ମୋହନଙ୍କ ମୁଣ୍ଡରେ ସିଏମ୍ ମୁକୁଟ। କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ବର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ।
ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।
Also Read
ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍
ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି, ଓଡ଼ିଶାବାସୀ ଯେଉଁ ଆଶା ଆକାଂକ୍ଷା ନେଇ ୨୪ ବର୍ଷର ସରକାରକୁ ବଦଳାଇଛନ୍ତି ଏବଂ ଓଡ଼ିଶାର ବିକାଶ ପାଇଁ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି, ଆଗାମୀ ଦିନରେ ବିଜେପି ତାହାକୁ ନିଶ୍ଚିତ ରୂପେ ପୂରଣ କରିବ। ଏଥିସହ ଓଡ଼ିଶାକୁ ଭାରତର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପ ନେଉଛି ବୋଲି କହିଛନ୍ତି ମୋହନ ମାଝୀ।
ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ, ଲୋକସଭା ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ। ଘଣ୍ଟାଏରୁ ଅଧିକ ସମୟର ବୈଠକ ପରେ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଥିଲେ ରାଜନାଥ ସିଂ।
ବିଜେପି ବିଧାୟକ ଦଳରେ ଏହି ବଡ଼ ନିଷ୍ପତ୍ତି ପରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏଥିସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ମୋହନଙ୍କ ସହ ୨ ଭାବି ଉପମୁଖ୍ୟମନ୍ତ୍ରୀ, ରାଜନାଥ ସିଂହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।
ଶପଥ ଗ୍ରହଣ ସମାରୋହ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ୱର । ଉତ୍ସବ ଲାଗି ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ତମାମ କାର୍ଯ୍ୟକ୍ରମ ପରିଚାଳନା ଲାଗି ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ୱ ମିଳିଛି । କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିବେ । ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ। ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗି ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।