• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଛନ୍ତି ୧୧ ସାଂସଦ । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ସାଂସଦ ପାଣ୍ଠି ଗୁମର ଖୋଲା ପରେ ଏବେ ସାମ୍ନାକୁ ଆସିଛି ଏଭଳି 
ତଥ୍ୟ । ଚର୍ଚ୍ଚା ହେଉଛି କ୍ଷମତା କେନ୍ଦ୍ରରେ ଥିବାବେଳେ ଏମାନେ ବି କୁଆଡ଼େ ବବିଙ୍କ ଚାପରେ ଭେଟି ଦେଉଥିଲେ ସାଂସଦ ପାଣ୍ଠି ।

ଯାଜପୁରରେ ସାଂସଦ ପାଣ୍ଠି ବିନିଯୋଗ ନେଇ ମମତା ମହାନ୍ତଙ୍କ ଗୁମର ଖୋଲା ପରେ ସାମ୍ନାକୁ ଆସିଲା ଆହୁରି ସାଂଘାତିକ ତଥ୍ୟ । ଯାଜପୁର ଡେପୁଟି ଡାଇରେକ୍ଟର ପ୍ଲାନିଂଙ୍କ ସୂଚନା ଅନୁଯାୟୀ, 2019ରୁ 24 ଯାଏଁ 141ଟି ପ୍ରକଳ୍ପ ଲାଗି ଯାଜପୁର ଜିଲ୍ଲାକୁ ଆସିଛି 14 କୋଟି 82 ଲକ୍ଷ ଟଙ୍କାର ସାଂସଦ ପାଣ୍ଠି । ଯାହାକୁ ଦେଇଛନ୍ତି ମାନସ ମଙ୍ଗରାଜ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁବାସ ସିଂ. ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବିଜେଡିର ତତ୍କାଳୀନ 11 ଜଣ ସାଂସଦ । ଦୁଇ ଦଫାରେ ଏକାକି ସସ୍ମିତ ପାତ୍ର ତାଙ୍କ ସାଂସଦ ପାଣ୍ଠିରୁ ଦେଇଛନ୍ତି 5 କୋଟି 2 ଲକ୍ଷ 50 ହଜାର ଟଙ୍କା । 

ତେବେ ଏକଦା ରାଜ୍ୟ ରାଜନୀତିରେ ଅଖଣ୍ଡ କ୍ଷମତା ରଖୁଥିବା ତତା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ନିଜ ଜିଲ୍ଲା ଯାଜପୁରକୁ କଣ ପାଇଁ ସାଂସଦ ପାଣ୍ଠି ବର୍ଷା । ମୌଳିକ ସମସ୍ୟାରେ ଜର୍ଜରିତ ରାଜ୍ୟର ଉପାନ୍ତ ଓ ଅଣବିକଶିତ ଅଞ୍ଚଳକୁ ଗୌଣ କରି କାହା 
ସ୍ୱାର୍ଥ ବା ଚାପରେ, ସାଂସଦ ମାନେ କେବଳ ଯାଜପୁରକୁ ଅଜାଡି ଦେଇଛନ୍ତି ସାଂସଦ ପାଣ୍ଠି । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେବା ଏଇ ସାଂସଦ ପାଣ୍ଠି ହିଁ ମମତା-ବବି କଳିର ମଞ୍ଜି ବୋଲି ନିଜେ ମମତାଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ।

ପାର୍ଟି କେମିତି ସାଂସଦ ପାଣ୍ଠି କଥା ବୁଝୁଥିଲା ଏବଂ ଏଥିପାଇଁ ତାଙ୍କ ଉପରେ ଚାପ ପଡୁଥିଲା ତାର ଖୁଲାସା ହୋଇଥିଲା । ତେବେ ବାକି ସାଂସଦ ମାନଙ୍କ ଉପରେ ବି କଣ ଥିଲା ସମାନ ଚାପ । ନା ଆନୁଗତ୍ୟ ପ୍ରଦର୍ଶନର ମାଧ୍ୟମ । ତାକୁ ନେଇ ପ୍ରଶ୍ନ ଉଠିଛି ।  ହେଲେ ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଟକ ମେୟର ସୁବାସ ସିଂ କହିଛନ୍ତି ଶିକ୍ଷାନୁଷ୍ଠାନ ପାଇଁ ପାଣ୍ଠି ଦିଆଯାଇଥିଲା । ସେହିପରି ବିଜେଡି କହିଛି ଯେଉଁଠି ଆବଶ୍ୟକ ଥିଲା ସେଠାକୁ ପାଣ୍ଠି ଦିଆଯାଉଥିଲା । ସାଂସଦଙ୍କ ପାଣ୍ଠି ଯାଜପୁରକୁ ଯିବା ଘଟଣାରୁ ବିଜେଡି ସରକାରରେ ଜନପ୍ରତିନିଧିଙ୍କ ନିଷ୍ପତ୍ତି ନେବାର ସ୍ୱାଧୀନତା କେମିତି ଥିଲା ତାହା ଅନ୍ତତଃ ସ୍ପଷ୍ଟ ହେଉଛି । 

  • Reported by:
  • JAGDISH DAS , Niranjan Behera , Sanjeeb Nayak

OTV is now on Whatsapp

Join and get latest news update delivered to you via whatsapp

Join Now