ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Polling Agent Death

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି ।

ସେହିପରି ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆନୁଆ ଗାଁ ଭୋଟଗ୍ରହଣ କେନ୍ଦ୍ରରେ ଧାଡ଼ିରେ ଛିଡା ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ କୁମୁଦିନୀ ଦଳାଇ । ବୟସ ପ୍ରାୟ ୬୫ ବର୍ଷ । କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁର। ମତଦାନ କେନ୍ଦ୍ରରେ ଠିଆ ହୋଇଥିବା ବେଳେ ପ୍ରବଳ ଖରାରୁ ତାଙ୍କ ମୁଣ୍ଡ ବୁଲାଇଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ଖଣ୍ଡପଡ଼ା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସାରା ରାଜ୍ୟରେ ଆଜି ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଭୋଟିଂ ଜାରି ରହିଥିବାବେଳେ ଆଠଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଆଠଗଡ଼ ନିର୍ବାଚନ ମଣ୍ଡଳୀ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍‌ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖାଦେଇଛି  । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍‌ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି ।

ସେପଟେ ବ୍ରହ୍ମଗିରି ଗଡ଼ରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥ୍‌ରେ ଉତ୍ତେଜନା ଦେ‍ଖିବାକୁ ମିଳିଛି । EVM ଅଚଳକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେହିପରି ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ପ୍ରାର୍ଥିନୀ ଉପାସନା ମହାପାତ୍ର । ଦୁର୍ବ୍ୟବହାର ଅଭିଯୋଗ ଆଣି ଗଣମାଧ୍ୟମ ଆଗରେ ବର୍ଷିଲେ ଉପାସନା ।

ସୂଚନା ଅନୁସାରେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ତେବେ ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥ ମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନପାଇଁ ଭୋଟ ଗ୍ରହଣ ହେଉଛି । ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୫୫୧ ବୁଥ୍ କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ୧୫ ଶହ ବୁଥ୍ ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ୩୦ଟି ବୁଥ୍ ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ପର୍ଯ୍ୟାୟରେ ୨ ହଜାର ମଡେଲ୍ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।