ଭଦ୍ରକରେ ରାଜନୈତିକ ହିଂସାକାଣ୍ଡ, ନାମାଙ୍କନବେଳର ମୁହାମୁହିଁ ସ୍ଥିତିରୁ ମାଡ଼ପିଟ୍

ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।

Bhadrak

ଭଦ୍ରକ ଜିଲ୍ଲା ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ବଜରାପୁର ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ । ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଆକ୍ରମଣରେ ପୂର୍ବତନ ସରପଞ୍ଚ ନାରାୟଣ ମାଝୀ, ରଞ୍ଜନ ଦାଶ, କୌଶଲ୍ୟା ମହାଳିକ, କୈଳାଶ ଚନ୍ଦ୍ର ବିଳାସ ଆହତ ହୋଇଛନ୍ତି । ଏ ସଂପର୍କରେ ବଜରାପୁରର ବିଜେପି କର୍ମୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ମାଝୀ, ସରପଞ୍ଚଙ୍କ ସ୍ୱାମୀ ଏବଂ ସହଯୋଗୀଙ୍କ ନାଁରେ ବାଂଶଡା ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଛି । ଚାନ୍ଦବାଲି ପୋଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣ କରି ତଦନ୍ତ କରୁଛି ।

ସେପଟେ ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିବା ସହ ଏଠି ସିଏମ୍‌ଙ୍କ ଉପରେ ଜଣେ ସୁପର ସିଏମ୍ ଥିବା କହିଥିଲେ। ଏମିତିକି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଆସିଯାଇଥିବା ଓ ଏ ସରକାର ଯିବାର କାଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ।

ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରସ୍ତୁତି ସହ ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ନିକୁଞ୍ଜ ବିହାରୀ ଧଳ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି। ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ। ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି। ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ।

ଏହି ପର୍ଯ୍ୟାୟରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ । ଏହି ପର୍ଯ୍ୟାୟରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୧ ଲକ୍ଷ ୮୯ ହଜାର। 1୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ହଜାର ହେଉଛନ୍ତି ୨୦ରୁ ୨୯ ବର୍ଷ ବୟସ୍କ ଭୋଟର । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେହିପରି ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ ।