BJD ଉପରେ ମୋଦିଙ୍କ ହମଲା, କହିଲେ CMଙ୍କ ଉପରେ ଆଉ ଜଣେ ସୁପର୍ ସିଏମ୍

ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି ।

PM Modi

ବରଗଡ଼ରେ ବି ମୋଦି ହୁଙ୍କାର । ରାଜ୍ୟ ସରକାରଙ୍କ ଉପରେ ଆସୁ ଆସୁ କଲେ ହମଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଗରିବୀରୁ ବାହାରକୁ ଆଣିପାରିନି । ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଲୋକ କହୁଛନ୍ତି- ଆଉ କେତେ ଦିନ ସହିବ ଓଡ଼ିଶା ।

ଦିଲ୍ଲୀରେ NDA ସରକାର ଆସିବ । ଏନ୍‌ଡିଏ ୪ଶହ ପାର୍ ଏଠାରୁ ସଫା ସଫା ଦିଶୁଛି । କଂଗ୍ରେସ ମାନ୍ୟ ବିପକ୍ଷ ବି ହୋଇପାରିବନି, ଏହା ସ୍ପଷ୍ଟ ଦିଶୁଛି ବୋଲି କହିଛନ୍ତି ମୋଦି । ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟରେ ବିଫଳ ହୋଇଛି । ବିଜେଡି ସରକାର କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି । ଓଡ଼ିଶାକୁ ବଞ୍ଚାଇବା ଦାୟିତ୍ୱ କାହାର ବୋଲି ପଚାରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋ ଓଡ଼ିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ନେହୁରା ହେଉଛି ମୋ ଓଡ଼ିଶାକୁ ବଞ୍ଚାଇ ଦିଅନ୍ତୁ ବୋଲି ଆକୁଳ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅପାର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ଗରିବ କାହିଁକି । ଓଡ଼ିଶା ଧନୀ, କିନ୍ତୁ ଲୋକେ ସବୁବେଳେ ଗରିବ କାହିଁକି । ଏହାର କାରଣ ଆପଣଙ୍କ ସରକାରକୁ ନିର୍ବାଚିତ ଲୋକ ଚଳାଉ ନାହାନ୍ତି ।

ସରକାର ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଜେଡି ସରକାର ଲୋକଙ୍କ ଭାତ ହାଣ୍ଡି ଖାଲି କରିଦେଇଛି । ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି । ଅପରାଧ ଏଠାରେ ଶୀର୍ଷକୁ ଛୁଇଁଲାଣି । ଏଠାରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡ଼ିଶାକୁ ବରବାଦ କରିଥିବା ବିଜେଡିକୁ ହଟାଇବା ଦରକାର । ବିଜେଡି ସରକାର ଆପଣମାନଙ୍କୁ ଧୋକା ଦେଇ ଚାଲିଛି । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୬ଶହ ୧୭ଶହ ଟଙ୍କା ମିଳୁଛି । ଚାଷୀଙ୍କ ବାକି ପଇସା ବିଜେଡି ଦଲାଲଙ୍କ ଖାତାକୁ ଚାଲିଯାଉଛି । ବିଜେପି ଆସିଲେ ୩୧ଶହ ଧାନ, ୪୮ ଘଣ୍ଟାରେ ପଇସା ମିଳିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ।

କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଯାଇଥିଲେ । ରାମ ମନ୍ଦିରକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଫେରିବା ପରଦିନ କଂଗ୍ରେସ ପ୍ରେସମିଟ୍‌ କରିଥିଲା । ପ୍ରେସମିଟ୍‌ କରି କଂଗ୍ରେସ ଓଡ଼ିଶା ଝିଅ ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲା । ରାମ ମନ୍ଦିରକୁ ଗଙ୍ଗାଜଳରେ ଧୋଇବାକୁ କହିଥିଲା କଂଗ୍ରେସ ।

ଏମିତି କହି କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି । ପୂରା ଆଦିବାସୀ ସମାଜକୁ ଅପମାନିତ କରିଛି କଂଗ୍ରେସ । କଂଗ୍ରେସକୁ ଜବାବ ଦିଅନ୍ତୁ, ତାଙ୍କ ଅମାନତଙ୍କୁ ହରାଇ ଦିଅନ୍ତୁ ବୋଲି ଗର୍ଜିଛନ୍ତି । ସମାଜର ତଳଶ୍ରେଣୀର ଲୋକଙ୍କୁ ସମ୍ମାନ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବଞ୍ଚିତମାନଙ୍କର ଯାହା ଅଧିକାର, ମୋଦି ହେଉଛି ତାହାର ଚୌକିଦାର୍ ।