• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ ସଂରକ୍ଷଣରେ ଓବିସିଙ୍କୁ ଅଣଦେଖା ।

  • ଗତଥର ୨୭ % ଜିଲ୍ଲା ପରିଷଦ ମିଳିଥିଲା, ଏଥର ୧୪ଟି ଜିଲ୍ଲାରେ ଶୂନ ।

  • ଅସନ୍ତୁଷ୍ଟ ହେଲେଣି ରାଜ୍ୟର ପଛୁଆବର୍ଗ ।

ଭୁବନେଶ୍ୱର, (ରିପୋର୍ଟ-ସୂର୍ଯ୍ୟ ନାରାୟଣ ପଣ୍ଡା, ନବଘନ ବିଷୋୟୀ, ଜଗଦୀଶ ଦାସ, ହରିହର ଚାନ୍ଦ): ପଛୁଆ ବର୍ଗଙ୍କ ପାଇଁ କମିଲା ସଂରକ୍ଷଣ । ଜିଲ୍ଲା ପରିଷଦ ସଦସ୍ୟର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି । ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ଏକ୍ସଟେନ୍‌ସନ୍‌ ଟୁ ସ୍ୟୁଡୁଲ ଏରିଆଜ୍ ବା ପେସା ଆଇନ କାର୍ଯ୍ୟକାରୀ ହେଉଥିବାରୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳିନଥିବା କୁହାଯାଇଛି । କିନ୍ତୁ ଝାରସୁଗୁଡା ଓ ନୂଆପଡା ପେସା ଓ ଆଶିଂକ ପେସା ଜିଲ୍ଲାରେ ଆସୁନଥିଲେ ମଧ୍ୟ ଏଠାରେ ବି ପଛୁଆ ବର୍ଗଙ୍କୁ ଆସନ ସଂରକ୍ଷଣ ମିଳିନି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ତେବେ ଦଳୀୟସ୍ତରରେ ୨୭ ପ୍ରତିଶତ ଆସନ ପଛୁଆ ବର୍ଗକୁ ଦିଆଯିବ ବୋଲି ବିଜେଡି କହିଛି ।

ଗତ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥିବା ବେଳେ ଏଥର ମିଳିଛି ମାତ୍ର ୧୨ ପ୍ରତିଶତ ସଂରକ୍ଷଣ । ୫୦ ପ୍ରତିଶତରେ ସୀମିତ ରହିବା ନେଇ ସଂଶୋଧିତ ପଂଚାୟତ ଆଇନ ଲାଗୁ ହେବା ପରେ ପଛୁଆ ବର୍ଗଙ୍କୁ ମିଳିନି ଉପଯୁକ୍ତ ନ୍ୟାୟ । ଜିଲ୍ଲା ପରିଷଦର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ୧୪ଟି ଜିଲ୍ଲାରେ ପଛୁଆ ବର୍ଗକୁ ଗୋଟିଏ ବି ଆସନ ମିଳିନାହିଁ । ସେହିପରି ବୌଦ୍ଧ ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ ମାତ୍ର ଗୋଟିଏ ଲେଖାଁଏ ଆସନ ସଂରକ୍ଷିତ ଥିବା ବେଳେ ସୁବର୍ଣ୍ଣପୂରରେ ରହିଛି ମାତ୍ର ୨ଟି ଆସନ ।

ଆଇନରେ ବ୍ୟବସ୍ଥା ଅନୁସାରେ ପଞ୍ଚାୟତ ଏକ୍ସଟେନସନ ଟୁ ସ୍ୟୁଡୁଲ ଏରିଆଜ୍ ବା ଯେଉଁ ଜିଲ୍ଲାରେ ପେସା ଆଇନ କାର୍ଯ୍ୟକାରୀ ହେଉଥିବ, ସେଠାରେ ୫୦ ପ୍ରତିଶତରେ ସଂରକ୍ଷଣ ସୀମିତ ନରହି ଅଧିକ ବି ହୋଇପାରିବ । ସେହି ଦୃଷ୍ଟିରୁ ମୟୂରଭଂଜ, ସୁନ୍ଦରଗଡ଼ ସମେତ ୭ଟି ଜିଲ୍ଲାରେ ଓବିସିଙ୍କୁ କୌଣସି ଆସନ ମିଳିନି । ତେବେ ଅନ୍ୟ ୭ ଜିଲ୍ଲାର କିଛି ବ୍ଲକରେ ପେସା ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ପୁରା ଜିଲ୍ଲାରେ ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ କରାଯାଇନାହିଁ ।ଆଶ୍ଚର୍ଯ୍ୟର କଥା ହେଉଛି ଝାରସୁଗୁଡା ଓ ନୂଆପଡା ଜିଲ୍ଲା ପେସା ଆଇନ ଅଧୀନରେ ଆସୁନଥିଲେ ମଧ୍ୟ ଏଠାରେ ପଛୁଆ ବର୍ଗଙ୍କୁ କୌଣସି ଆସନ ମିଳିନି ।

ଆସନ ସଂରକ୍ଷଣରେ ସରକାର ପଛୁଆ ବର୍ଗଙ୍କୁ ଅବହେଳା କରିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ଆଇନ ଅନୁସାରେ ହୋଇନଥିଲେ ମଧ୍ୟ ଦଳୀୟ ଭିତ୍ତିରେ ସେମାନଙ୍କୁ ୨୭ ପ୍ରତିଶତ ଆସନ ଦିଆଯିବ ବୋଲି କହିଛି ବିଜେଡି ।

ବହୁ ଅଙ୍କକଷା ପରେ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ତେବେ ସଂରକ୍ଷଣ ମିଳିନଥିବା ଜିଲ୍ଲାରେ ତେଜିବାରେ ଲାଗିଛି ପଛୁଆ ବର୍ଗଙ୍କ ଅସନ୍ତୋଷ । ତେଣୁ ପଞ୍ଚାୟତ ନିର୍ବାଚନରେ ବିଜେଡି ଅସନ୍ତୋଷକୁ କିଭଳି ମ୍ୟାନେଜ୍ କରୁଛି ତାହା ବଡ଼ ପ୍ରଶ୍ନ ।

ଦଳୀୟସ୍ତରରେ ବିଜେଡି ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିବା ସହ ବିରୋଧୀଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି । ବିଜେପି ଓ କଂଗ୍ରେସ ସମାନ ନୀତି ଆପଣଉଛନ୍ତି ନା ନାହିଁ ଏବେ ତା ଉପରେ ନଜର ।