• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପାଠ ଓ ଚାକିରି ଚିନ୍ତା ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଲେ

  • ଏମାନଙ୍କ ପାଇଁ ରାଜନୀତି ଯେମିତି ଭିନ୍ନ ଏକ ପୃଥିବୀ

କିଏ ରାଜନୀତିକୁ ପଙ୍କିଳ କୁହେ, ଆଉ କିଏ କହେ କାଳିମାମୟ । ହେଲେ ରାଜନୀତି ଓ ରାଜନେତାଙ୍କ ସଂପର୍କରେ ପ୍ରଚଳିତ ଚିରାଚରିତ ଧାରଣାକୁ ଭାଙ୍ଗି, ସେଥିପ୍ରତି ଆଗ୍ରହୀ ହେଉଛନ୍ତି ଯୁବପିଢ଼ି । ଉଚ୍ଚଶିକ୍ଷା ସତ୍ତ୍ୱେ ଚାକିରି ମୋହରେ ନପଡ଼ି ଆଗଭର ରାଜନୀତିରେ ପାଦ ରଖିବାକୁ ହେଉଛନ୍ତି । ଲକ୍ଷ୍ୟ ଦୁର୍ନୀତି ହଟାଇବା, ଲୋକଙ୍କ ବିକାଶ କରିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆମେ ଭେଟିଥିଲୁ ଗଞ୍ଜାମ, ପୁରୀ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ସେଇଭଳି କିଛି ବ୍ୟତିକ୍ରମମାନଙ୍କୁ ।

ସ୍ୱଳ୍ପ ବୟସ୍କ, ଉଚ୍ଚଶିକ୍ଷିତଙ୍କୁ ଦେଖିଲେ ଲାଗେ କି ଏମାନଙ୍କ ପାଇଁ ରାଜନୀତି ଯେମିତି ଭିନ୍ନ ଏକ ପୃଥିବୀ । କାରଣ କିଏ ବି.ଟେକ୍ କରିଛନ୍ତି, ତ ଆଉ କିଏ ଏମ୍ଏସ୍‌ସି । କିଏ ପାଠ ପଢ଼ୁଥିଲେ, ତ କିଏ ଭଲ ଦରମାରେ ଚାକିରି ମଧ୍ୟ କରୁଥିଲେ । ହେଲେ ଏବେ ପାଠ ଓ ଚାକିରି ଚିନ୍ତା ଛାଡ଼ି, ଏମାନେ ଆଗଭର ହୋଇଛନ୍ତି ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶୁଭସ୍ମିତା ସାହୁ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ । ଶୁଭସ୍ମିତା ମୁମ୍ବାଇରେ ଚାକିରି ଛାଡ଼ି କଂଗ୍ରେସରୁ ନାମାଙ୍କନ ଦାଖଲ କରିଛନ୍ତି ଲକ୍ଷ୍ୟ- ଦୁର୍ନୀତି ବିରୋଧରେ ଲଢ଼ିବା ଓ ନିଜ ଅଞ୍ଚଳର ପର୍ଯ୍ୟଟନ ବିକାଶ କରିବା । ଇଏ ଆଉ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସ୍ମୃତିରେଖା ବେହେରା ଭଦ୍ରକ କଲେଜରେ ଏମ୍ଏସ୍‌ସି-ମାଇକ୍ରୋବାୟୋଲୋଜି କରୁଥିବା ଏହି ୨୩ ବର୍ଷୀୟା, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ୧୩ ନମ୍ବର ଜୋନରୁ ବିଜେଡି ଟିକେଟ୍‌ରେ ଲଢ଼ିବେ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ରେ ମହିଳାଙ୍କ ପାଇଁ ସଂରକ୍ଷିତ ପଥରା ପଞ୍ଚାୟତରୁ ସରପଞ୍ଚ ହେବାକୁ ଅଣ୍ଟା ଭିଡ଼ିଛନ୍ତି ପିଙ୍କି ବେହେରା । ଇଏ ବି ଜଣେ ବିଟେକ୍ ପଢ଼ୁଆ । ହେଲେ ସେ ବି ଗୃହିଣୀ କି କର୍ମଜୀବୀ ନୁହେଁ, ଜଣେ ସରପଞ୍ଚ ହୋଇ ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବାକୁ ଆଗ୍ରହୀ ।

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ୪ ଜଣ ଯୁବ ପ୍ରାର୍ଥୀ- ଦୀପକ ବାର୍ଲା, ସୁଜିତ ଲାକ୍ରା, ରୋଶନ କିଷାନ ଓ ମାନାଇ ମୁଣ୍ଡା । ସେମାନଙ୍କ ମଧ୍ୟରୁ ଦୀପକ ବାର୍ଲା ଜଣେ ଯୁବ ଇଞ୍ଜିନିୟର । ଏବେ ଆଶା କରାଯାଉଛି ଯେ ଏ ଯୁବାମାନେ କିଛି ନୂଆ ନିଆରା କରିବେ, ରାଜନୀତିର ପରିଭାଷା ବଦଳାଇବେ ।