Advertisment

ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ କାହା କଥା ଠିକ୍.. ମୁଖ୍ୟ ଶାସନ ସଚିବ ନା ଶକ୍ତିମନ୍ତ୍ରୀ ?

ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Power Cut

ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ଭିନ୍ନମତ । କାଳବୈଶାଖୀରେ ରାଜଧାନୀରେ ବିଜୁଳି ବିଭ୍ରାଟକୁ ନେଇ ଟାଟା ପାୱାର ଉପରେ ସିଏସଙ୍କ ଅସନ୍ତୋଷକୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମର୍ଥନ ପରେ, ମନ୍ତ୍ରୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ଭିତ୍ତିଭୂମିର ଅଭାବ ଅଛି, କାଳବୈଶାଖୀ ହେଲେ ତୁରନ୍ତ ବିଜୁଳି ଆସିବା ସମ୍ଭବ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶକ୍ତିମନ୍ତ୍ରୀ । ଏହାପରେ କିଏ ଠିକ୍ ତାକୁ ନେଇ ଚର୍ଚ୍ଚା ଜୋର । ଏପଟେ ଘନଘନ ବିଜୁଳି କାଟରେ ତ୍ରାହିତ୍ରାହି ଜନତା।...

Advertisment

ଭୁବନେଶ୍ୱରରେ କାଳବୈଶାଖୀ ପରେ ଦୀର୍ଘ ସମୟ ଧରି ବିଜୁଳି କାଟକୁ ନେଇ ମୁଖ୍ୟ ଶାସନ ସଚିବ ଏକ ଟୁଇଟ୍ କରିଛନ୍ତି ।...ଟାଟା ପାୱାର ଉପରେ ଖୋଲାଖୋଲି ଅସନ୍ତୋଷ ଝାଡି ପ୍ରଶ୍ନ କରିଥିଲେ କାଳବୈଶାଖୀରେ ଯଦି ଏମିତି ଅବସ୍ଥା, ବାତ୍ୟା ହେଲେ କଣ ହେବ। ଏପରିକି ତୁରନ୍ତ କାମ ସାରି ଲାଇନ ଦେବାକୁ ସେ ଟାଟା ପାୱାରକୁ ତାଗିଦ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଯାହାକୁ ଟୁଇଟରରେ ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମର୍ଥନ କରିଥିଲେ ।

ଏବେ ପୁଣି ସୋମବାର ୪ ଡିଷ୍ଟ୍ରିବ୍ୟୁସନ କମ୍ପାନି ଓ ଶକ୍ତି ବିଭାଗର ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି ମୁଖ୍ୟ ସଚିବ । ଏଭଳି ସ୍ଥିତିରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବଙ୍କ ଭିନ୍ନ ମତ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ସେ କହିଛନ୍ତି କାଳବୈଶାଖୀ ପରେ ଆଖି ପିଛୁଳାକେ ବିଜୁଳି ଆସିବା ଅସମ୍ଭବ। ପାୱାର କଟ୍ ହେଉନି, ଭିତ୍ତିଭୂମି ସମସ୍ୟାରୁ ଲାଇନ୍ କାଟ୍ ହେଉଥିବା ମାନିଛନ୍ତି ଶକ୍ତି ମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ଏ ଭିନ୍ନ ଭିନ୍ନ ମନ୍ତବ୍ୟ ଭିତରେ କିନ୍ତୁ ପାୱାରକଟ୍ ରେ ହନ୍ତସନ୍ତ ଜନତା।

Advertisment

ବ୍ରହ୍ମପୁରରେ ଯେମିତି ଲୁଚକାଳି ଖେଳୁଛି ବିଦ୍ୟୁତ୍ । ବାହାରେ ଡହ ଡହ ଖରା, ଭିତରେ ବିନା ବିଜୁଳିରେ ଗରମରେ ଛଟପଟ । ଗୁଳୁଗୁଳି ଏମିତି ଯେ ବସି ଉଠି ହେଉନି । ଲାଇନ୍ ଯାଇଛି ଯେ ଯାଇଛି, କେତେବେଳେ ଆସିବ ତାର ଠିକ୍ ଠିକଣା ନାହିଁ । ରାତି ସାରା ବିଞ୍ଚଣା ବୁଲାଇ ବୁଲାଇ କଟିଗଲା । ସକାଳୁ ଟିକେ ସମୟ ପାଇଁ ଆସି ପୁଣି ଛୁ । ସକାଳୁ ରାତି ଯାଏଁ ଘନ ଘନ କଟୁଛି କରେଣ୍ଟ । ହେଲପ ଲାଇନ ନମ୍ବରକୁ ଫୋନ କଲେ ଉତ୍ତର ଆସୁଛି, କାମ ଚାଲିଛି, ତୁରନ୍ତ କରି ଦିଆଯିବ। ସରକାରୀ କାର୍ଯ୍ୟାଳୟ ଏବଂ କୋର୍ଟରେ ବି ସମାନ ଅବସ୍ଥା। ବାରମ୍ବାର ବିଜୁଳି ବିଭ୍ରାଟ ଯୋଗୁଁ କୌଣସି କାମ ହୋଇପାରୁନି ।

ସେହିପରି ତାଳଚେରେ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇପଡିଲେଣି ଜନତା । ଟିକେ ମେଘ ପବନ ହେଲେ ଘଂଟା ଘଂଟା ଧରି ହଜିଯାଉଛି ବିଜୁଳି।

ଯାଜପୁର ବ୍ୟାସନଗର ଅଂଚଳରେ ମଧ୍ୟ ନାକେଦମ କରିଛି ବିଜୁଳି କାଟ୍। ଦିନରେ ଯେତିକି ତାଠୁ ଅଧିକବିଜୁଳି କଟୁଛି ରାତି ସମୟରେ। ଫଳରେ ଡିବିରି ଆଲୁଅରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ପିଲା। ଆଉ, ଘର ବାହାରେ କରେଣ୍ଟକୁ ଅପେକ୍ଷା କରି କରି ବିତି ଯାଉଛି ରାତି। ବିଭାଗୀୟ ଅଧିକାରୀ କହୁଛନ୍ତି, କାଳବୈଶାଖୀ ପାଇଁ ବିଦ୍ୟୁତ୍ କାଟ୍ ହେଉଛି, କାମ ସରିବାକୁ ସମୟ ଲାଗିବ।

ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ଅଭାବ ଥିଲେ ତାକୁ ସଜାଡିବା କାହାର ଦାୟିତ୍ୱ ? ବିଦ୍ୟୁତ୍ ବିଭ୍ରାଟ ଦୂର କରି ରାଜ୍ୟବାସୀଙ୍କୁ ନିରନ୍ତର ସେବା ଯୋଗାଇବା ଦିଗରେ ପଦକ୍ଷେପ ନେବା ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ନୁହେଁ କି ? କାଳବୈଶାଖୀ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ଖସି ଯିବାକୁ ହେଉଛି କି ଉଦ୍ୟମ ? ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଉପଭୋକ୍ତା କେବେ ବିଜୁଳି ବିଭ୍ରାଟରୁ ତ୍ରାହି ପାଉଛନ୍ତି, ତାକୁ ଅପେକ୍ଷା ।

Power Cut
Advertisment
Advertisment