ପାଣ୍ଡିଆନଙ୍କ ଭୁଲ୍ ସମ୍ବୋଧନ, ତେଜିଲା ରାଜନୀତି; ଗର୍ହିତ ଅପରାଧ କହିଲା ବିଜେପି

ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ । ସମ୍ବଲପୁର ସଭାରେ ମାଟିର ପୁଅ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି ।

VK Pandian

ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ । ସମ୍ବଲପୁର ସଭାରେ ମାଟିର ପୁଅ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି । ବିରୋଧୀ ଏହାକୁ ନେଇ ଘେରି ଥିବାବେଳେ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ହେଲେ ଏନେଇ କିନ୍ତୁ ଭି.କେ.ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିନାହିଁ । ପଦାରେ ପଡ଼ିଲା ଓଡିଆ ଅସ୍ମିତା କଥା କହୁଥିବା ବିଜେଡି ସରକାରର ଅସଲ ଚିତ୍ର । ଜନ୍ମମାଟିର ସଭାରେ ବରପୁତ୍ରଙ୍କୁ ଅସମ୍ମାନ । ତା’ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ । ହଜାର ହଜାର ଜନତାଙ୍କ ସାମନାରେ । କିଏ ସ୍ୱଭାବ କବି ଆଉ କିଏ ସନ୍ଥ କବି ତାହା ଜାଣି ପାରୁନାହାଁନ୍ତି ବିଜେଡିର ପାୱାରଫୁଲ୍ ରାଜନେତା ଭିକେ ପାଣ୍ଡିଆନ୍ ।

ଆଜି ସମ୍ବଲପୁର ନିର୍ବାଚନୀ ପ୍ରଚାର ସଭାରେ ସ୍ୱଭାବ କବିଙ୍କୁ ସନ୍ଥ କବି କହି ଗଙ୍ଗାଧର ମେହେରଙ୍କୁ ସମ୍ବୋଧିତ କରୁଛନ୍ତି ପାଣ୍ଡିଆନ୍ । ଖାଲି ସେତିକି ନୁହେଁ ସନ୍ଥ କବି ଭୀମ ଭୋଇଙ୍କୁ କେବଳ କବି କହି ସମ୍ୱୋଧିତ କରିଛନ୍ତି । ପାଣ୍ଡିଆନଙ୍କ ଏଭଳି ଭାଷଣରେ ପ୍ରତିଟି ଓଡ଼ିଆ ବ୍ୟଥିତ ।

ଓଡ଼ିଆଭାଷାର କର୍ଣ୍ଣଧାର ସ୍ୱଭାବ କବି ଗଙ୍ଗାଧର ମହେରଙ୍କୁ ସନ୍ଥ କବି କହିବା ଉଭୟ ଗଙ୍ଗାଧର ମେହେର ଓ ସନ୍ଥ କବି ଭୀମ ଭୋଇଙ୍କ ପ୍ରତି ଅପମାନ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀ କହିଛନ୍ତି ଏହା ଅଣଓଡିଆ ସରକାରୀ ଦଳର ପ୍ରତିଫଳନ । ଏଥରୁ ଜଳ ଜଳ ଜଣାପଡୁଛି ଯେ, କିପରି ସରକାରୀ ଦଳର ଓଡିଆ ପ୍ରୀତି ରହିଛି ।

ବିଜେପି ରାଜ୍ୟ ସଭାପତି ଏହାକୁ ଗର୍ହିତ ଅପରାଧ କହିଥିବା ବେଳେ କଂଗ୍ରେସ କହିଛି ବରପୁତ୍ରମାନଙ୍କୁ ସମ୍ମାନ ଦେବା ଜାଣିନି ବିଜେଡି । ଆଉ ସଫେଇ ରଖି ବିଜେଡି କହିଛି ଏହା ସ୍ଲିପ୍ ଅଫ୍ ଟଙ୍ଗ୍ । କିଛି ଦିନ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଉପସ୍ଥାପିକା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ସମ୍ବୋଧିତ କରିଥିଲେ ।

ଯାହାକୁ ନେଇ ଭାଷାବିତ୍ ଏବଂ ଓଡିଆଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ପ୍ରତି ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା ସରକାରଙ୍କୁ । ସେହିପରି ଉତ୍କଳ ଦିବସରେ ଅନୁଗୁଳର ଏକ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା ।

ପ୍ରବଳ ବିରୋଧ ପରେ ଅନୁଗୁଳ ପୌରପାଳିକା ପ୍ରତିମୂର୍ତ୍ତିକୁ ବଦଳାଇଥିଲା । ଏଠି ପ୍ରଶ୍ନ କାହିଁକି ବାରମ୍ବାର ବରପୁତ୍ର ମାନଙ୍କୁ ଅସମ୍ମାନ କରାଯାଉଛି? ଓଡିଆ ଅସ୍ମିତା କଣ କେବଳ ରାଜନୈତିକ ବୟାନବାଜିରେ ସୀମିତ ? ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଆଉ ଏତିକି ବେଳେ ବିଜେଡିର ଅଣ ଓଡ଼ିଆ ନେତା ପାଣ୍ଡିଆନଙ୍କ ଏଭଳି ତ୍ରୁଟି ନିର୍ବାଚନ ଉପରେ ବଡ଼ ପ୍ରଭାବ ପକାଇବନି ତ ।