କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ? ଜୁନ୍ ୧୦ ପାଇଁ ବିଜେପି ତା’ର କସରତ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବି ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତାକାଲି ଦିଲ୍ଲୀରେ ବସିବ ଦଳର ସଂସଦୀୟ ବୋର୍ଡ ବୈଠକ । ଏଥିପାଇଁ ରାଜ୍ୟ ବିଜେପିର କିଛି ନେତାଙ୍କୁ ହୋଇଛି ଦିଲ୍ଲୀ ଡାକରା । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଦିଲ୍ଲୀ ଯାଉଛନ୍ତି।
Also Read
ଅଧିକ ପଢ଼ନ୍ତୁ: ଦୁର୍ଗ ପତନ ପରେ ବିଜେଡିରେ ଘମାସାନ୍ ! ପାଣ୍ଡିଆନ୍ଙ୍କୁ ଦାୟୀ କରି ମୁହଁ ଖୋଲିଲେଣି ବରିଷ୍ଠ
ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏକାଧିକ ନାଁ ଚର୍ଚ୍ଚାକୁ ଆସିଛି । ଯାହା ମଧ୍ୟରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପାଟଣାଗଡ଼ରୁ ଜିତିଥିବା ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି. ସିଂଦେଓ, ବ୍ରଜରାଜନଗରରୁ ଜିତିଥିବା ବରିଷ୍ଠ ନେତା ସୁରେଶ ପୂଜାରୀ, କେନ୍ଦୁଝରରରୁ ଜିତିଥିବା ମୋହନ ମାଝୀ ପ୍ରମୁଖ । ଅନ୍ୟ ପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ଚେହେରା ବନିଥିବା ୫ ହେଭିୱେଟ ନେତା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀଙ୍କ ଭଳି ଅଭିଜ୍ଞ ନେତାଙ୍କ ମଧ୍ୟରୁ ଜଣଙ୍କୁ ଦଳ ଏଠି ଦାୟିତ୍ୱ ଦେବାର ବି ସମ୍ଭାବନା ରହିଛି ।
ସେହିପରି ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନର ସିଏଜି ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଗୁଜରାଟ କ୍ୟାଡରର ଏହି ୧୯୮୫ ମସିହା ବ୍ୟାଚ୍ ଅଫିସର, ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ସେଠାରେ ତାଙ୍କର ପ୍ରମୁଖ ସଚିବ ଥିଲେ । ତା ସହିତ ଅମିତ ଶାହ ଗୃହମନ୍ତ୍ରୀ ଥିବା ବେଳେ ସେ ଥିଲେ ସେହି ବିଭାଗର ଯୁଗ୍ମ ସଚିବ । ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଏବଂ ଜଣେ ଓଡ଼ିଆ ଆଦିବାସୀ ଚେହେରା ଭାବେ ଗିରିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି; ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏହିସବୁ ଅତିଥି
ସେପଟେ ବିଜେପିର ନବ ନିର୍ବାଚିତ ୨୦ ଜଣ ସାଂସଦଙ୍କୁ ମଧ୍ୟ ଦିଲ୍ଲୀ ଡକରା ହୋଇଛି । ଆସନ୍ତା କାଲି ବିଜେପି ପାର୍ଲାମେଣ୍ଟାରୀ ପାର୍ଟି ବୈଠକରେ ଯୋଗ ଦେବେ ସମସ୍ତ ସାଂସଦ। ଅନ୍ୟପଟେ ମୋଦିଙ୍କ ତୃତୀୟ ପାଳିରେ ଅର୍ଥାତ କ୍ୟାବିନେଟରେ ଓଡ଼ିଶାରୁ କିଏ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ରେସ୍ରେ ଆଗରେ ରହିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଆସନରୁ ଜିତିଥିବା ବୈଜୟନ୍ତ ପଣ୍ଡା, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦୁଝରରୁ ଜିତିଥିବା ଅନନ୍ତ ନାୟକ ।
ରାଜ୍ୟରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଜୁନ୍ ୧୦ରେ ଶପଥ ନେବେ ବୋଲି ପୂର୍ବରୁ ନିର୍ବାଚନୀ ରାଲିରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ସୋମବାର, ୧୦ ତାରିଖକୁ ।