ବିରୋଧୀ ଦଳ ନେତା ଆସନରେ ବସିବେ ତ ନବୀନ?

ଗଣତନ୍ତ୍ରହୀନ ବିଜୁ ଜନତା ଦଳରେ ନେତା ପଣପଣ, କିନ୍ତୁ କାହାର ପାୱାର ନାହିଁ। ଆଦର ନଥିବାରୁ ଦୂରେଇ ରହିଛନ୍ତି ବରିଷ୍ଠ, ଟହଲ ମାରୁଛନ୍ତି ଅଭିଜ୍ଞତାହୀନ ଯୁବପିଢ଼ି।

Naveen Patnaik

ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶା ରାଜନୀତିରେ ’ଗଣତନ୍ତ୍ର’ର ପୁନଃବାହଲ ହେବ ବୋଲି ଆଶା କରାଯାଉଛି। ଦୀର୍ଘବର୍ଷ ଧରି ବିଜେଡି ସରକାର ଓ ବିଜେଡି ଦଳରେ ’ଗଣତନ୍ତ୍ର’ ବୋଲି କିଛି ନଥିଲା। ଗଣତନ୍ତ୍ରର ପୋଷାକ ତଳେ ସଂପୂର୍ଣ୍ଣ ଜଣତନ୍ତ୍ରରେ ଏ ଦୁଇ ଅନୁଷ୍ଠାନ ଚାଲିଥିଲା।

ଗୋଟେ ନିର୍ବାଚିତ ସରକାର, ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିତ ବ୍ୟବସ୍ଥାରେ ଚାଲିବା ଉଚିତ। ସରକାର ଏକ ଅନୁଷ୍ଠାନ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ଜଣକ ଦ୍ୱାରା ଚାଲିବା ଅନୁଚିତ। ସିଷ୍ଟମ୍ ବା ବ୍ୟବସ୍ଥାକୁ ସଶକ୍ତ କଲେ, ସବୁ ସମୟରେ ଏହା ସୁରୁଖୁରୁରେ ଚାଲି ପାରିଥାଏ। ଅଭିଯୋଗ ହୁଏ, ଏହି ବ୍ୟବସ୍ଥାରେ କାମ କଲେ ପ୍ରଗତି ମନ୍ଥର ହେଇଯିବ। ତା ବୋଲି ପୂରା ବ୍ୟବସ୍ଥାକୁ ସିଜ୍ କରି ଦୁଇଜଣ ଲୋକ ନିଜ ଇଚ୍ଛାରେ ସରକାର ଚଳାଇବେ, ତାହା ଗ୍ରହଣୀୟ ନୁହେଁ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

ବ୍ୟବସ୍ଥାରେ ଥିବା ଛିଦ୍ର ମାଧ୍ୟମରେ, ଓଡ଼ିଶାରେ ଏକ ଛାୟା ଗଣତାନ୍ତ୍ରିକ ସରକାର ଚାଲୁଥିଲା। ଆଂଶିକ ଭାବରେ ହେଉ ବରଂ, ଏଥିରେ ଏକଛତ୍ରବାଦ ରହିଥିଲା। ମାତ୍ର ୨ ଜଣରେ ଗୋଟେ ସରକାର ଓ ଦଳ ଚାଲୁଥିଲା। ବାକି ଯେଉଁମାନେ ଏହି କ୍ଷମତାକେନ୍ଦ୍ରର ପାଖାପାଖି ଆତିଯାତ ହେଉଥିଲେ, ସେମାନେ ବୋଲ ହାକ କରା ଲୋକଙ୍କ ପରି ଟହଲିଆ ଥିଲେ। କେତେବେଳେ କ୍ଷମତା କେନ୍ଦ୍ରର ଦୃଷ୍ଟି ପଡ଼ିଗଲେ ଫାଇଦା ନେଇଯାଉଥିଲେ, ନହେଲେ ବିକଳ ହେଇ ବୁଲୁଥିଲେ।

ଏବେ ସମସ୍ତଙ୍କ ପ୍ରଶ୍ନ ଯେ, ବିଜେଡିରେ ବିରୋଧୀ ଦଳ ନେତା କିଏ ହେବେ? ସ୍ୱାଭାବିକ ଭାବେ, ଦଳର ନେତା ନବୀନ ପଟ୍ଟନାୟକ ହିଁ ହେବା କଥା। କିନ୍ତୁ ସେ ହିଁ ତ ଗଣତନ୍ତ୍ରକୁ ମୋଡ଼ି ଭାଙ୍ଗିଦେବାକୁ ସୁଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଥିଲାବେଳେ ଅନେକ ସମୟରେ ବିଧାନସଭାକୁ ଆସୁନଥିଲେ। ତେଣୁ ତାଙ୍କଠାରୁ ଗଣତନ୍ତ୍ର ଆଶା କରିବା ହାସ୍ୟାସ୍ପଦ ହେବ।

ବିରୋଧୀ ଦଳ ନେତା ଆସନରେ ବସିବା ଗୋଟେ ବଡ଼ ଦାୟିତ୍ୱ। ଗୋଟେ ସରକାରକୁ ଅଡୁଆରେ ପକାଇବାକୁ କିମ୍ୱା ସଠିକ୍ ଦିଶା ଦେଖେଇବାକୁ ହେଲେ, ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କଠାରୁ ମଧ୍ୟ ବେଶୀ ତୀକ୍ଷ୍ଣ ଓ ରାଜନୈତିକ ପଣ୍ଡିତ ହେବା ଜରୁରି ଅଟେ। ଭବିଷ୍ୟତ ହିଁ କହିବ, ନିଜର ନିନ୍ଦିତ ସହଯୋଗୀ ବିନା, ନବୀନ ବାବୁ ଏହି ଦାୟିତ୍ୱ କେତେ ପ୍ରଭାବଶାଳୀ ଢଙ୍ଗରେ ତୁଲେଇ ପାରିବେ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

ବିଜେଡିରେ ନେତା ହାଉ ହାଉ। ୨୫ ବର୍ଷର ଏହି ଦଳରେ ଅଭିଜ୍ଞ ନେତାଙ୍କର ଅଭାବ ନାହିଁ। କିନ୍ତୁ ଦଳ ଜଣତନ୍ତ୍ରରେ ଚାଲିଥିବାରୁ ଏହି ନେତାମାନେ ଅବହେଳିତ ହୋଇ ଚୁପ୍ ରହିଛନ୍ତି। ଗୋଟିଏ ଦଳରେ ନେତାମାନେ ତିନିଟି ସ୍ତରରେ ତିଆରି ହୋଇ ରହିଥାନ୍ତି। ସବୁଠୁ ଉପରେ ଥାଆନ୍ତି, ବୟସ୍କ ଓ ଅଭିଜ୍ଞ, ତା ତଳକୁ ଥାଆନ୍ତି ଯୁବ ନେତୃତ୍ୱ, ଯେଉଁମାନେ କି ବାସ୍ତବରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି ଓ ସରକାର ପାଇଁ କାନ୍ଧ ଲଗେଇ ଦେଇଥାନ୍ତି। ତା ତଳକୁ ଥାଆନ୍ତି ଶିକ୍ଷାନବିଶ। ଏମାନଙ୍କୁ ଦଳର ହନୁମାନ ପରି ବିଚାର କରାଯାଏ।

ଯେହେତୁ ବିଜେଡିରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କର ଏକଛତ୍ରବାଦୀ କାର୍ଯ୍ୟଶୈଳୀ ରହିଥିଲା, ତେଣୁ ବରିଷ୍ଠମାନେ ନିଜକୁ ଅବହେଳିତ ଅନୁଭବ କରି ଦୂରେଇ ଯାଇଥିଲେ। ଯୁବପିଢ଼ି ଅଳ୍ପ କିଛି କିଛି ଟହଲ ମାରୁଥିଲେ, କିନ୍ତୁ ବ୍ୟକ୍ତିଗତ ଫାଇଦା ବେଶୀ ନେଉଥିଲେ। ଯେହେତୁ କ୍ୟାଡରକୁ ଅଣଦେଖା କରି ବିଜେଡି ଚାଲୁଥିଲା, ତେଣୁ ଏବେ ପରବର୍ତ୍ତୀ ପିଢ଼ି ତିଆରି ହୋଇନାହିଁ।

ସରକାରରେ ମଧ୍ୟ ସେଇ ଏକାକଥା ହେଉଥିଲା। ପ୍ରଶାସନ ସଂପୂର୍ଣ୍ଣ କାର୍ଯ୍ୟଶୂନ୍ୟ ହୋଇଯାଇଥିଲା। ରାତି ପାହିଲେ ସମସ୍ତେ ପାଣ୍ଡିଆନ ଓ ତାଙ୍କ ତୃତୀୟ ମହଲା କୋଟେରିର ଷ୍ଟାମ୍ପମରା ଅଧିକାରୀମାନଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରୁଥିଲେ। ବିଭିନ୍ନ ବିଭାଗରେ ଥିବା ଗୁଡ଼ାଏ ଆଇଏଏସ୍, ନିଜ ଇଚ୍ଛାରେ କିଛି ଚିନ୍ତା କରିବାର ସୁଯୋଗ ପାଉନଥିଲେ। ଯାହାକୁ ଇଂରାଜୀରେ କୁହନ୍ତି, ଅଣ୍ଡର ୟୁଟିଲାଇଜ୍ ହୋଇ ରହୁଥିଲେ। କ୍ଷମତାର ବିକେନ୍ଦ୍ରୀକରଣ ନହେବାରୁ ବ୍ୟବସ୍ଥା ଚଳଚଞ୍ଚଳ ହେଉନଥିଲା।

ସେହିପରି ସରକାରର ରାଜନୈତିକ ସ୍ତରରେ ସେହି ଏହା ଅବସ୍ଥା। ମନ୍ତ୍ରୀ ଓ ବିଧାୟକଙ୍କର କିଛି କାମ ନଥିଲା। ସେମାନେ ଅଯଥାରେ ଗୋଟେ ଗୋଟେ ଗାଡ଼ି, ଅଫିସର, ପିଅନ ଚପରାସୀ, କ୍ୱାର୍ଟର୍ସ ପାଇ ଅଏସ୍ କରୁଥିଲେ। ଗତ ୧୦ ବର୍ଷ ଭିତରେ କେଉଁ ନେତା, ମନ୍ତ୍ରୀ ଆସନରେ ବସିଥିଲେ ବୋଲି ଯଦି ଆପଣ କାହାକୁ ପଚାରିଦେବେ, ତେବେ ମୁଁ ଗ୍ୟାରେଣ୍ଟି ଦେଉଛି, ଜଣଙ୍କର ନାଁ ମଧ୍ୟ କେହି କହିପାରିବେ ନାହିଁ। ମତେ ବେଳେବେଳେ ଲାଗେ, ମନ୍ତ୍ରୀମାନେ ମଧ୍ୟ ନିଜେ କେଉଁ ବିଭାଗର ମନ୍ତ୍ରୀ କହିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ଓ ପାଣ୍ତିଆନ୍‌ଙ୍କ ପାଇଁ ଜେଲ୍‌ରେ ଜାଗା ସୁରକ୍ଷିତ ରଖିବାକୁ ପଡ଼ିବ’

ଏଭଳି ସମୟରେ ପୁଣି ସେଇ ଅଣ୍ଡର ୟୁଟିଲାଇଜେସନ୍ କଥା ଉଠୁଛି। ଯଦି ସେମାନଙ୍କର କିଛି କାମ ନାହିଁ, ତେବେ ଏତେ ମନ୍ତ୍ରୀ ରଖି ବେକାରଟାରେ ଏତେ ଟଙ୍କା କାହିଁକି ବରବାଦ କରାଯାଉଥିଲା। ରାଜ୍ୟ ସଚିବାଳୟକୁ ସାମ୍ବାଦିକମାନଙ୍କୁ ଯିବା କଟକଣା ଲାଗିଛି ବର୍ଷ ବର୍ଷ ଧରି। କିନ୍ତୁ ସାମ୍ବାଦିକ ସବୁ ପକ୍ଷଭୁକ୍ତ ହୋଇ ସାରିଥିବାରୁ କେହି ଏହାର ପ୍ରତିବାଦ ମଧ୍ୟ କରୁନଥିଲେ। ପୂରା ବ୍ୟବସ୍ଥାକୁ ଅନୁଗତ କରି ରଖିବା ଗଣତନ୍ତ୍ରର ପରିପନ୍ଥୀ। ଆଶା କରାଯାଉଛି, ଯେଉଁ ନୂଆ ସରକାର ଆସିବ, ତାହା ରାଜ୍ୟରେ ଗଣତନ୍ତ୍ରର ପୁନଃବାହଲ କରିବ।