• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଙ୍ଗଲ ନିଆଁକୁ ନେଇ ଟେନସନ୍ ରେ ରାଜ୍ୟ ସରକାର। ନିଆଁ ଆୟତ୍ତ କରିବାକୁ ବାଟ ପାଉନି ଜଙ୍ଗଲ ବିଭାଗ। ଦିନେ କି ଦୁଇ ଦିନ ନୁହେଁ, ଲଗାତର ୨ ମାସ ହେଲାଣି ଜଳୁଛି ଜଙ୍ଗଲ । ଆଜି ବିଧାନସଭାରେ ବିରୋଧୀ ଆଣାୟତ୍ତ ଜଙ୍ଗଲ ନିଆଁ କଥା ଉଠାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅଜବ ଯୁକ୍ତି ବାଢ଼ିଛନ୍ତି,  ସାଟେଲାଇଟ୍ ଦେଖାଉଥିବା ସବୁ ବନାଗ୍ନି ଜଙ୍ଗଲ ନିଆଁ ନୁହେଁ । ଧାନ କଟା ପରେ ଚାଷୀ ଜମିରେ ଲଗାଉଥିବା ନିଆଁକୁ ବି ସାଟେଲାଇଟ୍ ଜଙ୍ଗଲ ନିଆଁ ଦେଖାଉଛି। ସେପଟେ ଦିନ ଦିନ ଧରି ନିଆଁ ଲାଗି ରହିବା ଯୋଗୁଁ ପ୍ରଭାବିତ ହେଉଛନ୍ତି ଜଙ୍ଗଲ ଆଖପାଖରେ ବସବାସ କରୁଥିବା ଲୋକେ ।

ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା । ରାଜ୍ୟର ଚିନ୍ତାଜନକ ଜଙ୍ଗଲ ନିଆଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଥିବା ବେଳେ ଆଜି ବିଧାନସଭାରେ ବି ଉଠିଛି ଏ ପ୍ରସଙ୍ଗ । ବନାଗ୍ନିରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଥିବା ନେଇ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେପି ଉଦବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏମିତିକି ବିଧାନସଭା ବାହାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଚିନ୍ତା ପ୍ରକଟ କରିଛି । 

ଜବାବରେ ମନ୍ତ୍ରୀ ପ୍ରଦୀପ ଅମାତ୍ ବାଢ଼ିଛନ୍ତି ଅଜବ ଯୁକ୍ତି । ଜଙ୍ଗଲ ନିଆଁ ନେଇ ସାଟେଲାଇଟ୍‌ରେ ଯେଉଁ ତଥ୍ୟ ଆସୁଛି, ସବୁ ଜଙ୍ଗଲ ନିଆଁ ନୁହେଁ । ଅନେକ ସ୍ଥାନରେ ଧାନ କାଟିବା ପରେ ବିଲରେ ଯେଉଁ ବଳକା ଅଂଶ ରହୁଛି, ଚାଷୀ ନିଆଁ ଲଗେଇ ଦେଉଛି । ସାଟେଲାଇଟ୍ ଏସବୁ ନିଆଁକୁ ବି ଜଙ୍ଗଲ ନିଆଁ ଦର୍ଶାଉଛି । ତେବେ ଜଙ୍ଗଲରେ ଯେତିକି ସ୍ଥାନରେ ନିଆଁ ଲାଗୁଛି, ସେଥିରୁ ୯୮ ପ୍ରତିଶତକୁ ତତ୍କାଳ ଆୟତ୍ତକୁ ଅଣାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ପ୍ରତ୍ୟେକ ଦିନ ରାଜ୍ୟରେ ୧୭ଶହରୁ ୧୮ ଶହ ସ୍ଥାନରେ ଜଳୁଛି ଜଙ୍ଗଲ । ଏହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ବି ଜଙ୍ଗଲର ଗୋଟିଏ ପାଖରୁ ନିଆଁ ନ ଲିଭୁଣୁ ଆଉ ଗୋଟିଏ ପାର୍ଶ୍ୱରେ ଲାଗିଯାଉଛି ନିଆଁ । ଅନ୍ୟପକ୍ଷରେ ନିଆଁ ଲିଭାଇବା ପାଇଁ ଅନ୍ୟ ରାଜ୍ୟରେ ହେଲିକପ୍ଟର ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଥିବା ବେଳେ ଓଡ଼ିଶା କିନ୍ତୁ ଏ କ୍ଷେତ୍ରରେ ପଛରେ ରହିଯାଇଛି । ଯାହାକି ଜଙ୍ଗଲ ନିଆଁ ପ୍ରଶମନରେ ଅନ୍ୟତମ ପ୍ରତିବନ୍ଧକ ବୋଲି କହିଛନ୍ତି ବିଶେଷଜ୍ଞ ।

ଏପଟେ ଧୂଆଁମୟ ପରିବେଶ ତଥା ନିଆଁ ତାତି ଯୋଗୁ ଜଙ୍ଗଲ ପାଖ ଗାଁରେ ବସବାସ କରିବା ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି । ତେଣୁ ତ୍ରାହି 
ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ଆଶ୍ୱସ୍ତିକର ଖବର ଆଣିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରୁ ଆଜିଠାରୁ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଏହା ଜଙ୍ଗଲ ନିଆଁକୁ କେତେକାଂଶରେ ପ୍ରତିହତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।