Odisha Politics: ଶେଷ ହେଲା ଶୀତକାଳୀନ ଅଧିବେଶନ...ରାଜନୈତିକ ଶୂନ୍ୟତାରେ ବିରୋଧୀ

ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜେଡି ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ ଶକ୍ତି ବିଭାଗର ସେବିକାମାନଙ୍କର ଦରମା, ଆଳୁ ସଙ୍କଟ, ଦରଦାମ ବୃଦ୍ଧି, ଧାନମଣ୍ଡିରେ ଅବ୍ୟବସ୍ଥା, ୨୫ରୁ ୩୫ ଲକ୍ଷ ଟଙ୍କାରେ ଆସିଷ୍ଟାଣ୍ଟ ସେକ୍ସସନ ଅଫିସର ଚାକିରି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ କାଠଗଢାରେ ଛିଡା କରିବା ପାଇଁ ପ୍ରୟାସ କରିଥିଲେ ବିରୋଧୀ ଦଳ ।

ରାଜନୈତିକ ଶୂନ୍ୟତା ଭିତରେ ବିରୋଧୀ

ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବହୁ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଡିସେମ୍ବର ୩୧ ତାରିଖ ଦିନ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲେ ହେଁ ୧୨ ଦିନ କାର୍ଯ୍ୟ ଦିବସ ପରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାଚଷ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଛନ୍ତି । ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ ଶକ୍ତି ବିଭାଗର ସେବିକାମାନଙ୍କର ଦରମା, ଆଳୁ ସଙ୍କଟ, ଦରଦାମ ବୃଦ୍ଧି, ଧାନମଣ୍ଡିରେ ଅବ୍ୟବସ୍ଥା, ୨୫ରୁ ୩୫ ଲକ୍ଷ ଟଙ୍କାରେ ଆସିଷ୍ଟାଣ୍ଟ ସେକ୍ସସନ ଅଫିସର ଚାକିରି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ କାଠଗଢାରେ ଛିଡା କରିବା ପାଇଁ ପ୍ରୟାସ କରିଥିଲେ ବିରୋଧୀ ଦଳ ।

ଏହି ଅଧିବେଶନରେ ଯାହା ସବୁଠାରେ ଉଲ୍ଲେଖନୀୟ ଥିଲା ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୂଚିତ ସାଧନର ନିବାରଣ) ବିଲ୍ -୨୦୨୪କୁ ନିଜେ ଗୃହ ବିଭାଗ ମନ୍ତ୍ରୀ ଭାବେ ଆଗତ କରିବା ଏବଂ ଏହାକୁ ପାରିତ କରିବା ପାଇଁ ଦକ୍ଷତାର ସହ ଉଦ୍ୟମ କରିବା । ଏକ ବିଲ୍ ବା ଚିଠା ବିଧେୟକ ପ୍ରଥମେ ଗୃହରେ ଆଗତ କରାଯାଏ । ଏହାପରେ ଏହି ବିଧେୟକ ଉପରେ ଆଲୋଚନା ହୁଏ ଏବଂ ସର୍ବଶେଷରେ ଏହା ଗୃହରେ ପାରିତ ହୋଇଥାଏ ।

ବିଧେୟକ ଆଲୋଚନା ସମୟ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ଏହି ସମୟରେ ବିରୋଧୀମାନେ ବିଭିନ୍ନ ଅନୁଚ୍ଛେଦରେ ସଂଶୋଧନ ପ୍ରସ୍ତାବ ଆଣିଥାନ୍ତି । ଏହି ସଂଶୋଧନ ପ୍ରସ୍ତାବଗୁଡିକ ଉପରେ ବେଶ୍ ସରଗରମ ଆଲୋଚନା ହୋଇଥାଏ । ଯାହା ଦେଖାଗଲା ବିରୋଧୀ ବିଜେଡି ପକ୍ଷରୁ କେବଳ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗଣେଶ୍ୱର ବେହେରା ଏହି ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ସରକାରକୁ ଜୋରଦାର ଭାବରେ ଅକଳରେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ପ୍ରାୟତଃ ନୀରବ ରହିଥିଲେ ।

ଯେତେବେଳେ ସରକାରଙ୍କୁ ବିଧାନସଭା ବା ବାହାରେ ଘେରାଯାଏ, ସେତେବେଳେ ଯଦି ବିରୋଧୀଦଳ ନେତା ନେତୃତ୍ୱ ନିଅନ୍ତି, ତେବେ ତାହାର ଅଲଗା ଏକ ମହତ୍ୱ ରହିଥାଏ । ସରକାର ଉପରେ ଏହାର ଗଭୀର ପ୍ରଭାବ ପକାଇବା ସହିତ ଜନସାଧାରଣରେ ବିରୋଧୀମାନଙ୍କ ପ୍ରତି କ୍ରମଶଃ ଆବିଳତା ବା ଭଲପାଇବା ବଢିଥାଏ ଏବଂ ପରବର୍ତୀ ସମୟରେ ଏହା ରାଜନୈତିକ ପୁଞ୍ଜିରେ ପରିଣତ ହୋଇ ବେଶ୍ ଲାଭଦାୟୀ ସାବସ୍ତ୍ୟ ହୋଇଥାଏ ।

ଆଦୌ ମାଟିର ଭାଷା ନଜାଣି ଭାଗ୍ୟର ସହୟତା ନେଇ ଓଡ଼ିଶା ଶାସନରେ ୨୪ ବର୍ଷ ରହିବାର ଇର୍ଷଣୀୟ ଇତିହାସ ରଚିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍ ସମୟରେ ଆଦୌ ଅଂଶଗ୍ରହଣ କରିବା ଦେଖାଗଲା ନାହିଁ ।
ଜନତା ଦଳର ଆସି ବିଜେଡିରେ ଯୋଗଦେଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରି ନବୀନ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ସମୟରେ ପୂରା ଚୁପ୍ ରହିଲେ । ଏଥିରୁ ଜନସାଧାରଣଙ୍କ ପାଖକୁ ଯେଉଁ ବାର୍ତ୍ତାଟି ଗଲା ତାହା ହେଲା ଯେ ବିଜେଡିର ଅରିଜିନାଲ ନେତାମାନଙ୍କ ଅପେକ୍ଷା ଆମଦାନୀ ନେତାଙ୍କ ଦକ୍ଷତା ଅଧିକ । ଅତୀତରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ତରଫରୁ ଅନ୍ୟମାନେ ବିଧେୟକ ଉପସ୍ଥାପନ କରିବା ସହିତ ବିଧାନସଭାରେ ତାଙ୍କ ବିଭାଗର ଉତ୍ତର ରଖିଥାନ୍ତି ।

‘ମନ୍ତ୍ରିମଣ୍ଡଳ ଏକ ସମଷ୍ଠିଗତ ଦାୟିତ୍ୱ’ ଆଳରେ ଅନ୍ୟମାନଙ୍କ ଉପରେ ବିଧେୟକ ଉପସ୍ଥାପନ ଦାୟିତ୍ୱ ଦେଇଦେଇ ନବୀନ ଆରାମ କରନ୍ତି । ବର୍ତମାନ ସେ ସମୟ ନାହିଁ । ନିଜକୁ ସାମ୍ନାକୁ ଆଣି ଡ୍ରାଇଭର ସିଟ୍ ବସି ଗାଡି ନଚଲାଇଲେ ନହୁଏ । ନଚେତ୍ ଜନତାଙ୍କ ପାଖରେ ସେହି ବାର୍ତା କାଏମ ରହିବ ଯେ ନବୀନ ସର୍ବଦା ଏକ ପ୍ୟାରୀ ବା ପାଣ୍ଡିଆନ୍‌ଙ୍କ ସାହାରା ଚାହାନ୍ତି ।

ଅପରପକ୍ଷରେ ଯାହା ଦେଖାଗଲାଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସାର୍ବଜନୀନ ପରୀକ୍ଷା (ଅନୂଚିତ ସାଧାନର ନିବାରଣ) ବିଲ୍ -୨୦୨୪ ଆଗତ କଲେ । ବିଧାନସଭା ଭାଷାରେ ଏହାକୁ ପାଇଲଟିଂ କୁହାଯାଏ । ପାଇଲଟ ଉଡାଜାହଜ ଚଳାଇବା ପରି ବିଧାନସଭାରେ ବିଧେୟକ ଆଗତ କରି ଆଲୋଚନା ଓ ପାରିତ ପର୍ଯ୍ୟାୟରେ ବିରୋଧୀମାନଙ୍କ ବିରୋଧ ପ୍ରତିରୋଧାତ୍ମକ ସ୍ରୋତକୁ ସାମ୍ନା କରିବା ଏକ ଦୁଃସାହସିକ କାର୍ଯ୍ୟ । ଏହି କାର୍ଯ୍ୟକୁ ବେଶ୍ ଉତ୍କର୍ଷତାର ସହିତ ସମ୍ପାଦିତ କରି ମୋହନ ବିଗତ ୨୪ ବର୍ଷର ଅଲୋଡା ଇତିହାସକୁ ହଟାଇବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୁନଃସ୍ଥାପିତ କରିଛନ୍ତି ବୋଲି କୁହାଯାଇପାରେ ।

ବିଧାନସଭା ବାହାର କଥା ଯଦି ଆଲୋଚନା କରିବା ତେବେ ଏହା ମଧ୍ୟରେ ନିର୍ବାଚନ ସରିବା ଛଅ ମାସ ଅତିକ୍ରାନ୍ତ ହୋଇସାରିଲାଣି । ଏହା ମଧ୍ୟରେ ବିଜେଡି ତରଫରୁ ସେମିତି କିଛି ବଡ ଧରଣ ଆନ୍ଦୋଳନ କିମ୍ବା ବିକ୍ଷୋଭ ସରକାରଙ୍କ ବିରୋଧରେ କିଛି କରାଯାଇନାହିଁ । ଅନୁରୂପ ଭାବରେ କଂଗ୍ରେସ କ୍ୟାମ୍ପ ମଧ୍ୟ ନୀରବ । ଦଳର ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏହା ମଧ୍ୟରେ ଇସ୍ତଫା ଦେବା ଛଅ ମାସ ହୋଇସାରିଲାଣି । ଦଳ ଏ ପର୍ଯ୍ୟନ୍ତ ନୂତନ ରାଜ୍ୟ ସଭାପତି ବାଛି ପାରିଲା ନାହିଁ । ରାଜ୍ୟ ଶାସନ ବ୍ୟବସ୍ଥାରୁ ୨୪ ବର୍ଷରୁ ଉର୍ଦ୍ଧ ବାହାରେ ରହିଲେ ମଧ୍ୟ ଦଳର କିଛି ଗୋଷ୍ଠୀର ନେତା ସେମାନଙ୍କ ପୂରୂଣା ଅଭ୍ୟାସ ଛାଡି ପାରିନାହାଁନ୍ତି । ଏବେ ବି ଦଳରେ ଗୋଷ୍ଠି କନ୍ଦଳ ରହିଥିବା ଜଳଜଳ ହେଉଛି । ଦଳର ରାଜ୍ୟ ସଭାପତି ପାଇଁ ବିଭିନ୍ନ ଗୋଷ୍ଠୀର ନେତା ଲବି କରିବାରେ ବ୍ୟସ୍ତ ।

ଅଧିକ ପଢ଼ନ୍ତୁ:ଗୃହରେ ପୋଲାଭରମ୍ ତାତି; ଚାଲିପାରିଲାନି ପ୍ରଶ୍ନକାଳ, ନବୀନ କହିଲେ...

ପୂର୍ବରୁ ଦେଖାଯାଇଛି ଯେ କୌଣସି ଜଣେ ନେତା କଂଗ୍ରେସର ରାଜ୍ୟ ସଭାପତି ହେଲେ ପ୍ରଥମ ମାସେ ବା ଦୁଇମାସ ତାଙ୍କ ପଛରେ ସମସ୍ତେ ରହିବା କଥା କୁହନ୍ତି କିନ୍ତୁ ଏହାପରେ ସେହି ପୂରୂଣା ଗୋଷ୍ଠୀ ସମସ୍ୟା ବା ବ୍ୟାଧି ଦେଖାଯାଏ । ଦଳ ଶାସକ ଦଳକୁ ଚେକ୍ ଦେବ କ’ଣ, ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡେ । ବିଜେପି ରାଜ୍ୟ ଶାଖା ବର୍ତମାନ ସଭ୍ୟ ସଂଗ୍ରହରେ ବ୍ୟସ୍ତ । ଆଗାମୀ ଦିନରେ ପଚାଂୟତ ଓ ପୌର ନିର୍ବାଚନ ରହିଛି । ଏବେ ବି ବିଜେଡି ଭୋଟ୍ ହାରରେ ବିଜେପି ଠାରୁ ଆଗରେ ରହିଛି ।

ପଚାଂୟତ ଓ ପୌର ନିର୍ବାଚନରେ ବିଜେପିକୁ ଭଲ କରି ବିଧାନସଭାରେ ଯେଉଁ ବିଜୟ ହୋଇଛି, ତା’କୁ ଆଉ ପାଦେ ଆଗକୁ ନେବାକୁ ପଡିବ । ଯଦି କୌଣସି ପରିସ୍ଥିତିରେ ଦଳ ଭଲ କରିନପାରେ, ତେବେ ବିଜେଡିକୁ କୁଣ୍ଢେ ବଳ ମିଳିଯିବ ରାଜନୈତିକ ଆକ୍ରମଣ କରିବା ପାଇଁ । ଏହା ନୁହେଁ ଯେ ବିଜେପି ଏ ବିଷୟରେ ଅଛପା ଅଛି । ତେଣୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ସଙ୍ଗଠନ ଦାୟିତ୍ୱରେ କୌଣସି ଅବହେଳା କରୁଥିବା ଦେଖାଯାଉନାହିଁ ।

ବିଜେପିର ନିରନ୍ତର ସଙ୍ଗଠନ ସୁଦୃୃୃଢ ପ୍ରକ୍ରିୟାକୁ ଦେଖି ବିଜେଡି ସଭାପତି ଏବେ ତାଙ୍କ ଦଳର ବିଧାୟକମାନଙ୍କୁ ଡାକି ସଦସ୍ୟ ସଂଗ୍ରହ ତାଲିକା ମାଗିଛନ୍ତି । ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ପଦଯାତ୍ରା କରିବାକୁ ଥିବା ନବୀନ ଏ ପର୍ଯ୍ୟନ୍ତ ତାଙ୍କ ଉଆସ ଛାଡି ବାହାରକୁ ବାହାରି ନାହାନ୍ତି । ଦେଖାଯାଉ ସଦସ୍ୟ ତାଲିକା ପାଇବା ପରେ ସେ ନିଜ ଦଳର ଅସ୍ଥିର ହୋଇପଡିଥିବା ନୌକାକୁ କିପରି ସଜାଡୁଛନ୍ତି ।

ଗୋଟିଏ ପଟେ ବିରୋଧୀମାନେ ନିର୍ବାଚନ ପରେ ସମ୍ପୂର୍ଣ୍ଣ ଦିଗହରା ହୋଇପଡିଥିବା ବେଳେ ଶାସକ ବିଜେପି ଏକ ନିର୍ଦ୍ଧିଷ୍ଟ ରଣନୀତି ନେଇ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ ଜୋରଦାର କରିଛି । ବିରୋଧୀମାନେ କ୍ରମଶଃ ଦୂର୍ବଳ ହୋଇପଡିବା କାରଣରୁ ରାଜ୍ୟରେ ବର୍ତ୍ତମାନ ଏକ ରାଜନୈତିକ ଶୂନ୍ୟତାର ପର୍ଯ୍ୟାୟ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଚଳିତ ନିର୍ବାଚନ ପୂର୍ବରୁ ନବୀନଙ୍କ ଗୋଟି ଚାଳନା ଯୋଗୁ ବିରୋଧୀମାନେ ନିରସ୍ତ୍ର ହୋଇ ଓଡ଼ିଶାରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା, ସେଥିପାଇଁ ବହୁ କ୍ଷତି ସହିବାକୁ ପଡିଥିଲା । ଦୃଢ ବିରୋଧୀଙ୍କ ଅନୁପସ୍ଥିତିରେ ଦୁର୍ନୀତି, ଅନ୍ୟାୟ, ଅନାଚାର ଓ ଅତ୍ୟାଚାର ଶେଷ ସୀମାକୁ ଟପିଯାଇଥିଲା ।

ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜନୈତିକ ଶୂନ୍ୟତା କେବେ ଏକ ଶୁଭସୂଚକ ନୁହେଁ । ତେଣୁ ବିରୋଧୀମାନେ ଯେତେ ଶୀଘ୍ର ଏହି ଶୂନ୍ୟତାରୁ ନିଜକୁ ବାହାର କରିପାରିବେ, ତାହା ଗଣତନ୍ତ୍ର ପାଇଁ ଶୁଭସୂଚକ ସାବ୍ୟସ୍ତ ହେବ। 

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

akshayakumarsahoo@gmail.com