Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ

ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ।

ଅଦ୍ୟତନ ହୋଇଛି
Padmapur Bypoll

Padmapur Bypoll

Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆଜିଠୁ ଠିକ୍ ମାସକ ପରେ ନୂଆ ବିଧାୟକ ବାଛିବେ ପଦ୍ମପୁର ଭୋଟର। ବିଜେଡିର ବରିଷ୍ଠ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ବାଇଇଲେକ୍ସନ ଲାଗି ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ଯାଞ୍ଚ ଆଉ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ତାରିଖ ଘୋଷଣା ସହିତ ଆଜିଠାରୁ ପୁରା ବରଗଡ଼ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି।

Advertisment

ଝାରବନ୍ଧ ବ୍ଲକର ୧୪ ପଂଚାୟତ, ପଦ୍ମପୁର ବ୍ଲକର ୨୨, ପାଇକମାଳ ବ୍ଳକ୍‌ର ୨୨ ପଂଚାୟତ  ସମେତ ପଦ୍ମପୁର ଏନ୍ଏସିର ୧୧ଟି ଓ୍ୱାର୍ଡକୁ ନେଇ ଗଠିତ ପଦ୍ନପୁର ନିର୍ବାଚନ ମଣ୍ଡଳୀ ଏହା ଅଧୀନରେ ରହିଛି ୮ଟି ଜିଲ୍ଲା ପରିଷଦ ଜୋନ୍। ଗତ ପଂଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ୪ଟି ଲେଖାଏଁ ଜୋନ୍ ଅକ୍ତିଆର କରିଥିଲେ। ସେହିପରି ପଦ୍ମପୁର ଏନ୍ଏସିର ୧୧ଟି ଓ୍ୱାର୍ଡ ମଧ୍ୟରୁ ବିଜେପିକୁ ୪ ଓ ବିଜେଡିକୁ ୭ଟି ଓ୍ୱାର୍ଡ ମିଳିଥିଲା। ତେବେ ଅଧ୍ୟକ୍ଷ ପଦବି ଯାଇଥିଲା ବିଜେଡି ହାତକୁ।

ବିଧାନସଭା ନିର୍ବାଚନ ମଣ୍ଡଳୀ କଥା ଦେଖିଲେ ୨୦୧୯ରେ ବିଜୟ ରଂଜନ ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତଙ୍କୁ  ୫ ହଜାର ୭୩୪ ଖଣ୍ଡ ଭୋଟ୍‌ରେ ହରାଇଥିଲେ। ତା ପୂର୍ବରୁ ୨୦୧୪ରେ କିନ୍ତୁ ପ୍ରଦୀପ ପୁରୋହିତ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଦେଖିବାକୁ ଗଲେ ଏହି ସିଟ୍‌ରେ ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ଚାଲି ଆସିଛି। ତେଣୁ ଏଥର ପୁଣି ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ। ବଡ଼ ପ୍ରଶ୍ନ ବିଜେଡିକୁ କାହାକୁ ପ୍ରାର୍ଥୀ କରିବ? ପୂର୍ବ ଉପନିର୍ବାଚନଗୁଡ଼ିକୁ ଦେଖିଲେ ବିଜୟ ରଂଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂଙ୍କୁ ଟିକଟ ମିଳିପାରେ କିନ୍ତୁ ଯଦି ବରିହା ପରିବାର ବାହାରୁ କାହାକୁ ପ୍ରାର୍ଥୀ କରାଯାଏ, ତେବେ ରେସ୍‌ରେ ଆଗରେ ଅଛନ୍ତି ନୂଆପଡ଼ାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇ। ସେପଟେ କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସନ୍ତୋଷ ଶତପଥୀଙ୍କ ନାଁ ଚର୍ଚ୍ଚା ହେଉଛି।

Advertisment

ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ। ତେବେ ଧାମନଗର ରେଜଲ୍ଟର ପ୍ରଭାବ ପଦ୍ମପୁର ଉପରେ ପଡିବ ବୋଲି କୁହାଯାଉଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀ ବରଗଡ଼ ସଂସଦୀୟ କ୍ଷେତ୍ରରେ ଥିବାରୁ ସେଠିକାର ବିଜେପି ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଭୂମିକା ନେବେ। ଏଣେ ବିଜେଡିରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଦଳ ପାଇଁ ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଧାମନଗର ପରେ ପଦ୍ମପୁରରେ ଆଉ ଏକ ରୋଚକ ଲଢ଼େଇ ହେବାକୁ ଯାଉଛି।

(ପଦ୍ମପୁରରୁ ସୋମେଶ ମହାନ୍ତି, ବରଗଡ଼ରୁ ଦୀପକ ଶର୍ମା, ବଲାଙ୍ଗିରରୁ ମନରଂଜନ ଯୋଶୀ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

Advertisment
padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ