‘ଜାତି ନାଁରେ ବିଷ ବୁଣୁଛି କଂଗ୍ରେସ, ଦେଶକୁ ବଦନାମ ପାଇଁ କରୁଛି ଷଡ଼ଯନ୍ତ୍ର’

ଯୁବକଙ୍କୁ ବି କଂଗ୍ରେସ ଉସୁକାଇଥିଲା, ହେଲେ ସେମାନେ କଂଗ୍ରେସକୁ ଉଚିତ୍ ଶିକ୍ଷା ଦେଲେ । ଆଜିର ଫଳାଫଳରୁ ସ୍ପଷ୍ଟ ହୋଇଛି, କଂଗ୍ରେସ ଏବେ ପରଜୀବୀ ପାର୍ଟି ।

Narendra Modi

ହରିୟାଣାରେ ଐତିହାସିକ ବିଜୟ ଓ ଜାମ୍ମୁ କାଶ୍ମୀରରେ ଭଲ ପ୍ରଦର୍ଶନ ପରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିର ସେଲିବ୍ରେସନ । ବିଜୟ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୟ ଉତ୍ସବରେ ପହଞ୍ଚିବା ପରେ ମୋଦିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରିଥିଲେ ଦଳୀୟ ନେତା ଓ କର୍ମକର୍ତ୍ତା ।

ଏହି ଅବସରରେ ମୋଦି ଆଜିର ବିଜୟକୁ ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ ବୋଲି କହିଥିଲେ । ସେ ଆହୁରି କହିଛନ୍ତି ଯେ, ନବରାତ୍ରର ପବିତ୍ର ଦିନରେ ହରିୟାଣାରେ ବିଜୟ ହାସଲ କଲୁ । ହରିୟାଣାରେ ସବୁ ବର୍ଗର ଲୋକେ ଆମକୁ ଭୋଟ୍ ଦେଲେ । ହରିୟାଣାର ବିଜୟ ଦଳୀୟ କର୍ମକର୍ତ୍ତାଙ୍କ କଠିନ ପରିଶ୍ରମର ଫଳ । ହରିୟାଣାରେ ମିଥ୍ୟା ଉପରେ ବିକାଶର ବିଜୟ ହୋଇଛି । କଂଗ୍ରେସ ଅନେକ ମିଛ ପ୍ରଚାର କରିଥିଲା, କିନ୍ତୁ ଲୋକେ ବିକାଶକୁ ବାଛିଲେ ବୋଲି ମୋଦି କହିଥିଲେ ।

ହରିୟାଣାରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳେ । କିନ୍ତୁ ଏଥର ହରିୟାଣାରେ ଯାହା ହୋଇଛି, ପୂର୍ବରୁ ହୋଇ ନଥିଲା । ହରିୟାଣାରେ ମୋଟ ୧୩ ଥର ନିର୍ବାଚନ ହୋଇଥିବା ବେଳେ ୧୦ ଥର ହରିୟାଣାବାସୀ କୌଣସି ଦଳକୁ ଲଗାତର ଦ୍ବିତୀୟ ଓ ତୃତୀୟ ଥର ପାଇଁ କ୍ଷମତାକୁ ଆଣିନଥିଲେ । କିନ୍ତୁ ବିଜେପି ପ୍ରଥମ ଥର ୧୦ ବର୍ଷର ସରକାର ପରେ ପୁଣି ତୃତୀୟ ଥର କ୍ଷମତାକୁ ଆସିଛି । ବିଜେପିକୁ ଲଗାତାର ତୃତୀୟ ଥର ନିର୍ବାଚିତ କରି ଇତିହାସ ରଚିଲେ ଲୋକେ । ବିକାଶର ମୁଦ୍ଦା ଉପରେ ଲୋକେ ହାଟ୍ରିକ ମାରିଛନ୍ତି । ଏହି ବିଜୟ ପାଇଁ ଦଳୀୟ କର୍ମକର୍ତ୍ତା, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କୁ ଶ୍ରେୟ ଦେଇଛନ୍ତି ମୋଦି । ଗୁଜରାଟ ଓ ମଧ୍ୟପ୍ରଦେଶରେ ୨ ଦଶନ୍ଧିରୁ ବିଜେପିର ସରକାର । ଯେଉଁଠି ବିଜେପି ସରକାର କରେ, ଲୋକେ ଦୀର୍ଘ ବର୍ଷ ଧରି ସମର୍ଥନ କରନ୍ତି ବୋଲି ମୋଦି କହିଛନ୍ତି ।

ହରିୟାଣା ବିଜୟ ପରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି, ଅନେକ ରାଜ୍ୟରେ କଂଗ୍ରେସ ୫୦/୬୦ ବର୍ଷ ଯାଏଁ କ୍ଷମତାକୁ ଆସିନି । ଜନତା କଂଗ୍ରେସ ପାଇଁ ନୋ ଏଣ୍ଟ୍ରିର ବୋର୍ଡ ଲଗାଇ ଦେଇଛନ୍ତି । ଜାତି ନାଁରେ କଂଗ୍ରେସ ବିଷ ବୁଣୁଛି, ଦେଶକୁ ବଦନାମ ପାଇଁ ଷଡ଼ଯନ୍ତ୍ର କରୁଛି । ଦଳିତ, ଆଦିବାସୀ, ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର କରିଛି କଂଗ୍ରେସ । ଅରାଜକତା ସୃଷ୍ଟି କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି । ହରିୟାଣାରେ ଚାଷୀମାନେ କଂଗ୍ରେସକୁ ଉଚିତ୍ ଜବାବ ଦେଲେ ବୋଲି ମୋଦି କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି ଯେ, ଯୁବକଙ୍କୁ ବି କଂଗ୍ରେସ ଉସୁକାଇଥିଲା, ହେଲେ ସେମାନେ କଂଗ୍ରେସକୁ ଉଚିତ୍ ଶିକ୍ଷା ଦେଲେ । ଆଜିର ଫଳାଫଳରୁ ସ୍ପଷ୍ଟ ହୋଇଛି, କଂଗ୍ରେସ ଏବେ ପରଜୀବୀ ପାର୍ଟି । ହରିୟାଣାରେ କଂଗ୍ରେସ ଏକା ଲଢ଼ିଥିଲା, ବଡ଼ ପରାଜୟ ମିଳିଲା । କାଶ୍ମୀରରେ କଂଗ୍ରେସ ପାଇଁ କ୍ଷତି ହେଉଥିବା ସହଯୋଗୀ ଦଳ କହୁଥିଲେ । ଆଜିର ଫଳାଫଳରେ ବି ଏହା ଦେଖିବାକୁ ମିଳିଲା । ସାଧାରଣ ନିର୍ବାଚନରେ ବି ଏହା ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧାରୁ ଅଧିକ ସିଟ୍ ସହଯୋଗୀ ଦଳ ପାଇଁ ଜିତିଥିଲା । ଯେଉଁଠି ସହଯୋଗୀ କଂଗ୍ରେସକୁ ଭରସା କରିଛନ୍ତି, ସେଠି ନିଜେ ବୁଡ଼ିଛନ୍ତି । ଅନେକ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ସହଯୋଗୀଙ୍କ କ୍ଷତି କରିଛି । କଂଗ୍ରେସ ଏପରି ପରଜୀବୀ ପାର୍ଟି ନିଜ ସହଯୋଗୀ ଦଳକୁ ଗିଳିଦିଏ । ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତଙ୍କୁ ବଦନାମ କରିଥାଏ କଂଗ୍ରେସ । ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତଙ୍କୁ କଂଗ୍ରେସ ବଦନାମ କରିଥାଏ ବୋଲି ମୋଦି କହିଛନ୍ତି ।

ବିଜେପିର ବିଜୟ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ା । ହରିୟାଣା ପ୍ରସଙ୍ଗରେ ମତ ରଖି ଦେଶରେ ରାଜନୀତିର ପରମ୍ପରାକୁ ପ୍ରଧାନମନ୍ତ୍ରୀ ମୋଦି, ବଦଳାଇଥିବା କହିଥିଲେ ନଡ୍ଡ। ଦୁଇଟି ଯାକ ରାଜ୍ୟ ନିର୍ବାଚନରେ ଦଳର ସଫଳତାରେ ଶତମୁଖ ଥିବା ନଡ୍ଡା ଆଜିର ଦିନକୁ ଅତ୍ୟନ୍ତ ଖୁସି ଓ ବିଜୟର ଦିନ ବୋଲି କହିଥିଲେ ନଡ୍ଡା ।