୩୦ ତାରିଖ ଭିତରେ ଟିକେଟ୍ ଦିଅ, ନହେଲେ...

ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ ।

Odisha Politics

ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ । ୩୦ ତାରିଖ ସୁଦ୍ଧା ଦଳ ସମୀରଙ୍କୁ ଟିକେଟ ଦେବା ନେଇ ପୁନଃବିଚାର ନକଲେ ବିଜେଡିରୁ ସମୂହ ଇସ୍ତଫା ଦେବେ ଓ ସମୀର ସ୍ୱାଧୀନ ଭାବେ ଲଢିବେ ବୋଲି ଚେତାବନୀ ଦେଇଛନ୍ତି ସମୀର ଦାଶଙ୍କ ସମର୍ଥକ ତଥା ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ।

ସେପଟେ ପରୋକ୍ଷରେ ସମୀର ଏହାକୁ ସମର୍ଥନ ମଧ୍ୟ କରିଛନ୍ତି । ବୈଠକରେ ଉପସ୍ଥିତ ସମୀର ଦାଶ ନିଜ ସମର୍ଥକଙ୍କୁ ନିମାପଡ଼ା ପ୍ରାର୍ଥିତ୍ୱ ନେଇ ପ୍ରଶ୍ନ ପଚାରିବା ଛଳରେ କହିଛନ୍ତି ନିଜେ ସମୀର ଦାଶ ନଚେତ, ସଂଗୀତା ଦାସ ପ୍ରାର୍ଥୀ ହେଲେ ଗ୍ରହଣୀୟ । ତେବେ ତୃତୀୟ ଲୋକ ଗ୍ରହଣୀୟ କି ବୋଲି ପ୍ରଶ୍ନରେ ସମୀରଙ୍କ ସମର୍ଥକ ଏକ ସ୍ୱରରେ ନା ବୋଲି କହୁଥିବା ଦେଖିବାକୁ ମିଳିଛି ।

ନିମାପଡାର ଏକ ଘରୋଇ ମଣ୍ଡପରେ ସମୀର ଦାଶଙ୍କ ସମେତ ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପର ୪୬ଟି ପଂଚାୟତର ବିଜେଡି ସଭାପତି, ନିମାପଡା NACର ୧୧ଟି ୱାର୍ଡର ବିଜେଡି ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ମାନେ ଏହି ବୈଠକରେ ଯୋଗଦେଇଥିଲେ ।

ନିମାପଡ଼ାରେ ବିଜେଡି ସମୀର ଦାସଙ୍କ ଟିକେଟ କାଟି ଦିଲୀପ ନାୟକଙ୍କୁ ଟିକେଟ ଦେଇଛି । ତେବେ ସମୀର ଦାସ ଓ ତାଙ୍କ ସମର୍ଥକ ଉଠାଇଥିବା ପ୍ରସଙ୍ଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । ସମୀରଙ୍କ ଟିକେଟ୍ କଟିବା ପରେ ବଢିଚାଲିଛି ଅସନ୍ତୋଷ । ନିମାପଡ଼ାଠୁ ଆରମ୍ଭ କରି ବଡ଼ଚଣା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ବିରୋଧ ।

ସେପଟେ ଗତ କିଛିଦିନ ତଳେ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଥିଲେ ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ ଏପ୍ରିଲ୍‌ ୧୭ରେ ବିଜେଡି ଘୋଷଣା କରିଥିଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ତେବେ ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍‌ କାଟିଥିଲା ।

ସମୀରଙ୍କ ବଦଳରେ ଦଳ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ଏପ୍ରିଲ୍‌ ୧୮ରେ ସମର୍ଥକଙ୍କୁ ନେଇ ମେଳି କରିଥିଲେ ସମୀର । ନିମାପଡ଼ାରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଥିଲେ । ନିମାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ ସମୀର ।

ତେବେ ସେହି ବୈଠକରେ ଟିକେଟ୍ କଟିବାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ସମୀର । ଗତ ସପ୍ତାହରେ ନିଜ ସମର୍ଥକଙ୍କ ସହ ଏକାଠି ହୋଇ ଏନେଇ ଦାବି ଜଣାଇବେ ବୋଲି କହିଥିଲେ ସମୀର ଦାଶ । ସେହି କ୍ରମରେ ଆଜି ଏକ ବଡ଼ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ଦାଶ ।

ସୂଚନା ଅନୁସାରେ ନିମାପଡ଼ା ବିଧାନସଭା ଆସନରେ ଗତ ତିନୋଟି ନିର୍ବାଚନରେ ବିଜୟଲାଭ କରିଆସୁଛନ୍ତି ସମୀର । ସେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିଲେ । ଆଶା ଥିଲା ୨୪ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ଦେବ । କିନ୍ତୁ ବିଜେଡି ସମୀର ଦାଶଙ୍କୁ ପ୍ରାର୍ଥୀ ନ କରି ନୂଆ କରି ଦଳରେ ସାମିଲ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ୍‌ ଦେଇଥିଲା ।