• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୪  ନିର୍ବାଚନ ପୂର୍ବରୁ ଭୋଟ୍ ହାତେଇବାକୁ ଥୋପ ପରେ ଥୋପ । ମୋ ଓଡ଼ିଶା ନବୀନ ଓଡ଼ିଶା ପରେ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ଚର୍ଚ୍ଚା । କାରଣ ଏଇ କାର୍ଯ୍ୟକ୍ରମରେ ଗାଁ ଗାଁ, ସହର ସହରରେ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୩ରୁ ୩୫ ବର୍ଷ ବୟସ୍କ ଖେଳାଳିଙ୍କଠୁ ପଞ୍ଜୀକରଣ ଆହ୍ୱାନ କରାଯାଇଛି । ଯାହାକୁ ନେଇ ତେଜିଛି ରାଜନୀତି ।

ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା । କ୍ରିକେଟ୍, ହକି, ଫୁଟବଲ, କବାଡ଼ି, ଖୋ ଖୋ ଓ ଭଲିବଲରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ହେବ ଟୁର୍ଣ୍ଣାମେଣ୍ଟ ।

ସବୁଠୁ ବଡ଼ କଥା ହେଉଛି ଏହିସବୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୟସ ସୀମା ରହିଛି ୧୩ରୁ ୩୫ ବର୍ଷ । ପୁଣି ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ବି ଭାଗ ନେଇ ପାରିବେ । ଏଥିପାଇଁ ୫ ତାରିଖରୁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେବେ ପ୍ରତିଯୋଗିତା ହେବ ସୂଚନା ନାହିଁ । କିନ୍ତୁ ପ୍ରତି ବିଜୟୀ ଦଳଙ୍କୁ ପୁରସ୍କୃତ କରାଯିବ । କୋଟି କୋଟି ଟଙ୍କା ପାଣି ଭଳି ବୋହିବ । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲୋଗୋ ଥାଇ ଖେଳାଳିଙ୍କୁ ଟୋପି, ଟି ସାର୍ଟ ବଣ୍ଟାଯିବ । ଗାଁରୁ ସହର ମାହୋଲ ବନିବ ।

ଯେମିତି ୧୯ ନିର୍ବାଚନ ପୂର୍ବରୁ ହୋଇଥିଲା । ବିଜୁ ଯୁବ ବାହିନୀ ଗଢ଼ା ହୋଇ ଯୁବକଙ୍କ ଭିତରେ ସ୍ପୋର୍ଟସ କିଟ୍, ବ୍ୟାଟ୍ ବଲ ବଣ୍ଟା ହୋଇଥିଲା । ଆଉ ଏବେ ୨୪ ଭୋଟ୍‌କୁ ଆଉ ମାସ କେଇଟା ଥିବା ବେଳେ ସରକାରଙ୍କ ଏ ନୂଆ କାର୍ଯ୍ୟକ୍ରମକୁ ତୁଚ୍ଛା ଭୋଟ୍ ଫନ୍ଦି ବୋଲି କହି ଟାର୍ଗେଟ୍ କରିଛନ୍ତି ବିରୋଧୀ । ତେବେ କ୍ରୀଡ଼ାମନ୍ତ୍ରୀଙ୍କ କହିବା କଥା, ଯୁବଶକ୍ତି ଗୁରୁତ୍ୱ ଦେଇ ରାଜ୍ୟର ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ।

ଏପଟେ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି, ଜୟପୁର ବିକ୍ରମ ଦେବ ଷ୍ଟାଡିୟମରେ ଗତ ମାସରେ ଆୟୋଜିତ ଏସଡିସି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କେବଳ ଆଦିବାସୀ ଯୁବକ-ଯୁବତୀଙ୍କ ପାଇଁ ଉଦ୍ଦିଷ୍ଟ ଫୁଟବଲ ଓ ଭଲିବଲର ସବୁଠୁ ବଡ଼ ପ୍ରତିଯୋଗିତା । ହେଲେ ଫୁଟବଲ ଖେଳ ହେଉଛି ଅତ୍ୟନ୍ତ ଅବ୍ୟବସ୍ଥିତ ଘାସ ପଡ଼ିଆରେ । ଯାହାକୁ ନେଇ ସେତେବେଳେ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା । ତେବେ ଭିତ୍ତିଭୂମି ପ୍ରତି ଧ୍ୟାନ ନଦେଇ ଖାଲି ଭୋଟ୍ ଚକ୍କରରେ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ଘୋଷଣାକୁ ନାପସନ୍ଦ କରିଛନ୍ତି କ୍ରୀଡ଼ା ସମୀକ୍ଷକ ।

ହାସଟ୍ୟାଗ୍ ନୂଆ-ଓ ସହିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧିନରେ ଆରମ୍ଭ ହେଉଥିବା ଏ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସନ୍ତା ୨୦ ତାରିଖ ରହିଛି ପଞ୍ଜିକରଣ ଶେଷ ତାରିଖ ।