ଷ୍ଟ୍ରଙ୍ଗରୁମ୍‌ ଉପରେ ଭରସା ନାହିଁ ! କେଉଁଠି ଟ୍ରାକ୍ଟର ତ କେଉଁଠି ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ

ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।

Panchayat Election

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ବୁଥ୍ ବଦଳରେ ବ୍ଳକ୍ ସ୍ତରରେ ହେବାକୁ ଯାଉଛି ଭୋଟ୍ ଗଣତି । ଯାହାକି ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ ଯାଏଁ ଚାଲିବ । ପୁରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭେଲାନ୍ସରେ ରହିବ ଏବଂ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅନବରତ ଚାଲିବ । ସେପଟେ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପୋଲିସ୍ ଡିଜିଙ୍କ ସହିତ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ଓ ଭୋଟ୍  ଗଣନା ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।

ଗଣତି ତାରିଖ ପାଖେଇବା ସହ ବଢୁଛି ପ୍ରାର୍ଥୀଙ୍କ ହାର୍ଟବିଟ୍ । ୨୬, ୨୭ ଓ ୨୮ ତିନି ଦିନ ଧରି ଚାଲିବ ଭୋଟ୍ ଗଣତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୬ ତାରିଖରେ ୩୧୫ ଜିଲ୍ଲା ପରିଷଦ ଜୋନ୍, ୨୭ରେ ୩୦୭ ଓ ୨୮ରେ ୨୨୯ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ହେବ କାଉଣ୍ଟିଂ । ଯେଉଁ ଦିନ ଯେଉଁ ଜିଲ୍ଲା ପରିଷଷ ଜୋନ୍‌ର ଭୋଟ୍ ଗଣତି ହେବ, ସେହିଦିନ ହିଁ ଏହା ଅନ୍ତର୍ଗତ ପଞ୍ଚାୟତଗୁଡ଼ିକର ସମସ୍ତ ପଦବୀ ପାଇଁ ଗଣତି ହେବ । ସକାଳ ୭ଟାରେ ଲଟେରି କରାଯାଇ କାଉଣ୍ଟିଂ ଟିମ୍‌କୁ ଟେବୁଲ୍ ବଣ୍ଟାଯିବ ।

ଗୋଟିଏ ପଂଚାୟତ ଲାଗି ଗୋଟିଏ ଟେବୁଲ୍ ରହିବ । ଗୋଟିଏ ଗୋଟିଏ ଟେବୁଲ୍‌ରେ ଜଣେ କାଉଣ୍ଟିଂ ସୁପଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ସକାଳ ୮ଟାରୁ ଆରମ୍ଭ ହେବ ମତ ଗଣନା । ଗଣତିର ୧୫ ମିନିଟ୍ ପୂର୍ବରୁ ଭୋଟ୍ ବାକ୍ସଗୁଡ଼ିକ କାଉଣ୍ଟିଂ ଟେବୁଲ୍‌କୁ ଅଣାଯିବ । ଇଲେକସନ୍ ଅଫିସର ଓ ଟାବୁଲେସନ୍ ଲାଗି ଅଲଗା ଟେବୁଲ୍ ରହିବ । ଭୋଟ୍ ବକ୍ସ ଖୋଲାଯିବା ପରେ ବାଲାଟ୍ ପେପରର ରଙ୍ଗ ଅନୁୟାୟୀ ସେଗୁଡ଼ିକୁ ଅଲଗା କରାଯିବ । ଏହାପରେ ଆରମ୍ଭ ହେବ ଗଣତି । ଯାହା ଫଳ ଜଣାପଡ଼ିବା ଯାଏଁ ଅନବରତ ଚାଲିବ । ଯଦି ବାଲାଟ୍ ପେପରରେ ଜଣେ ଭୋଟର୍ ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବେ, କେଉଁ ଚିହ୍ନରେ ଭୋଟ୍ ଦେଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବ, ବାଲାଟ୍ ପେପର ଚିରା-ଫଟା ହୋଇଥିଲେ ତାହା ଅବୈଧ ଧରାଯିବ ।

ନିର୍ଦ୍ଦିଷ୍ଟ ଜିଲ୍ଲା ପରିଷଦ ଜୋନ୍ ଓ ତା ଅନ୍ତର୍ଗତ ପଂଚାୟତଗୁଡିକର କାଉଣ୍ଟିଂ ସରିବା ପରେ ହିଁ ପରବର୍ତ୍ତୀ ଜିଲ୍ଲା ପରିଷଦ ଜୋନ୍ ଲାଗି କାଉଣ୍ଟିଂ ଆରମ୍ଭ ହେବ । ପୁରା ଗଣତି ପ୍ରକ୍ରିୟା ସିସିଟିଭି ସର୍ଭେଲାନ୍ସରେ ରହିବ । ସେପଟେ ରାଜ୍ୟ ନିର୍ବାଚନ ଆୟୋଗ, ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ୍ ଡିଜିଙ୍କ ସହ ସମୀକ୍ଷା କରିଛନ୍ତି ।

ଚାରି ପର୍ଯ୍ୟାୟ ନିର୍ବାଚନର ଭୋଟ୍‌ ବାକ୍ସଗୁଡ଼ିକ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି । ସେଠାରେ କାଳେ କିଛି ଗଡ଼ବଡ଼ ହେବ ସେଥିପାଇଁ ବିଭିନ୍ନ ବୁଥ୍‌ରେ ଜଗିଛନ୍ତି ରାଜନୈତିକ ଦଳର ନେତା ଓ ସେମାନଙ୍କ ସମର୍ଥକ । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ଷ୍ଟ୍ରଙ୍ଗରୁମ୍ ଆଗରେ ଟ୍ରାକ୍ଚରରେ ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ । ସେହିଭଳି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ରୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବାକୁ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନିବେଦନ କରୁଛନ୍ତି ବିଜେପିର ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ । ସେଠି ଛତ୍ରପୁର ଉପଜିଲ୍ଲାପାଳ, ଏସ୍‌ଡିପିଓ, ସ୍ଥାନୀୟ ତହସିଦାର ଉପସ୍ଥିତ ଥିଲେ । ତେବେ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଦୁଇ ପ୍ରାର୍ଥୀ ଯେଉଁ ଅଭିଯୋଗ ଆଣିଛନ୍ତି ସେନେଇ ବିିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।