ପ୍ରଚାର ବେଳେ ହଟହଟା ବିଜେଡି ନେତା ! ଲତିକାଙ୍କୁ ଗାଁ ଦାଣ୍ଡରେ ଅଟକାଇଲେ ଭୋଟର...

ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର ।

Odisha Politics

ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର । ପ୍ରଚାର ବେଳେ ସିଧା ଗାଡି ଅଟକାଇ ପ୍ରଶ୍ନ କରୁଛନ୍ତି । କବିସୂର୍ଯ୍ୟନଗରରେ ତ ପ୍ରଶ୍ନ ପଚାରିବାରୁ ଉତ୍ତର ଦେବା ପରିବର୍ତ୍ତେ ମାଡ ମାରିଛନ୍ତି ବିଧାୟିକାଙ୍କ ସମର୍ଥକ ।

ଏପଟେ ନିର୍ବାଚନ ହିଂସା ବି ବଢିବାରେ ଲାଗିଛି । ଆଠଗଡରେ ବିଜେପି-ବିଜେଡି କର୍ମୀଙ୍କ ଭିତରେ ଢେଲା ମାଡ଼, ଆଉ ଭୁବନେଶ୍ୱରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ବିଜେଡି ନେତା । ପ୍ରଚାର ବେଳେ ଘେରୁଛନ୍ତି ଜନତା । ପଚାରୁଛନ୍ତି କାହିଁକି ପୂରଣ କଲେନି ପ୍ରତିଶ୍ରୁତି?

କବିସୂର୍ଯ୍ୟନଗର ପ୍ରାର୍ଥୀ ଲତିକା ପ୍ରଧାନଙ୍କ ରାଲିରେ ଘଟିଛି ଘଟଣା । ବେଗୁନିଆପଡ଼ାଠାରେ ଲତିକାଙ୍କ ରାଲି ଅଟକାଇ ପ୍ରଶ୍ନ କରିଥିଲେ ସ୍ଥାନୀୟ ମହିଳା । କାହିଁକି ପାଇପରେ ଆସୁଥିବା ପାଣିରେ ପୋକ ରହିଛି ପଚାରିଥିଲେ । ହେଲେ ବିଧାୟିକା ଶୁଣିବେ କଣ, ଗାଡି ଆଗକୁ ଯାଇ ଅଭିଯୋଗ କରିବାରୁ ଉତ୍ତ୍ୟକ୍ତ ହୋଇ ପ୍ରଶ୍ନ କରିଥିବା ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ ବିଧାୟିକାଙ୍କ ସମର୍ଥକ ।

ଅଧିକ ପଢ଼ନ୍ତୁ: ବିଜେଡି ନେତ୍ରୀ ଯାଉଥିବା କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଗାଳିଗୁଲଜ ସହ ମାଡ଼ ମାରିଥିଲେ, ଫଳରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ଉଭୟ ମହିଳା । ସବୁଠୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଚମ୍ପୁଆଠାରେ । ପୂର୍ବତନ ବିଧାୟକ ତଥା ଏବେର ବିଜେଡି ପ୍ରାର୍ଥୀ ସନାତନ ମହାକୁଡଙ୍କୁ ବିରୋଧ କରି ଜୋତାମାଳ ପିନ୍ଧାଇଥିଲେ ଲୋକେ । ମିରିଗିସିଂଘାଠାରେ ଗ୍ରାମବାସୀମାନେ ସନାଙ୍କୁ ବିରୋଧର କରି ଏମିତି କରିଥିବା କୁହାଯାଉଛି ।

ଗଞ୍ଜାମ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । କଞ୍ଚଣା ପଞ୍ଚାୟତ ଠାରେ ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କ ପ୍ରଚାର ଗାଡି ଅଟକାଇ ଘେରିଥିଲେ ପଞ୍ଚାୟତ ବାସୀ । ପାଣି, ରାସ୍ତା, ପୋଖରୀ ସମସ୍ୟା କଥା ଉଠାଇ ପ୍ରଶ୍ନ ବାଣରେ ବୈଦ୍ୟଙ୍କୁ ଘାଇଲା କରିଥିଲେ। ପୂରା ହଟାହଟ୍ଟା ସ୍ଥିତି ସୃଷ୍ଟି ହୋଇଥିଲା । ପରଜଙ୍ଗରେ ବି ବରିଷ୍ଠ ନେତା ତଥା ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ବିରୋଧ କରିଥିଲେ ଖୋଦ୍ ବିଜେଡି କର୍ମୀ ।

ଏମିତିକି ପଞ୍ଚାୟତରେ ପଶିବାକୁ ବାରଣ କରିଥିଲେ । ଖାଲି ନେତାଙ୍କ ବିରୋଧ ନୁହେଁ, ନିର୍ବାଚନୀ ହିଂସା ବି ତେଜିଲାଣି । ରାଜଧାନୀ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କ ଉପରକୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ କରି କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।

ଅଧିକ ପଢ଼ନ୍ତୁ: ଜେଲ୍ ଗଲେ ପିଣ୍ଟୁ ଦାସ Aiimsରେ ଭର୍ତ୍ତି ହେଲେ ପ୍ରଦୀପ, ପଞ୍ଜରାରେ ଲାଗିଛି ଆଘାତ

ଅଭିଯୋଗ କରିଛନ୍ତି, ଅପରାଧୀଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନା । ସେହିପରି କଟକ ଆଠଗଡ଼ ଖୁଣ୍ଟୁଣୀ ଠାରେ ବିଜେପି-ବିଜେଡି କର୍ମୀ ମୁହାଁ ମୁହିଁ ହେବାରୁ ରଣକ୍ଷେତ୍ର ପାଲଟିଥିଲା ଜାତୀୟ ରାଜପଥ । ଅତିରିକ୍ତ ଏସ୍ପିଙ୍କ ଉପସ୍ଥିତିରେ ପରସ୍ପର ଉପରକୁ ଡେଲା ପଥର ମାଡ କରିଥିଲେ । ୫ରୁ ଉର୍ଦ୍ଧ୍ୱ ବାଇକ ଭାଙ୍ଗିଥିବା ବେଳେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି ।

ସେହିପରି ଝାରସୁଗୁଡା ଠାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ କାର୍ଯ୍ୟକ୍ରମରେ ବିଜେଡି କର୍ମୀ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଥାନାରେ ଅଭିଯୋଗ କରିବାକୁ ଆସିବା ବେଲେ ଥାନା ଭିତରେ ବି ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି ।