• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କାଲି ଥାର୍ଡ ଫେଜ ଭୋଟିଂ

  • ଭୋଟ ଦେବେ ୬୫ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର୍

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବାକୁ ଯାଉଥିବା ବେଳେ ୨୭ ଶହ ୭୩ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୫ ବର୍ଷ ପରେ ରାୟଗଡ଼ା ଜିଲ୍ଲାର ନିୟମଗିରିରେ ଭୋଟ୍ ହେଉଥିବାରୁ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି ।

ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ମୋଟ୍ ୪୫ଟି ବୁଥ୍‌ରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ । ତେବେ ବୁଥ୍ ରିଗିଂ ଓ ବୁଥ୍ କ୍ୟାପଚରିଂକୁ ବନ୍ଦ କରି ଶାନ୍ତିଶୃଙ୍ଖଳାର ସହ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ କରିବା ବଡ଼ ଚ୍ୟାଲେଞ୍ଜ୍ ହେବ ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ । ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ । ମୋଟ୍ ୬୫ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର୍, ୧୮ ହଜାର ୪୯୫ ବୁଥ୍‌ରେ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୨, ୭୭୩ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ୬୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । କଳାହାଣ୍ଡି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତିର ଜୋର ଧରିଛି । ଜିଲ୍ଲାର ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଲକ୍‌ରେ କାଲି ଭୋଟ୍ ନିଆଯିବ . ଏଥିପାଇଁ ସାଜସରଞ୍ଜାମ ସହ ବୁଥ୍ ଅଭିମୁଖେ ଯାଇଛନ୍ତି ପୋଲିଂ କର୍ମଚାରୀ ।

ସେପଟେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌ରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି ପ୍ରସ୍ତୁତି ସରିଛି । ୩ଟି ବ୍ଲକ୍‌ରେ ମୋଟ୍ ୮ଟି ପିଙ୍କ୍ ବୁଥ୍ କରାଯାଇଛି । ସେପଟେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ ବିରିଡ଼ି ବ୍ଲକ୍‌ରେ ବି କାଲି ନିର୍ବାଚନ ହେବାକୁ ଯାଉଛି ।

ସେପଟେ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଂଚଳରେ ୧୫ ବର୍ଷ ପରେ ଭୋଟ୍ ଦେବେ ଡଙ୍ଗରିଆ କନ୍ଧ । ଏଠାକାର ପାରସାଲି ପଞ୍ଚାୟତର ୧୧ଟି ୱାର୍ଡରେ ମତଦାନ କରିବେ ୧୬୧୯ ଭୋଟର୍ । ପୂର୍ବରୁ ଏଠାରେ ସିଲେକ୍ସନ ଜରିଆରେ ପ୍ରତିନିଧି ଚୟନ କରାଯାଉଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରସୋର୍ ପ୍ରସ୍ତୁତି ହୋଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ୨୦ଟି ବୁଥ୍‌ରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ହେବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୩ଟା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୋଟ୍ ଗ୍ରହଣ କରାଯିବ । ସେପଟେ ପ୍ରଥମ ପର୍ଯ୍ୟାୟରେ ୭୭.୨ ପ୍ରତିଶତ ଭୋଟ୍ ହୋଇଥିବା ବେଳେ ଗତକାଲି ସରିଥିବା ଦ୍ୱିତୀୟ ପଯର୍ୟାୟରେ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ଓ ଗଂଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ଭୋଟ୍ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବିନ୍ଦ୍ର ନାଥ ସାହୁ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ରାଜନୈତିକ ହିଂସା ଓ ବୁଥ୍ ରାଗିଂ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅପେକ୍ଷାକୃତ କମ୍ ହିଂସା ଘଟିଥିଲା । ତୃତୀୟ ପର୍ଯ୍ୟାୟରେ କେତେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ହୋଇପାରୁଛି ଏବେ ତା ଉପରେ ନଜର ରହିଛି ।