Advertisment

Political Controversy: ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼; ଦଳ-ସରକାରକୁ ଘେରି ବିରୋଧୀଙ୍କ ଜୋରଦାର ହମଲା

"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼।

undefined

Political controversy escalates over Jayanarayan merger mistake remark

Advertisment

ସମ୍ବଲପୁର ସୁଭଦ୍ରା ସଭାରେ ବିଜେପି ବିଧାୟକ ଜୟନାୟରଣଙ୍କ ଉତ୍କଳ-କୋଶଳ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବୟାନବାଜି। ବିରୋଧୀ ବିଜେଡି ଓ କଂଗ୍ରେସ, ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବେଳେ, ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଜୟନାରାୟଣଙ୍କ ବ୍ୟକ୍ତିଗତ ମତ। ବିଜେପି ସରକାର ଆଂଚଳିକ ବାଦରେ ବିଶ୍ବାସ କରେନି। ବରଂ ମୋହନ ସରକାର ପଶ୍ଚିମ ଓଡ଼ିଶାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ସେପଟେ ଉତ୍କଳ ସମ୍ମିଳନୀ, ଜୟନାରାୟଣଙ୍କ ମନ୍ତବ୍ୟର ତୀବ୍ର ପ୍ରତିବାଦ କରିଛି।

Advertisment

"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼। ବିଜେପି ଓ ଜୟନାରାୟଣଙ୍କୁ ବିରୋଧୀଙ୍କ ଶାଣିତ ଆକ୍ରମଣ। ବିଜେଡି କହିଛି ନିଜ ସ୍ବାର୍ଥ ସାଧନ ପାଇଁ ଏମିତି ବିଭେଦ ସୃଷ୍ଟି କରୁଛନ୍ତି ବିଜେପି ନେତା। ଯିଏ ଏମିତି କହୁଛନ୍ତି ଓଡ଼ିଶା ଦୁଇଭାଗ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାର ଆଶା ବାନ୍ଧିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଅନୁରୂପ ହମଲା କରି ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି ଆଜି କୋଶଳ କଥା ଉଠୁଛି, କାଲି ଦକ୍ଷିଣାଞ୍ଚଳ, ତାପରେ ଉତ୍ତରାଞ୍ଚଳ କଥା ଉଠିବ, ତା ହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ପ୍ରଶ୍ନ କରିଛନ୍ତି। ତେବେ ଏହା ଜୟନାରାୟଣଙ୍କର ବ୍ୟକ୍ତିଗତ ମତ, ବିଜେପି କେବେ ଓଡ଼ିଶାକୁ ଭାଗ କରିବା ଚାହେଁନି କି ଆମ ଭିତରେ ଉତ୍କଳ-କୋଶଳ ଆଂଚଳିକ ଭେଦଭାବ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋହନ ସରକାର ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି।

ଅଧିକ ପଢ଼ନ୍ତୁ:ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନାଚୁଛନ୍ତି ବିଜେଡି ନେତା: ଜୟନାରାୟଣ

ପଶ୍ଚିମ ଓ ପୂର୍ବ ଓଡ଼ିଶା ବିବାଦ କିଛି ନୂଆ ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ପଶ୍ଚିମ ଓଡ଼ିଶାକୁ ଅବହେଳାର ଅଭିଯୋଗ ବହୁ ପୁରୁଣା, ସେମିତି କୋଶଳ ରାଜ୍ୟକୁ ନେଇ ଆନ୍ଦୋଳନ ବି। ସରକାରୀ ଅବହେଳା ବିରୋଧରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏକଦା ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ଆନ୍ଦୋଳନର ନେତୃତ୍ବ ନେଇଥିଲା ବେଳେ କାଳକ୍ରମେ ଏହା ଶିଥିଳ ପଡ଼ି ଆସିଥିଲା। ତେବେ ଗତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅବହେଳା ପ୍ରସଙ୍ଗକୁ ପୁଣି ଉଠାଇ ଆବଶ୍ୟକ ହେଲେ ଓଡ଼ିଶା ଦୁଇଫାଳ ହେବ କହି ନିଆଁରେ ଘିଅ ଢାଳିଥିଲେ ବରିଷ୍ଠ କଂଗ୍ରେସ୍ ନେତା ନରସିଂହ ମିଶ୍ର। ଏମିତି ବିଧାନସଭାରେ ବି ଏହା କହିଥିଲେ ନରସିଂହ। ଅନ୍ୟପକ୍ଷରେ ସେହି ସମୟରେ ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବ୍ୟାନ୍ କରିବା ପ୍ରସଙ୍ଗକୁ ନେଇ ବି ଅସନ୍ତୋଷର ନିଆଁ ଜଳିଥିଲା। ଆଉ ଏବେ ଜୟନାରାୟଣଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ସଂପୂର୍ଣ୍ଣ ସମର୍ଥନ ନକଲେ ବି ଜୟନାରାୟଣଙ୍କ କଥାକୁ ବିରୋଧ କରୁନି ବୋଲି କହିଛନ୍ତି ନରସିଂହ। ଅପରପକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଭଳି ବିଭାଜନକାରୀ ମନ୍ତବ୍ୟର ତୀବ୍ର ନିନ୍ଦା କରାଯାଇଛି।

Advertisment

ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ଏକପ୍ରକାର ସରକାର ଓ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କୋଶଳ-ଉତ୍କଳ ବିବାଦକୁ ନୂଆ ସରକାର କିଭଳି ଢଙ୍ଗରେ ନେଉଛନ୍ତି, କଣ ସମାଧାନର ରାସ୍ତା ବାହାର କରୁଛନ୍ତି ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର

BJD BJP Congress Jayanarayan Mishra Political Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ