Advertisment

ବାଧ୍ୟରେ ତେଲ ଉପରୁ ଭାଟ୍‌ ହ୍ରାସ କଲେ କି ରାଜ୍ୟ ସରକାର?

ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି

author-image
Sarbeswar
Oil Price Hike Politics

Oil Price Hike Politics

ଭୁବନେଶ୍ୱର: ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି ମିଳିଛି। କାରଣ ରାଜ୍ୟରେ କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ପେଟ୍ରୋଲ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାଟ୍ କମାଇଛନ୍ତି ରାଜ୍ୟ ସରକାର। ଯାହାକି ୫ ତାରିଖ ମଧ୍ୟରାତିରୁ ଲାଗୁ ହେବ ବୋଲି ସୂଚନା ମିଳିଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ ଓ ରାଜ୍ୟ ଭାଟ କମାଇବାପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୬୦ ପଇସା ଓ ଡିଜେଲ୍ ୧୫ ଟଙ୍କା ୮୦ ପଇସା ହ୍ରାସ ପାଇବ।

Advertisment

ତେବେ ରାଜ୍ୟ ସରକାର ଭାଟକୁ ଆହୁରି କମାନ୍ତୁ ବୋଲି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଅନ୍ୟପକ୍ଷରେ ଗ୍ୟାସ ଦର କଥା ଉଠାଇ କାଉଣ୍ଟର କରିଛି ବିଜେଡି । ୧୦ ଦିନ ମଧ୍ୟରେ ଗ୍ୟାସ ଦର ନକମିଲେ ଦଳ ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ବର୍ଷେ ହେଲା ବେଲଗାମ ହୋଇଥିଲା ତୈଳ ଦର। ଦୈନଦିନ ଭିତ୍ତିରେ ଦାମ୍ ବଢିବାକୁ ନେଇ ଅତିଷ୍ଠ ହୋଇପଡିଥିଲେ ସାଧାରଣ ଲୋକ। ତେବେ ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି ଦେଇଛି। ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା କମ୍ କରିଛନ୍ତି ସରକାର। ଫଳରେ ଆଶ୍ୱସ୍ତ ହୋଇଛି ମଣିଷ।

Advertisment

କେନ୍ଦ୍ରର ନିଷ୍ପତ୍ତି ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୬୦ ପଇସା ଓ ଡିଜେଲ୍ ୧୨ ଟଙ୍କା ୮୦ ପଇସା ହ୍ରାସ ପାଇଛି। ତେଣେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ଓଡ଼ିଶା ସମେତ କିଛି ରାଜ୍ୟ ଭାଟ୍ ହ୍ରାସ ପାଇଁ ଘୋଷଣା କରିଛନ୍ତି। ପେଟ୍ରୋଲ ଓ ଡିଜେଲ୍ ଉପର ରାଜ୍ୟ ସରକାର ଭାଟକୁ ୩ ଟଙ୍କା କମାଇଛନ୍ତି। ତେବେ ଏହା ୫ ତାରିଖ ମଧ୍ୟରାତିରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ସରକାରଙ୍କୁ ୨ହଜାର କୋଟି ରାଜସ୍ୱହାନୀ ହେବ। ଏଣେ ଏକ୍ସାଇଜ୍ ଓ ଭାଟ ହ୍ରାସ ପରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୬୦ ପଇସା ଓ ଡିଜେଲ୍ ୧୫ ଟଙ୍କା ୮୦ ପଇସା କମିଯିବ। ତେବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଉପରମୁହାଁ ରହୁଥିବାରୁ ଦୈନଦିନ ଭିତିରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଲାଗି ରହିବ। ଅନ୍ୟପକ୍ଷରେ ପେଟ୍ରୋଲ, ଡିଜେଲ୍ ଦର କମିବାପରେ ଗ୍ୟାସ୍ ଦର କମାଇବାକୁ ଦାବି ଉଠିଛି।

ତୈଳ ଦରରେ ଅଂକୁଶ ଲଗାଇବା ଲାଗି କେନ୍ଦ୍ର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ତେଜିଛି ରାଜନୀତି। କେନ୍ଦ୍ର ଓ ଅନ୍ୟ କିଛି ରାଜ୍ୟ ଦର କମାଇବା ପରେ ଓଡ଼ିଶା ସରକାର ବାଧ୍ୟ୍ୟବାଧକତାରେ ଭାଟ୍ କମାଇଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର ଭାଟ ମାତ୍ର ୩ ଟଙ୍କା କମାଇ କାର୍ପଣ୍ୟ ପ୍ରଦର୍ଶନ କରିଥିବା ଦଳ କହିବା ସହ ଆଉ ୪ ଟଙ୍କା କମ୍ କରିବାକୁ ଦାବି କରିଛି।

ତେବେ ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି। ତେବେ କାଲିଠୁ ଯୁବ, ଛାତ୍ର ସଂଗଠନ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନକୁ ଦଳ ସ୍ଥଗିତ ରଖିଛି। ଗ୍ୟାସ ଦର ହ୍ରାସ ନେଇ କେନ୍ଦ୍ର ନିଷ୍ପତ୍ତି ନନେଲେ ୧୦ ଦିନ ଭିତରେ ଦଳ ପୁଣି ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ତେଣେ ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପି ହାରିବା ପରେ କେନ୍ଦ୍ର ତୈଳ ଦର ହ୍ରାସ ଲାଗି ବାଧ୍ୟ ହୋଇଥିବା କଂଗ୍ରେସ କହିଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଆଜି ଲିଟର ପିଛା ୧୦୪ ଟଙ୍କା ୯୧ ପଇସା ଓ ଡିଜେଲ୍ ୯୪ ଟଙ୍କା ୫୧ ପଇସା ରହିଛି।

BJD BJP Oil Price Politics
Advertisment
Advertisment