ଆକ୍ସନ୍ ମୋଡରେ ମୋହନ ସରକାର, ଆରମ୍ଭ ହେଲା ଗାଦିମଡା ଅଫିସର ନିଷ୍କାସନ ପର୍ବ

ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।

BJP Govt in Action Mode

ମୋହନ ସରକାରର କମ୍ବିଂ ଅପରେସନ । ଓଟିଭିରେ ଖବର ପ୍ରସାରଣ ପରେ ସ୍କାନରରେ ଗାଦିମଡା ଅଫିସର । ବିଦା ହେଉଛନ୍ତି ଜଣକ ପରେ ଜଣେ ବିଦାୟୀ ସରକାରର ଗେହ୍ଲାପୁଅ। ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଗତ ଦୁଇ ଦିନରେ ବିଦା ହେଲେଣି ୬ ଅଧିକାରୀ । ତେବେ କେବଳ ଗାଦିମଡା ବରିଷ୍ଠ ପ୍ରଶାସନିକ ଅଧିକାରୀ ନୁହନ୍ତି, ଦୀର୍ଘଦିନରୁ ଗୋଟିଏ ସ୍ଥାନରେ ଓ ପଦରେ ଥିବା କ୍ଲାସ୍ ଟୁ ଓ କ୍ଲାସ୍ ଥ୍ରୀ ଅଫିସର ମାନଙ୍କ ତାଲିକା ପ୍ରସ୍ତୁତି କରି ଶାସନ ବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ମୋହନ ସରକାର ।

ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ । ଆରମ୍ଭ ହେଲା ଗାଦିମଡା ଅଫିସର ନିଷ୍କାସନ ପର୍ବ । କୋଳିଖାଇ ମଞ୍ଜି ପୋତିଥିବା ନ୍ୟାୟରେ ଗୋଟିଏ ପଦରେ ଦୀର୍ଘଦିନ ଧରି ରହିଆସୁଥିଲେ ମାଳ ମାଳ ଅଫିସର । ବିଜେଡି ସରକାରର ହାତବାରିସି ସାଜି କ୍ଷମତା କେନ୍ଦ୍ରକୁ ଅକ୍ତିଆର କରି ରଖିଥିଲେ ଏମାନେ । ଆଉ ଗତମାସ ୨୭ ତାରିଖରେ ଏଇ ଗାଦିମଡା ଅଫିସରଙ୍କ ସପକ୍ଷରେ ଓଟିଭିରେ ଖବର ପ୍ରସାରଣ ପରେ ହଲଚଲ୍ ଖେଳିଯାଇଥିଲା ପାୱାର କରିଡରରେ । ଆଉ ଏହାପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗତକାଲିଠୁ ଆରମ୍ଭ ହୋଇଯାଇଛି ଗାଦିମଡ଼ା ଅଫିସରଙ୍କ ନିଷ୍କାସନ ପର୍ବ।

ଗତକାଲି ସିଏମ୍‍ଓରୁ ତତ୍କାଳୀନ ନବୀନ ସରକାରର ଦବଦବା ସମ୍ପନ୍ନ ୪ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଇଥିଲା । ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ବାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ସିଏମ୍ଓର ଓଏସ୍‍ଡି ଥିବା ରବୀନ୍ଦ୍ର ସେଠୀଙ୍କ ସମେତ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର ଓ ମନୋଜ ସ୍ବାଇଁଙ୍କୁ ସିଏମ୍ଓରୁ ବିଦା କରାଯାଇଥିଲା । ସେହିପରି ଆଜି ୧୪ ବର୍ଷ ଧରି ନଗରଉନ୍ନୟନ ବିଭାଗରେ କାର୍ଯ୍ୟକରି ଆସୁଥିବା ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ବିଦା କରାଯାଇଛି । ସଂଗ୍ରାମଜିତ ଅବସର ପରେ ମଧ୍ୟ ଏକ୍ସଟେନସନ ନେଇ ପୌର ପ୍ରଶାସନିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସୁଡାରେ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଶାରଦା ପଣ୍ଡାଙ୍କୁ ବି ଅବ୍ୟାହତି ଦିଆଯାଇଛି । ଅବସର ପରେ ବି ଶାରଦା ସେହି ସମାନ ପଦରେ କାର୍ଯ୍ୟା କରିଆସୁଥିଲେ।

କେବଳ ଓଏଏସ୍ ‍ନୁହଁନ୍ତି ଗଣ୍ଡା ଗଣ୍ଡା କ୍ଲାସ୍ ‍ ଟୁ ଓ କ୍ଲାସ୍ ‍ ଥ୍ରୀ ଅଧିକାରୀମାନେ ଏବେବି ଗାଦି ମାଡି ବସିଛନ୍ତି । ସଚିବାଳୟ ହେଉ କି ଖାରବେଳ ଭବନ ଅବା ରାଜୀବ ଭବନ । ଏପରିକି ୯ ତାଲାରେ ବି ଗୋଟିଏ ଗୋଟିଏ ବିଭାଗରେ ଦୀର୍ଘଦିନ ଧରି ପଦବୀ ମାଡ଼ି ବସିଛନ୍ତି ବାବୁମାନେ । ଅବସର ପରେ ମଧ୍ୟ ସେହି ବିଭାଗରେ ସେମାନଙ୍କୁ ପୁନଃ ଥଇଥାନ କରାଯାଇଛି । ନୂଆ ସରକାର ଆସିବା ପରେ ଚର୍ଚ୍ଚା ହେଉଛି, ଏଭଳି ଗାଦି ମଡା ଅଫିସରଙ୍କୁ ତାଲିକା ପ୍ରସ୍ତୁତ କରାଯାଇଛି । ତେଣୁ ନବୀନ ସରକାରରେ ଅନେକ ଦୁର୍ନୀତିକୁ ଘଣ୍ଟା ଘୋଡାଇଥିବା ବାବୁମାନେ ନୂଆ ସରକାରର କମ୍ବିଂ ଅପରେସନରେ ପ୍ରମାଦ ଗଣିବା ଆରମ୍ଭ କଲେଣି ।

୨୪ ବର୍ଷର ଦୀର୍ଘ ଶାସନ ପରେ ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହୋଇଛି । ତେବେ ଯେଉଁ ଅଫିସର ରାଜୁତି ପାଇଁ ବିଜେଡି ସରକାର ଦୁର୍ନାମ ମୁଣ୍ଡେଇଥିଲା, ସେହି ଅଧିକାରୀ ମାନଙ୍କ ଉପରେ ମୋହନ ସରକାରର ତୀକ୍ଷ୍ଣ ନଜର। ଏବେ ଅପେକ୍ଷା ଆଉ କେତେ ଗାଦି ମଡା ଅଧିକାରୀ ବିଦା ହେଉଛନ୍ତି ।