶାରଦଙ୍କ ମତ ହେଲା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯାଇ ନ ଭେଟିବାର ନିୟମ ସମ୍ୱିଧାନରେ ନାହିଁ ।

ଅପରପକ୍ଷେ କଂଗ୍ରେସର ଅଭିଯୋଗ ନେଇ ରାଜଭବନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

  • Reported by:
  • DEBASHISH MOHANTY , JAGDISH DAS , SOUMYA RANJAN SAHOO