ସବୁଠି ଚର୍ଚ୍ଚା ! ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଶୈଳୀ

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍‌ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି ।

Jau kandhei

ଗୋଟିଏ ପଟେ ଏଥର ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପ୍ରାର୍ଥୀଙ୍କ ନିଆରା ଢ଼ଙ୍ଗରେ ପ୍ରଚାର ଶୈଳୀ ଲୋକଙ୍କ ଆଲୋଚନାକୁ ବେଶ ଖୋରାକ ଯୋଗାଇଛି । ଲୋକମାନେ ପଞ୍ଚାୟତ ନିର୍ବାଚନରେ ଘଟୁଥିବା ହିଂସାକାଣ୍ଡକୁ ନେଇ ଯେତିକି ଚର୍ଚ୍ଚା କରୁଛନ୍ତି, ପ୍ରାର୍ଥୀଙ୍କ ନିଆରା ପ୍ରଚାର ଶୈଳୀକୁ ନେଇ ମଧ୍ୟ ସେତିକି ଆଲୋଚନା କରୁଛନ୍ତି ।

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍‌ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି । ଗଣ୍ଡଗୋଳ, ମାରପିଟ୍‌, ହତ୍ୟା, ବାଲାଟ ବକ୍ସ ଲୁଟ୍, ପ୍ରାର୍ଥୀଙ୍କୁ ମାଡ଼, ଅପହରଣ, ଗାଡ଼ି ଭଙ୍ଗାରୁଜା, ପୋଲିସକୁ ମାଡ଼, ବିଡିଓଙ୍କୁ ମାଡ଼, ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଏଭଳି ଅନେକ ଘଟଣା ଏଥର ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି ।  

ତେବେ ଏଥର ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କ ନିଆରା ଶୈଳୀ ପ୍ରଚାର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜଣେ ପ୍ରାର୍ଥୀ ଜଉ କଣ୍ଢେଇ ପ୍ରସ୍ତୁତ କରି ପ୍ରଚାର କରୁଛନ୍ତି । ଆସନ୍ତା ୨୪ ତାରିଖରେ ପଂଚାୟତ ନିର୍ବାଚନର ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ବାଲେଶ୍ୱରର ରେମୁଣା ନିର୍ବାଚନ ମଣ୍ଡଳୀର ଭୀମପୁରାରେ ଏଥିପାଇଁ ଜୋରସୋରରେ ଚାଲିଛି ପ୍ରଚାର । ସରପଂଚ ପ୍ରାର୍ଥୀ ରୀତାଞ୍ଜଳି ପଲାଇ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଭଗବାନ ସାହୁ ଅଭିନବ ଶୈଳୀରେ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ରିକ୍ସା ଉପରେ ବସି ପଂଚାୟତର ଛକ ଛକରେ ପ୍ରଚାର କରିବା ସହ ଲୋକଙ୍କୁ ବାଲେଶ୍ୱରର ଲୋକକଳା ଜଉକଇର ତିଆରି କରିବାର ପ୍ରଣାଳୀ ଶିଖାଉଛନ୍ତି । ଏହାଦ୍ୱାରା ଓଡିଶାର କଳା ସଂସ୍କୃତି ବଂଚି ରହିବ ଏବଂ ଗାଁର ମହିଳା ସଶକ୍ତୀକରଣ ହୋଇପାରିବ ବୋଲି ବୁଝାଇଛନ୍ତି ।

ସେହିଭଳି ବରଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି ପ୍ରାର୍ଥୀଙ୍କ ଭିନ୍ନ ଧରଣର ପ୍ରଚାର ଶୈଳି । ବରଗଡ଼ ବ୍ଳକ ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ। ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍‌ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି । ତାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଗାମୁଛା ପତାଇ ଭୋଟ ଭିକ୍ଷା ସହ ନୋଟ ଭିକ୍ଷା କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ଟଙ୍କା ପଇସା ଚାଉଳ ଦାନ କରୁଛନ୍ତି । ଗାଁ କୁ ଗାଁ ବୁଲି ଏପରି ପ୍ରଚାର ଚଳାଇଛନ୍ତି।

ସେପଟେ କୋରାପୁଟରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ନିଆରା ଢ଼ଙ୍ଗ । କୋରାପୁଟ ଜିଲ୍ଲା ଦାମନଯୋଡ଼ି ବଜାରରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ଖରା ଦୋକାନରୁ ଦୋକାନ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା । ଆଉ ପ୍ରଚାରର ମୁଖ୍ୟ ଆକର୍ଷଣ ପାଲଟିଥିଲା ଏଲ୍ଇଡି ଟିଭି । ଯାହାକୁ ଧରି ସେ ସହର ବଜାରଠାରୁ ଆରମ୍ଭ କରି ଗାଁ ଯାଏଁ ଚଳାଇଛନ୍ତି ପ୍ରଚାର ଅଭିଯାନ । ସସ୍ମିତାଙ୍କୁ ଟିଭି ଚିହ୍ନ ମିଳିଥିବାରୁ ଲୋକଙ୍କ ପାଖରେ ସହଜରେ ପହଞ୍ଚିବାକୁ ଏହି ଅଭିନବ ଉପାୟ ଆପଣାଇଛନ୍ତି ସସ୍ମିତା ।

ସେହିଭଳି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭଗବତୀ ଭତରା ହାତରେ ଜୀଅନ୍ତା ମାଛ ଧରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ନିଜ ନିର୍ବାଚନୀ ଚିହ୍ନ ମାଛ ହୋଇଥିବାରୁ ଏହାକୁ ନେଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା । ସେହିପରି ହାତରେ ଲଣ୍ଠନ ଧରି ହୋମ୍ କ୍ୟାମ୍ପେନିଂ କରିବାକୁ ଓହ୍ଲାଇଥିଲେ ଆଉ ଜଣେ ଉଚ୍ଚଶିକ୍ଷିତ ଯୁବକ । ବିଏ ଏଲ୍ଏଲବି ଡିଗ୍ରୀ ହାସଲ କରିଥିବା ସୁନ୍ଦରଗଡ ଜିଲ୍ଲା ଝିରିପାଣି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାମ ତିର୍କି ଏହି ଅଭିନବ ଉପାୟ ଆପଣେଇଥିଲେ ।