Advertisment

ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନରେ ଗଡ଼ିଲା ଟ୍ରେନ୍, ସାକାର ହେଲା କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

undefined

Narendra Modi

Advertisment

ବିକଶିତ ଭାରତ, ବିକଶିତ ଓଡ଼ିଶା। ଏଇ ଲକ୍ଷ୍ୟ ନେଇ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ ଆଜି ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କାର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ମଧ୍ୟରେ ସର୍ବାଗ୍ରେ ରହିଛି ୧୬୨ କିମି ବିଶିଷ୍ଟ ବାଂଶପାଣି-ଦୈତାରୀ-ଟମ୍କା-ଜଖପୁରା ରେଳ ଲାଇନ୍। ଶିଳାନ୍ୟାସ ହୋଇଛି ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ-ପାରାଦୀପ ସେକ୍ସନ ଯାଏ ୭୭ କିମି ବିଶିଷ୍ଟ ୮ ଲେନ୍ ରାସ୍ତା। ଏଥିସହ ଉଦଘାଟିତ ହୋଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ପାରାଦୀପ ବିଶୋଧନାଗାରରେ ମୋନୋ ଇଥିଲିନ୍ ଗ୍ଲାଇକୋଲ୍(ଏମ୍ଇଜି) ପ୍ରକଳ୍ପ ଓ ଇଣ୍ଡିଆନ୍ ଅଏଲ୍ ଏଲପିଜି ଆମଦାନୀ ଟର୍ମିନାଲ୍ ଏବଂ କଳିଙ୍ଗ ନଗର ଅଞ୍ଚଳରେ କୋନ୍କୋର୍ କଣ୍ଟେନର୍ ଡିପୋ। ତା ସହ ଚଣ୍ଡିଖୋଲ ସଭାମଞ୍ଚରୁ ସବୁଜ ପତାକା ଦେଖାଇ ଭର୍ଚ୍ଚୁଆଲରେ ପ୍ରଧାନମନ୍ତ୍ରୀ କେନ୍ଦୁଝରଗଡ଼ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ୍ ମଧ୍ୟରେ ନୂଆ ଟ୍ରେନ ଏବଂ ପାରାଦୀପ ଷ୍ଟେସନରୁ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ ନୂଆ ମେମୁ ଟ୍ରେନର ବି କରିଛନ୍ତି ଶୁଭାରମ୍ଭ।

Advertisment

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ଗଂଜାମରେ ଯେଉଁ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି ସେଥିରୁ ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ।

ପ୍ରଧାନମନ୍ତ୍ରୀ ଗ୍ରୀନ ସିଗନାଲ ପରେ ପୂରଣ ହୋଇଛି କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଅଢ଼େଇ ଦଶନ୍ଧିର ସ୍ୱପ୍ନ। ଉପକୂଳ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳ ଲାଇନକୁ ୧୯୯୫ ମସିହାରେ ମଞ୍ଜୁରୀ ମିଳିଥିଲା। ହେଲେ ୨୦୦୯ ପର୍ଯ୍ୟନ୍ତ ଫାଇଲ୍ ତଳେ ଚାପି ହୋଇ ରହିଥିଲା। ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ ପରେ ବୈଜୟନ୍ତ ପଣ୍ଡା ପ୍ରଥମେ ଏହାକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଥିଲେ। ଯାହାଦ୍ୱାରା ପ୍ରକଳ୍ପର କିଛି ଅଂଶକୁ ମଂଜୁରୀ ମିଳିବା ସହ ୨୦୧୩ରେ ଜମି ଅଧିଗ୍ରହଣ ଓ କାମ ଆଗେଇଲା।

Advertisment

୨୦୧୫ରେ ବୈଜୟନ୍ତ, ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିବା ପରେ ପ୍ରକଳ୍ପ ପାଇଁ ୨ଶହ କୋଟି ଟଙ୍କା ମଂଜୁର ହୋଇଥିଲା।। ଆଉ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧିତ୍ୱ ସରିବା ବେଳକୁ ପ୍ରକଳ୍ପର ୯୫ ପ୍ରତିଶତ କାମ ସରିଯାଇଥିଲା। ଆଜି ସେଇ ନୂଆ ଲାଇନରେ ପାରଦୀପ ଷ୍ଟେସନରୁ ବାହାରି ଯାଜପୁରର ହରିଦାସପୁର ଦେଇ କେନ୍ଦୁଝରକୁ ଗଡ଼ିଛି ନୂଆ ମେମୁ ଟ୍ରେନ୍। ଯାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି କେନ୍ଦ୍ରାପଡ଼ାବାସୀ।

Narendra Modi Baijayant Panda Prime Minister Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ