• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଦିବାସୀଙ୍କ ଜମି କିଣାବିକା କ୍ୟାବିନେଟ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହୋହଲ୍ଲା ଯୋଗୁ ଗୃହ ଅପରାହ୍ଣ ୪ଟା ଯାଏ ମୁଲତବି ହୋଇଛି । ଶୀତ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଗୃହ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତଥାପି ସ୍ୱାଭାବିକ ହୋଇପାରିନି ।

ଏନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଆଦିବାସୀ ଜମି ହସ୍ତାନ୍ତର ନେଇ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଯେମିତି ମାଚ୍ୟୁଅର୍ଡ ହେବା କଥା ସେମିତି ହୋଇନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆଦିବାସୀଙ୍କ ବିକାଶରେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ଅଛନ୍ତି । ବିରୋଧୀ କେବଳ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାଜ୍ୟ ସରକାରଙ୍କୁ ଆଦିବାସୀ ବିରୋଧୀ କହି ବିଜେପି ଗୃହ ଭିତରେ ହୋହଲ୍ଲା କରିବା ସହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । "ସରକାର ଯଦି କ୍ୟାବିନେଟ୍ ନିଷ୍ପତ୍ତି ନକରନ୍ତି ପ୍ରତ୍ୟାହାର, ଜମି ହରାଇ ଅନୁସୂଚିତ ଜନଜାତି ହୋଇଯିବେ ଛାରଖାର'' ପ୍ରସଙ୍ଗରେ ଆଲୋଚନା ପାଇଁ ମୋସନ ଆଣିଥିଲା ବିଜେପି । ତେବେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବାରୁ ବିରୋଧୀ ହୋହଲ୍ଲା କରିଥିଲେ ।

କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଛି । କିଛି ଦିନ ସ୍ଥଗିତ ପରେ ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ଼ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି ବୋଲି ବିଜେପି ଅଭିଯୋଗ ଆଣିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀ ମାନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ ବୋଲି କହିଛି ବିଜେପି ।