ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ହେବ ତଦନ୍ତ । ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ । ଖାଲି ଏତିକି ନୁହେଁ, ୪୦୦ରୁ ୪୫୦ ଜାଗାକୁ ହେଲିକପ୍ଟରରେ ପାଣ୍ଡିଆନ ଯାଇଛନ୍ତି ।
Also Read
ପାଣ୍ଡିଆନ୍ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।
ସେପଟେ ପାଣ୍ଡିଆନ୍ଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ତ ହିସାବ ନାହିଁ । ଗୋଟିଏ ଗୋଟିଏ କାମକୁ ଦି-ତିନି ଜଣ ଠିକାଦାର, ତିନି ତିନି ଥର ଖର୍ଚ୍ଚ । କେଉଁଠି ହେଲିପ୍ୟାଡ୍ ପାଇଁ ବ୍ୟାରିକେଡ୍ ବନ୍ଧା ତ କେଉଁଠି ସଭାସ୍ଥଳ ନିର୍ମାଣ, କୋଟି କୋଟି ଟଙ୍କାର କାମ ହୋଇଛି । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ଏହ ତଥ୍ୟ ମିଳିଛି ଆରଟିଆଇରୁ । ଭାତ ହାଣ୍ଡିରୁ ଗୋଟିଏ ଭଳି ଇଏ ତା’ର ଏକ ତଥ୍ୟ ।
ସ୍ଥାନ- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚଣ୍ଡେଶ୍ବର ପଡିଆ । ୨୦୨୩, ୧୯ରୁ ୨୧ ଅଗଷ୍ଟ । ଠିକାଦାର ପୁଷ୍ପିତା ମଙ୍ଗରାଜ । ପ୍ରଥମେ ହେଲିପ୍ୟାଡ୍ ଓ ବ୍ୟାରିକେଡ୍ ନିର୍ମାଣ ପାଇଁ ୪ ଲକ୍ଷ ୨୨ ହଜାର ଖର୍ଚ୍ଚ । ପରେ ସେହି ସ୍ଥାନର ସଫାସୁତୁରା ପାଇଁ ୪ ଲକ୍ଷ ୨୩ ହଜାର ୪୯୦। ଜନଶୁଣାଣି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ଟଙ୍କା ।
ସେହିପରି ଆଉ ଜଣେ ଠିକାଦାର ହେଉଛନ୍ତି ଜଗବନ୍ଧୁ ବିଶ୍ବାଳ । ସ୍ଥାନ- ଟାଙ୍ଗୀ, ନାଚୁଣୀ ହାଇସ୍କୁଲ ପଡ଼ିଆ । ସମାନ ତାରିଖରେ ଏଠି ବି ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୬୫୯ ଏବଂ ସଫାସୁତୁରା ବାବଦରେ ଖର୍ଚ୍ଚ ୪ ଲକ୍ଷ ୨୧ ହଜାର ୩୬୨ ଟଙ୍କା। ଏମିତି ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ଜନଶୁଣାଣି ପାଇଁ ଟାଙ୍ଗୀ ଭଳି ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ ତତକାଳୀନ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ସଫାସୁତୁରା ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଯାହାର ତଥ୍ୟ ଓ ପ୍ରମାଣ ମିଳିଛି ଆରିଟିଆଇରୁ ।
ସେହିପରି ସମ୍ବଲପୁରରେ ୨୦୨୩ରେ ୭ ଥର ଏବଂ ୨୦୨୪ରେ ୯ ଥର ଯାଇଛନ୍ତି । ହେଲିପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫୦ ଲକ୍ଷ ୫୦ ହଜାର । ଅନୁଗୁଳରେ ୨୩-୨୪ରେ ପ୍ରାୟ ୫୬ ଲକ୍ଷ ୨୧ ହଜାର, ସୁନ୍ଦରଗଡ ଓ ରାଉରକେଲାରେ ପ୍ରାୟ ୧୭ ଲକ୍ଷ ୫୨ ହଜାର ଟଙ୍କା । ସୂଚନା ଅଧିକାର କର୍ମୀଙ୍କୁ କେବଳ ହାତ ଗଣତି କିଛି ଜିଲ୍ଲାରୁ ମିଳିଥିବା ଏ ହେଉଛି ତା’ର ପ୍ରମାଣ । ପୁରୀ, ମାଲକାନଗିରି, କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାର ଖର୍ଚ୍ଚ ବି ରହିଛି ।