ନିର୍ବାଚନ ବେଳେ ରାସ୍ତାରେ ଯାନବାହନ ଚେକିଂ କରୁଥିବା ପୋଲିସ କର୍ମଚାରୀଙ୍କୁ ଚଢ଼ା ଗଳାରେ କଥାବାର୍ତ୍ତା କଲେ ମନ୍ତ୍ରୀ ବିକ୍ରମ ଆରୁଖ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ତନରଡା ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
Also Read
ସୂଚନା ଅନୁସାରେ ତନରଡା ନିକଟରେ ପୋଲିସ ଗାଡି ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ । ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୋଲିସ ଆଉ ଉକ୍ତ ଗାଡ଼ି ଚେକିଂ ନ କରି ଛାଡ଼ି ଦେଇଥିବା ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ତେବେ ଏହି ଘଟଣାରେ ପୋଲିସ୍ କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ସୂଚନା ଅନୁସାରେ ମେ’ ୨୦ରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଆସ୍କା ଲୋକସଭା ଆସନ ସହ ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ପଡ଼ିବ ଭୋଟ୍ । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଓଡ଼ିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୁନ୍ଦରଗଡ଼ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବଲିଉଡ୍ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ଆଜି ଅନୁଗୁଳ, ପାଲଲହଡ଼ା ଓ ଦେବଗଡ଼ରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂ ଯାଦବ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ଜନସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।