• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିର୍ବାଚନ ଯେତିକି ପାଖଉଛି ସରକାର ସେତିକି ସେତିକି ଯୋଜନା ଆରମ୍ଭ କରୁଛନ୍ତି । ସବୁ ବର୍ଗକୁ ସନ୍ତୁଷ୍ଟ କରିବାକୁ ପ୍ରୟାସ । ଏବେ ଫୋକସରେ ଯୁବ ଛାତ୍ର । ପ୍ରଥମେ ସ୍କୁଲ୍ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ ଆଉ ଏବେ କଲେଜ ପିଲାଙ୍କ ପାଇଁ କ୍ରୀଡା ଉତ୍ସବ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରୀ ଦଳ ନିଜ ଏଜେଣ୍ଡାରେ ସଫଳ ହେବେନି ବୋଲି ଦୃଢୋକ୍ତି ବାଢିଛନ୍ତି ।

କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ । ନଭେମ୍ୱର ୧୫ରୁ ଡିସେମ୍ୱର ୩୧ ଯାଏ ଚାଲିବ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ । ଖାଲି କ୍ରୀଡା ନୁହେଁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।

ଯୁବ ବର୍ଗଙ୍କୁ ଫୋକସ୍ କରି କ୍ରୀଡାର ପ୍ରଚାର ପ୍ରସାର କରିବାକୁ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟକ୍ରମ ଆୟୋଜନ କରିଛି । ତେବେ କଲେଜ ଗୁଡିକର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । କୋରାପୁଟ ନାରାୟଣପାଟଣାରେ ଥିବା ରାଧା କୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଶହରୁ ଅଧିକ ପଢୁଥିବା ଏହି କଲେଜରେ ନା ଅଛି ଖେଳ ପଡିଆ ନା ପିଲାଙ୍କୁ ମିଳୁଛି କ୍ରୀଡା ସାମଗ୍ରୀ । ମୁନିଗୁଡାର ମା ମାର୍କମା କଲେଜରେ ଖେଳ ପଡିଆ ଅଛି । ହେଲେ ପଡିଆଟି ଖେଳ ଉପଯୋଗୀ ନୁହେଁ । କ୍ରୀଡା ଉପକରଣ ତ ଯେମିତି ପିଲାଙ୍କ ପାଇଁ ସାତ ସପନ ।

ସେମିତି ଯାଜପୁର ଏନ୍ ସି କଲେଜରେ ବି ସମାନ ଅବସ୍ଥା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଆଗକୁ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଛନ୍ତି ସରକାର । ଏହି ସ୍କିମ୍ ମାଧ୍ୟମରେ ସରକାର ଛାତ୍ରଛାତ୍ରୀଙ୍କୁ ସନ୍ତୁଷ୍ଟ କରିବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଲାଗି ଉଚ୍ଚ ଶିକ୍ଷା ବିଭାଗ ବଜେଟ ବି ସ୍ଥିର କରିଛି । ଶହେରୁ ଦୁଇ ଶହ ପିଲା ଥିବା କଲେଜକୁ ଦେଢ ଲକ୍ଷ ଟଙ୍କା, ଦୁଇ ଶହରୁ ପାଞ୍ଚ ଶହ ପିଲା ଥିବା କଲେଜକୁ ତିନି ଲକ୍ଷ ଟଙ୍କା । ଦୁଇ ହଜାର ପିଲା ଥିବା କଲେଜକୁ ୬ ଲକ୍ଷ ଓ ଦୁଇ ହଜାରରୁ ଅଧିକ ପିଲା ଥିବା କଲେଜକୁ ୯ ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ କାର୍ଯ୍ୟକ୍ରମ ପରିଚାଳନା ପାଇଁ । ପୂର୍ବରୁ ସରକାର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ବ୍ରାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି କଲେଜକୁ ପାଣ୍ଠି ଦେଇ କ୍ରୀଡ଼ା ଯୋଜନା ଆରମ୍ଭ କରାଗଲା? ଡିଗ୍ରୀ କଲେଜରେ ପଢୁଥିବା ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ନୁହେଁ ତ? ବିରୋଧୀ ଏଥିରୁ ସରକାରଙ୍କ ନିର୍ବାଚନୀ ପ୍ରଚାର ପ୍ରସାରର ଗନ୍ଧ ବାରିଛନ୍ତି ।

ହକି ସମେତ ୨୦ ପ୍ରକାର ଖେଳକୁ ନେଇ ପ୍ରତିଯୋଗିତା ହେବ କଲେଜରେ । ତେବେ ବିନା ଭିତ୍ତି ଭୂମିରେ ଏହି ପ୍ରତିଯୋଗିତାର ମାନେ କଣ ? ତାହା ହିଁ ବଡ ପ୍ରଶ୍ନ ।

(ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖୋରା, ମୁନିଗୁଡାରୁ ଗୌରୀ ପାତ୍ର)

  • Reported by:
  • JAGDISH DAS , Sanjeeb Nayak