ଓଡ଼ିଆ ଅସ୍ମିତାକୁ ନେଇ କେନ୍ଦ୍ରର ଶାଣିତ ସ୍ୱର, ଜଗନ୍ନାଥ ଭୂମିର ନେତୃତ୍ୱ ନେଉ ମାଟିର ପୁଅ

ଓଡ଼ିଶାର ନେତୃତ୍ୱ ନେବା ଦରକାର ଜଣେ ମାଟିର ପୁଅ । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।

S Jaishankar

ଓଡ଼ିଶାର ନେତୃତ୍ୱ ନେବା ଦରକାର ଜଣେ ମାଟିର ପୁଅ । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜୟଶଙ୍ଗର ଭୁବନେଶ୍ୱରଠାରେ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ଓ ରାଜନୀତିଠୁ ଦେଇ ଦେଶ-ବିଦେଶ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ତେବେ କ୍ଷୋଭର ସହ କହିଛନ୍ତି ଯେ, ଏଠାରେ ଭରପୁର ଟ୍ୟାଲେଣ୍ଟ ଓ ସ୍କିଲ୍ ଅଛି । ହେଲେ ତାହାର ପୂର୍ଣ୍ଣ ଉପଯୋଗ ହୋଇପାରୁନାହିଁ ।

'ଜଗନ୍ନାଥଙ୍କ ଭୂମି ଓଡ଼ିଶାର ନେତୃତ୍ୱ ନିଅନ୍ତୁ ମାଟିର ପୁଅ' ... ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ୍. ଜୟଶଙ୍କରଙ୍କ ସ୍ପଷ୍ଟ ମତ । କହିଲେ- 'ମୋଦିଙ୍କ ମନରେ ଓଡ଼ିଶା ପାଇଁ ଅଛି ସ୍ୱତନ୍ତ୍ର ମର୍ଯ୍ୟାଦା' । 'ବିକଶିତ ଓଡ଼ିଶା ପାଇଁ ଏଠି ବି ଆସିବା ଦରକାର ବିଜେପି ସରକାର' । ଗତବର୍ଷ ସେପ୍ଟେମ୍ବରରେ ଭାରତରେ ଆୟୋଜିତ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଏଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା ବିଶାଳ କୋଣାର୍କ ଚକ ।

ଏହି ପ୍ରସଙ୍ଗ ଉଠାଇ ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ ଆରମ୍ଭ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଲ ପାଇବାର ଏହା ଏକ ନିଦର୍ଶନ ଏବଂ ମୋଦିଙ୍କ ଦୃଷ୍ଟିରେ ଓଡ଼ିଶାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ବୋଲି ସେ କହିଛନ୍ତି ।

ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ଏବଂ ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି । ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାସପୋର୍ଟ ସେବା କେନ୍ଦ୍ର ଖୋଲିଛି । ହେଲେ ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ତେଣୁ ମୋଦିଙ୍କ ବିକାଶକୁ ଆଗେଇ ନେବା ପାଇଁ ଏଠି ବି ବିଜେପି ସରକାର ହେବା ଉଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ, ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖିଥିଲେ ଜୟଶଙ୍କର । ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୁର, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି ବୋଲି ପଚାରିଥିଲେ ।

ଏଥିସହ କହିଛନ୍ତି, ଏହା ଜଗନ୍ନାଥଙ୍କ ମାଟି, ଲିଙ୍ଗରାଜଙ୍କ ମାଟି । କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜର ପ୍ରତିନିଧି ଓ ନେତା ସୃଷ୍ଟି ପାଇଁ ସକ୍ଷମ । ତେଣୁ ଆମର ମତ ଯେ, ଏଭଳି ଏକ ରାଜ୍ୟର ନେତୃତ୍ୱ ଏଭଳି ଲୋକ ନେବା ଦରକାର, ଯିଏ କି ଏଇ ରାଜ୍ୟରେ ତୃଣମୂଳ ସ୍ତରରୁ ଆସିଥିବ । ସେମାନେ ହିଁ ରାଜ୍ୟର ଉପଯୁକ୍ତ ନେତା ଓ ପ୍ରକୃତ ଭବିଷ୍ୟତ ବନିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ଗ୍ୟାରେଣ୍ଟି ସୀମା ପାର୍ ବି କାମ କରିଥାଏ । ୟୁକ୍ରେନ, ସୁଦାନ ଓ ଇସ୍ରାଏଲରୁ ଉଦ୍ଧାର ଭାରତୀୟଙ୍କ ମଧ୍ୟରେ ବହୁ ଓଡ଼ିଆ ବି ସୁରକ୍ଷିତ ଘରକୁ ବାହୁଡ଼ିଛନ୍ତି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଏଡିଟର୍ସ ମିଟକୁ ସମ୍ବୋଧିତ କରିଥିଲେ ଜୟଶଙ୍କର । ବିଭିନ୍ନ ଗଣମାଧ୍ୟମ ସଂପାଦକଙ୍କୁ ସେ କହିଥିଲେ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିଲେ ଦେଶର ବୈଦେଶିକ ନୀତିରେ ଆସିବ ବଡ଼ ସଂସ୍କାର । ଆମ ବୈଦେଶିକ ନୀତି ସ୍ପଷ୍ଟ ଥିବାରୁ ଋଷ-ୟୁକ୍ରେନ ବି ଚାହୁଁଛନ୍ତି ଯେ, ଭାରତ ସେମାନଙ୍କ ମଧ୍ୟସ୍ଥତା କରୁ ।